କେଶବତୀ ନୀଲାଂଶି, ଗିନିଜ୍ ରେକର୍ଡ

ଅହମ୍ମଦାବାଦ(ଓଟି): ଲମ୍ବା କେଶ ରଖିବା ଅନେକଙ୍କ ସଉକ ହୋଇଥାଏ । ବିଶେଷକରି ଝିଅମାନଙ୍କ ମଧ୍ୟରେ କେଶକୁ ନେଇ ଏକପ୍ରକାର ଅଘୋଷିତ ପ୍ରତିଯୋଗିତା ଲାଗିଥାଏ । ଏପରିକି କେଶ ଝଡ଼ିବାକୁ ନେଇ ଖୁବ୍ ଚିନ୍ତିତ ହୋଇପଡ଼ନ୍ତି ଝିଅମାନେ । ଆଉ କାହାର ଯଦି ଲମ୍ବା ଆଉ ଘନ କେଶ ଥାଏ- ସେ ନିଜକୁ ଗର୍ବ ଅନୁଭବ କରୁଥିବାବେଳେ ସାଙ୍ଗସାଥୀଙ୍କ ଈର୍ଷାର ପାତ୍ରୀ ମଧ୍ୟ ହୋଇଥାନ୍ତି । ତେବେ ଭାବିଲେ ଜଣେ ସାଧାରଣ ମଣିଷର ଉଚ୍ଚତାଠାରୁ ଅଧିକ ଲମ୍ବର କେଶ କାହାର ହୋଇପାରିବ?
ହଁ… ସେଭଳି କେଶବତୀ ବିରଳ ହେଲେ ମଧ୍ୟ ଅଛନ୍ତି । ଆଉ ଏଥିପାଇଁ ସେ ଗିନିଜ୍ ରେକର୍ଡଧାରୀ ହୋଇପାରିଛନ୍ତି । ସେ ହେଉଛନ୍ତି ସୁନ୍ଦରୀ କୁମାରୀ ନୀଲାଂଶି । ଗୁଜରାଟର ୧୭ ବର୍ଷୀୟା ନୀଲାଂଶି ପଟେଲ ଯୁକ୍ତଦୁଇ ପଢୁଥିବାବେଳେ ଜେଇଇ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ପିଲାଟିବେଳୁ ସେ କେଶ ରଖିବାକୁ ଭଲ ପାଉଥିବାବେଳେ ଏଥିରେ ତାଙ୍କ ମା’ ଖୁବ୍ ସହଯୋଗ କରନ୍ତି । ଖାଲି ସେତିକି ନୁହେଁ ଘରେ ମା’ ପ୍ରସ୍ତୁତ କରୁଥିବା ଏକ ସ୍ୱତନ୍ତ୍ର ତେଲ ହିଁ ଲଗାନ୍ତି ଏବଂ ସପ୍ତାହକୁ ଥରେ ସଫା କରନ୍ତି । ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ନୀଲାଂଶିଙ୍କ କେଶର ଲମ୍ବ ହେଉଛି ୧୯୦ ସେମି ଅର୍ଥାତ୍ ୬ ଫୁଟ୍ ୨.୮ ଇଞ୍ଚ । ଏତେ ଲମ୍ବର କେଶକୁ ଶୁଖାଇବାକୁ ଅଧଘଣ୍ଟାଏ ଆଉ ସଜାଇବା ଲାଗି ଘଣ୍ଟାଏ ସମୟ ଲାଗେ ବୋଲି ନୀଲାଂଶି କହିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ୨୦୧୮ ନଭେମ୍ବରରେ ଲମ୍ବା କେଶ ପାଇଁ ସେ ବିଶ୍ୱ ରେକର୍ଡ କରିଥିଲେ ଏବଂ ଆଗୁ ବୟସ୍କା ମହିଳା ଭାବେ ଲମ୍ବା କେଶ ରଖିବାର ଇଚ୍ଛା ବ୍ୟକ୍ତ କରିଛନ୍ତି ନୀଲାଂଶି ।

ା ଏସପି

Leave a Reply

Your email address will not be published.