ନେପାଳକୁ ୨୩ ଟନ୍‌ ଔଷଧ ଦେଲା ଭାରତ

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ସମଗ୍ର ବିଶ୍ଵକୁ କବଳିତ କରିଛି। ଭାରତରେ ମଧ୍ୟ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସଂକଟଜନକ ପରିସ୍ଥିତିରେ ମଧ୍ୟ ଭାରତ ଅନ୍ୟଦେଶକୁ ସାହାଯ୍ୟ କରିବାକୁ ପଛାଇ ନାହିଁ। ପଡ଼ୋଶୀ ଦେଶଙ୍କୁ ସହଯୋଗର ହାତ ବଢ଼ାଇଛି। ଏହିକ୍ରମରେ ନିକଟରେ ନେପାଳକୁ ୨୩ ଟନ ଔଷଧ ଓ ଅନ୍ୟାୟ ଜିନିଷ ପଠାଇଛି ଭାରତ। ଭାରତୀୟ ରାଷ୍ଟ୍ରଦୂତଙ୍କ ଦ୍ୱାରା ନେପାଳର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଔଷଧ ହସ୍ତାନ୍ତର କରାଯାଇଛି। ଏଥିରେ କୃତଜ୍ଞତା ପ୍ରକାଶ ପୂର୍ବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଟ୍ୱିଟ କରିଛନ୍ତି।

ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍‌ ପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଲେଖିଛନ୍ତି ଯେ ଭାରତ ଓ ନେପାଳ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି। ଉଭୟ ଦେଶର ସମ୍ପର୍କ ବେଶ୍‌ ମଜଭୁତ। ତେଣୁ କରୋନା ସଙ୍କଟ ସମୟରେ ଭାରତ ନେପାଳ ସହ ଛିଡ଼ା ହୋଇଛି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଭାରତ ଆମେରିକାକୁ ହାଇଡ୍ରୋକ୍ଲୋରକ୍ୱିନ ଔଷଧ ପଠାଇଥିଲା। ଏଥିପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏପରିକି ଭାରତ ବ୍ରାଜିଲକୁ ମଧ୍ୟ ଔଷଧ ପଠାଇଥିଲା ଏବଂ ବ୍ରାଜିଲ ରାଷ୍ଟ୍ରପତି ଜେର ବୋଲସୋନାରୋ ଏହି ସାହାଯ୍ୟକୁ ଖୁବ୍‌ ସୁନ୍ଦର ଭାବେ ବ୍ୟାଖ୍ୟା କରିଥିଲେ। ହନୁମାନ ଆଣିଥିବା ସଂଜୀବନୀ ବୁଟି ସହ ଭାରତର ସାହାଯ୍ୟକୁ ସେ ତୁଳନା କରି କୃତଜ୍ଞତା ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *