ଛନକାରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ
ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ଭୋଟ ପରେ ପ୍ରମୁଖ ରାଜନୈତିକଦଳ ଓ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ପ୍ରାର୍ଥୀଙ୍କ ଭିତରେ ଛନକା ପଶିଛି । ବିଶେଷକରି ଆସନ୍ତା ୧୮ ତାରିଖରେ ହେବାକୁ ଥିବା ୫ଟି ଲୋକସଭା ଓ ତତ୍ସଂଲଗ୍ନ ୩୫ଟି ବିଧାନସଭା ଆସନର ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଜୀବନପଣ କରି ଜିଣିବାପାଇଁ ଭରପୂର ଉଦ୍ୟମ କରୁଛନ୍ତି ।
ଆଜି କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଏବଂ ଏଗୁଡିକ ସହିତ ଥିବା ୨୮ଟି ବିଧାନସଭା ଆସନପାଇଁ ଏକ ପ୍ରକାର ସୁରୁଖୁରୁରେ ମତଦାନ ସରିଛି । ଆଦିବାସୀ ଅଧ୍ୟୁଷିତ ଏହି ନିର୍ବାଚନମଣ୍ଡଳୀ ଗୁଡିକରେ ପ୍ରଚଣ୍ଡ ରୌଦ୍ରତାପ ସତ୍ୱେ ମତଦାନ ହାର ନୈରାଶ୍ୟଜନକ ହୋଇନାହିଁ ।
ତେବେ ବିଭିନ୍ନ ଦଳ ପକ୍ଷରୁ ନିଜ ନିଜର ବିଜୟ ସମ୍ଭାବନା ଘେନି ଦୃଢୋକ୍ତି ପ୍ରକାଶ କରାଯାଉଥିବାବେଳେ ମତଦାତାମାନେ କିନ୍ତୁ ଗମ୍ଭୀର ରହୁଥିବାରୁ ଫଳାଫଳ ଆକଳନ କରିବା ମୁସ୍କିଲ । ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୮ ତାରିଖରେ ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା ଆସନ ଏବଂ ତତ୍ ସଂଲଗ୍ନ ବରଗଡ, ବିଜେପୁର, ପଦ୍ମପୁର, ଅତାବିରା, ଭଟଲି, ଝାରସୁଗୁଡା, ତଳସରା, ବ୍ରଜରାଜନଗର, ସୁନ୍ଦରଗଡ, ବୀରମିତ୍ରପୁର, ରାଉରକେଲା, ରଘୁନାଥପାଲି, ବଣାଇ, ରାଜଗାଙ୍ଗପୁର, ବୀରମହାରାଜପୁର, ସୋନପୁର, ଲୋଇସିଂହା ପାଟଣାଗଡ, ବଲାଙ୍ଗିର, କଣ୍ଟାବାଞ୍ଝି, ଟିଟିଲାଗଡ, ବାଲିଗୁଡା, ଫୁଲବାଣୀ, ଜି.ଉଦୟଗିରି, କଣ୍ଟାମାଳ ବୌଦ, ଦଶପଲା, ଭଞ୍ଜନଗର, ପୋଲସରା, ଆସିକା, ସୋରଡା, ସାନଖେମୁଣ୍ଡି, ହିଞ୍ଜିଳି, କବିସୂର୍ଯ୍ୟନଗର ଓ ଖଲିକୋଟ ବିଧାନସଭା ଆସନପାଇଁ ମତଦାନ ହେବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଏହି ନିର୍ବାଚନମଣ୍ଡଳୀରୁ କେତେକରେ ପ୍ରଚାର ଅଭିଯାନ ସାରିଥିବାବେଳେ ଆଉ କେତେକରେ ପ୍ରଚାର ପାଇଁ ଯିବାକୁ କାର୍ଯ୍ୟକ୍ରମ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସମେତ ଆଉ ଅନେକ କେନ୍ଦ୍ରୀୟ ନେତା ବି ଓଡିଶା ଗସ୍ତରେ ଆସୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଓଡିଶାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଡେରା ପକାଇ ରହିଛନ୍ତି ।
କଂଗ୍ରେସ ସଭାପତି ରାହୁଳ ଗାନ୍ଧୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ରାହୁଳ, ପ୍ରିୟଙ୍କା, ସୋନିଆ ଆଦି ଓଡିଶା ଗସ୍ତରେ ଆସିବେ ବୋଲି କଂଗ୍ରେସ ନେତାମାନେ କହୁଛନ୍ତି । ଆସିକାରେ କଂଗ୍ରେସ ସହ ମେଣ୍ଟକରି ସିପିଆଇ ଲୋକସଭା ନିର୍ବାଚନ ଲଢୁଥିବା ପରିପ୍ରେକ୍ଷୀରେ କେତେକ ବାମପନ୍ଥୀ କେନ୍ଦ୍ରୀୟ ନେତା ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି । ବଣେଇ ସମେତ ଆଉ କେତେକ ବିଧାନସଭା କ୍ଷେତ୍ରରେ କଂଗ୍ରେସ ମେଣ୍ଟ ପକ୍ଷରୁ ସିପିଏମ୍ ବି ପ୍ରାର୍ଥୀ ଦେଇଛି ।
ଏ ପରିପ୍ରେକ୍ଷୀରେ ଏହି ଦୁଇଦଳ ସମେତ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର କିଛି ଭୋଟ କଂଗ୍ରେସ ହାତେଇବ ବୋଲି ଆଶା ରଖିଛି। ଅନ୍ୟ ପକ୍ଷରେ ଭୋଟ ପୂର୍ବରୁ ସୃଷ୍ଟି ହେଉଥିବା ସମୀକରଣର ସୁଅରେ ଅନେକ ପ୍ରାର୍ଥୀ ଭାସିଯିବା ଆଶଙ୍କା ଥିବା ପରିପ୍ରେକ୍ଷୀରେ ଅନ୍ତତଃ ପକ୍ଷେ ଦ୍ୱିତୀୟ ପର୍ଯ୍ୟାୟରେ ନିଜ ନିଜ ସ୍ଥିତିକୁ ସୁଦୃଢ କରିବାଲାଗି ସମ୍ପୃକ୍ତ ଦଳର ପ୍ରାର୍ଥୀ ଓ ଦଳପତିମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ଲକ୍ଷ୍ୟ କରାଯାଇଛି ।