ପୁଣି ମାତିଲେ ମାଓବାଦୀ, କନ୍ଧମାଳରେ ହତ୍ୟା
କନ୍ଧମାଳ,(ଓଟି): କନ୍ଧମାଳରେ ପୁଣି ମାତିଛନ୍ତି ମାଓବାଦୀ। ପୁଲିସ ଇନ୍ଫର୍ମର ସନ୍ଦେହରେ ଗୁରୁବାର ବିଳମ୍ବିତ ରାତିରେ ସେମାନେ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ କ. ନୂଆଗାଁ ଥାନା ଅନ୍ତର୍ଗତ ବୁଡ୍ରୁମାହା ଗାଁ’ର ରଞ୍ଜନ ଦିଗାଲ।
ସୂଚନାନୁଯାୟୀ, ୬ରୁ ୭ ଜଣ ମାଓବାଦୀ ରଞ୍ଜନଙ୍କ ବୁଡ୍ରୁମାହାସ୍ଥିତ ଘରକୁ ଆସି ତାଙ୍କୁ ଡାକିଥିଲେ। ସେ କବାଟ ନଖୋଲିବାରୁ କବାଟ ଭାଙ୍ଗି ଘର ଭିତରେ ପଶିବା ସହ ତାଙ୍କୁ ଗୁଳି କରିଥିଲେ। ପରେ ମୃତଦେହକୁ ଗାଁ ସ୍କୁଲ ନିକଟରେ ଫିଙ୍ଗି ଦେବାସହ ସେଠାରେ ଏକାଧିକ ପୋଷ୍ଟର ଛାଡ଼ି ଯାଇଥିଲେ। ଉକ୍ତ ପୋଷ୍ଟରରେ ସିପିଆଇ ନକ୍ସଲ କେକେବିଏନ୍ ଡିଭିଜନାଲ କମିଟି ପକ୍ଷରୁ ରଞ୍ଜନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଲେଖା ହୋଇଥିଲା। ତେବେ ପୂର୍ବରୁ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ଏ ନେଇ ଚେତାବନୀ ଦେଇଥିଲେ। ୨୦୧୯ ଜାନୁଆରୀ ୧୧ରେ କେକେବିଏନ୍ ମାଓ ସଂଗଠନ ପକ୍ଷରୁ ପୋଷ୍ଟର ଜାରି କରାଯାଇଥିଲା।