୫ ବର୍ଷରେ ୟୁପିଏରେ ବଢ଼ିଛି ୧୫, ଏନଡିଏରେ ବଢ଼ିଛି ୮ ଦଳ
ଲୋକସଭା ନିର୍ବାଚନ ସମୟରେ ବିଜେପି ନେତୃତ୍ୱରେ ଗଠିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ରେ ୫ବର୍ଷ ତଳେ ଦଳ ସଂଖ୍ୟା ୨୭ ଥିଲାବେଳେ ବର୍ତ୍ତମାନ ସେମାନଙ୍କ ସାଂସଦ ସଂଖ୍ୟା ୩୩୬। ଏବେ ଏନଡିଏରେ ଦଳ ସଂଖ୍ୟା ୨୭ରୁ ବଢ଼ି ୩୫ରେ ପହଞ୍ଚିଛି। ଅନ୍ୟ ପଟେ ୨୦୧୪ରେ ୟୁପିଏରେ ୧୩ଟି ଦଳ ଥିଲାବେଳେ ବର୍ତ୍ତମାନ ଏହି ସଂଖ୍ୟା ରହିଛି ୨୮।

୫ବର୍ଷ ମଧ୍ୟରେ ମେଣ୍ଟର ଚିତ୍ରରେ ବଡ଼ ପରିବର୍ତ୍ତନ ହୋଇଛି। ଏହି ଚିତ୍ର ବିହାର ଏବଂ ତାମିଲନାଡ଼ୁରୁ ଦେଖିବାକୁ ମିଳିଛି। ତେଣୁ କୁହାଯାଉଛି ଯେ ୨୦୧୯ ନିର୍ବାଚନ ଫଳାଫଳର ଚିତ୍ର ଏହି ୨ ରାଜ୍ୟ ଏକପ୍ରକାର ସ୍ଥିର କରିପାରନ୍ତି।
ବିହାର ଏବଂ ତାମିଲନାଡ଼ୁର ମୋଟ ଲୋକସଭା ଆସନ ସଂଖ୍ୟା ହେଉଛଇ ୭୯। ଗତ ବର୍ଷ ନିର୍ବାଚନରେ ଏଆଇଏଡିଏମକେକୁ ସବୁଠୁ ଅଧିକ ୩୭ଟି ଆସନ ମିଳିଥିଲା। ହେଲେ ଏଥର ଏହି ଦଳ ମାତ୍ର ୨୦ଟି ଆସନରେ ନିର୍ବାଚନ ଲଢ଼ୁଛି। ସେହିପରି ଗତ ନିର୍ବାଚନରେ ବିଜେପି ବିହାରରେ ୨୨ଟି ଆସନ ଜିତିଥିଲା। ଏଥର ରାଜ୍ୟରେ ବିଜେପି ୧୭ଟି ଆସନରେ ନିର୍ବାଚନ ଲଢ଼ୁଛି। ଏହି ୨ଟି ରାଜ୍ୟ ବ୍ୟତିରେକେ ଉତ୍ତରପ୍ରଦେଶରେ ଏସପି-ବିଏସପି ଏକ ଅଲଗା ମହାମେଣ୍ଟ କରିଛନ୍ତି। ଏହା ରାଜ୍ୟର ୮୦ଟି ଆସନର ଫଳାଫଳ ଉପରେ ବଡ଼ ପ୍ରଭାବ ପକାଇପାରେ।
ଗତ ନିର୍ବାଚନ ସମୟରେ ବିଜେପି ସହ ଆରଏଲଏସପି ଏବଂ ଏଲଜେପି ଏନଡିଏରେ ଥିଲା। ରାଜ୍ୟର ୪୦ଟି ଆସନ ମଧ୍ୟରୁ ବିଜେପି ୨୨, ଏଲଜେପି ୬ ଏବଂ ଆରଏଲଏସପିକୁ ମିଳିଥିଲା ୩ଟି ଆସନ। ସେତେବେଳେ ଜେଡିୟୁ ଏନଡିଏ ଏବଂ ୟୁପିଏରୁ ଅଲଗା ହୋଇ ଏକୁଟିଆ ନିର୍ବାଚନ ଲଢ଼ୁଥିଲା। ବର୍ତ୍ତମାନ ଆରଏଲଏସପି ଏନଡିଏରୁ ଅଲଗା ହୋଇ ଆରଜେଡି ନେତୃତ୍ୱରେ ମହାମେଣ୍ଟରେ ସାମିଲ ହୋଇଛି।
ଏନଡିଏରେ ବିଜେପି-ଜେଡିୟୁ ୧୭-୧୭ଟି ଆସନରେ ନିର୍ବାଚନ ଲଢ଼ୁଥିଲାବେଳେ ୬ଟି ଆସନରୁ ନିର୍ବାଚନ ଲଢ଼ୁଛି ଏଲଜେପି। ସେହିପରି ୟୁପିଏ ଆରଜେଡି ୨୦,କଂଗ୍ରେସ ୯, ଆରଏଲଏସପି ୫, ଜୀତନରାମ ମାନଝୀଙ୍କ ହମ ୩ଟି ଏବଂ ଅନ୍ୟ ଏକ ଦଳ ୩ଟି ଆସନରୁ ଲଢ଼ୁଛି।
