ଅସଲ ଲୋକଙ୍କୁ ମିଳିନି ‘ଖାଦ୍ୟ ସୁରକ୍ଷା’
ନୂଆଦିଲ୍ଲୀ(ଓଟି): କେନ୍ଦ୍ର ସରକାର ୨୦୧୩ରେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଲାଗୁ କରିଛନ୍ତି। ଏହି ନିୟମ ଆଧାରରେ ଉପଭୋକ୍ତା କମ୍ ମୂଲ୍ୟରେ ପିଡିଏସ ସାମଗ୍ରୀ ପାଇପାରିବେ। ତେବେ ଅସଲ ଲୋକଙ୍କୁ ମିଳିପାରିନି ଖାଦ୍ୟ ସୁରକ୍ଷା। ଏଥିପାଇଁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ସରକାରଙ୍କ ୧୦ ମନ୍ତ୍ରଣାଳୟ ଉପରେ ଜୋରିମାନା ଲାଗୁ କରିଛନ୍ତି।
ଯେଉଁମାନେ ବାସହରା ଓ ଖାଇବାକୁ ପାଉନାହାନ୍ତି ବା ରାସ୍ତାକଡ଼ରେ ମାଗୁଛନ୍ତି ସେମାନଙ୍କୁ ମିଳିପାରୁନି ଖାଦ୍ୟ ସୁରକ୍ଷା ଅଧିକାର। ସେହିପରି ଆଧାର କାର୍ଡ ନଥିବାରୁ ପିଡିଏସ ସାମଗ୍ରୀ ପାଉନଥିବା ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଫଳରେ ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଖାଦ୍ୟ ସୁରକ୍ଷା ମିଳିପାରିବ ବୋଲି ଆଶା କରାଯାଉଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ୧୦ଟି ମନ୍ତ୍ରଣାଳୟ ନିର୍ଦ୍ଦେଶ ପାଳନ କରିବାରେ ଅବହେଳ ବା ପଛଘୁଞ୍ଚା ଦେଇଥିବାରୁ ସୁପ୍ରିମକୋର୍ଟ ଜୋରିମାନା ଲଗାଇଛନ୍ତି। ତେବେ ଏଭଳି ଦାୟିତ୍ଵ ନିର୍ବାହ କ୍ଷେତ୍ରରେ ରାଜ୍ୟ ସରକାରମାନେ ମଧ୍ୟ ଅବହେଳା କରିଥିବା ଜଣାପଡ଼ିଛି।
ଫଳ ସ୍ଵରୂପ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଅବହେଳା ପାଇଁ ୧୦ଟି କେନ୍ଦ୍ର ମନ୍ତ୍ରଣାଳୟକୁ ୫ ଲକ୍ଷ ଜୋରିମାନା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଟଙ୍କା କୋର୍ଟର ରେଜିଷ୍ଟରରେ ଜମା ହେବ। ବିଧି ଏବଂ ନ୍ୟାୟ ମନ୍ତ୍ରଣାଳୟ, ମହିଳା ଏବଂ କଲ୍ୟାଣ, ସାମାଜିକ ନ୍ୟାୟ ଏବଂ ଅଧିକାର, ଗ୍ରାମୀଣ ବିକାଶ ଭଳି ପ୍ରମୁଖ ମନ୍ତ୍ରଣାଳୟ ଜୋରିମାନା ଦେବାକୁ ଆଦେଶ ଦିଆଯାଇଛି।