ଗତ ନିର୍ବାଚନ ସମୟରେ ଡିଏମକେ ଏବଂ ଏଆଇଏଡିଏମକେ କୌଣସି ମେଣ୍ଟରେ ସାମିଲ ନଥିଲେ। ରାଜ୍ୟର ୩୯ଟି ଆସନରୁ ୩୭ଟି ଆସନରେ ଏଆଇଏଡିଏମକେ ଜିତିଥିଲାବେଳେ ଗୋଟିଏ ଆସନରୁ ବିଜେପି ଏବଂ ଆଉ ଗୋଟିଏ ଆସନ ମିଳିଥିଲା ପିଏମକେକୁ। କଂଗ୍ରେସ, ଡିଏମକେ ଓ ଅନ୍ୟ ଦଳ କୌଣସି ଆସନ ଜିତି ନଥିଲେ।
ବର୍ତ୍ତମାନ ଏଆଇଏଡିଏମକେର ମୁଖ୍ୟ ଜୟଲଳିତା ଏବଂ ଡିଏମକେ ମୁଖ କରୁଣାନିଧିଙ୍କ ପରଲୋକ ହୋଇଯାଇଛି। ରାଜ୍ୟରେ ଏଆଇଏଡିଏମକେ ସରକାର ଥିଲେ ମଧ୍ୟ, ଗତଥର ୩୭ଟି ଆସନ ଜିତିଥିଲେ ମଧ୍ୟ ଏହି ଦଳ ଏବେ ନିଜକୁ ସଂଗଠିତ ଓ ମଜବୁତ କରିବା ପାଇଁ ବୁଝାମଣା କରିବାକୁ ବାଧ୍ୟ ହୋଇଛି। ଏନଡିଏରୁ ଏବେ ଏଆଇଏଡିଏମକେ ୨୦, ବିଜେପି ୫ ପିଏମକେ ୭ ଏବଂ ଡିଏମଡିକେ ୪ଟି ଆସନରୁ ନିର୍ବାଚନ ଲଢ଼ିବ।
ୟୁପିଏରୁ ଡିଏମକେ ୨୦, କଂଗ୍ରେସ ୯, ବାମ ୪, ବିସିକେ ୨ ଏବଂ ଏମଡିଏମକେ, ଆଇଜେକେ, ମୁସଲିମଲିଗ ଏବଂ କେଡିଏମକେ ଗୋଟିଏ ଗୋଟିଏ ଲେଖାଏଁ ଆସନରୁ ନିର୍ବାଚନ ଲଢ଼ିବେ।
୨୦୧୪ରେ ଏନଡିଏରେ ୨୭ଟି ଦଳ ଥିଲାବେଳେ ଜିତିଥିଲେ ୩୩୬ଟି ଆସନ। ହେଲେ ବର୍ତ୍ତମାନ ଏଥିରେ ସାମିଲ ଥିବା ୬ଟି ଦଳ ଓ ଏହାର ୨୧ ସାଂସଦ ଏନଡିଏରୁ ଅଲଗା ହୋଇଛନ୍ତି। ବର୍ତ୍ତମାନ ଏନଡିଏରେ ୩୫ଟି ଦଳ ଥିଲାବେଳେ ସାଂସଦ ସଂଖ୍ୟା ହେଉଛି ୩୫୩।
ଅନ୍ୟପଟେ ୨୦୧୪ରେ ଉପାରେ ୧୩ଟି ଦଳ ଥିଲାବେଳେ ସାଂସଦ ସଂଖ୍ୟା ୬୦ ଥିଲା। ବର୍ତ୍ତମାନ ୟୁପିଏରେ ଦଳ ସଂଖ୍ୟା ୨୮ ରହିଥିଲାବେଳେ ସାଂସଦ ସଂଖ୍ୟା ହେଉଛି ୬୫। ତେଣୁ ବର୍ତ୍ତମାନ ନିର୍ବାଚନରେ ଉତ୍ତରପ୍ରଦେଶ ଫଳାଫଳ ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ଗୁରୁତ୍ୱପୂର୍ଣ୍ଣ ହେଉଛି ବିହାର ଏବଂ ତାମିଲନାଡ଼ୁର ଫଳାଫଳ।
ତେବେ ଏନଡିଏ ପାଇଁ ଚିନ୍ତା ହେଉଛି ଉତ୍ତରପ୍ରଦେଶର ୮୦ଟି ଆସନ। କାରଣ ଏଥର ଏସପି ଓ ବିଏସପି ମଧ୍ୟରେ ମେଣ୍ଟ ହୋଇଛି। କିଛିଟା ଆଶ୍ୱସ୍ଥର ବିଷୟ ହେଉଛି ଏହି ମେଣ୍ଟରେ କଂଗ୍ରେସ ସାମିଲ ନାହିଁ। ଆଉ ତ୍ରିମୁଖୀ ଲଢ଼େଇର ଫାଇଦା ଏନଡିଏକୁ ଯାଇପାରେ ବୋଲି ଅନେକ ରାଜନୈତିକ ବିଶ୍ଲେଷକ ମତ ରଖନ୍ତି।