ନବୀନଙ୍କ ୨୧ରୁ ୨୧ଲୋକସଭା ସ୍ୱପ୍ନକୁ ବିଧାୟକ ପ୍ରାର୍ଥୀ ଚୁରମାର କରିଦେଲେ
କଂଗ୍ରେସକୁ ଛାଡ଼ି ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମତଦାନ ପର୍ଯ୍ୟାୟ ସମ୍ପୂର୍ଣ୍ଣ ନହେଉଣୁ ବିଜୟ ସମ୍ଭାବନାକୁ ନେଇ ଦୃଢ଼ୋକ୍ତି କରିବା ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱର ସମାବେଶରେ ନବୀନବାବୁଙ୍କ ଯିବା ସୁନିଶ୍ଚିତ ବୋଲି କହିଥିଲେ। ଓଡ଼ିଶାରେ ବିଜେପି ସରକାର ଗଢ଼ା ହେବାକୁ ଯାଉଛି ବୋଲି ଭବିଷ୍ୟବାଣୀ କରିଥିଲେ। ଏହାର ଜବାବ ବାଲେଶ୍ୱରରେ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ତିନି ପର୍ଯ୍ୟାୟ ମତଦାନ ସରିବା ପରେ ନବୀନ କହିଲେ ଯେ, ବିଜେଡିକୁ ସଂଖ୍ୟାଗରିଷ୍ଠତା ମିଳିଗଲାଣି। ତାଙ୍କ ଶପଥ ଗ୍ରହଣ ସମାବେଶକୁ ଆସିବା ପାଇଁ ମୋଦୀଙ୍କୁ ସେ ନିମନ୍ତ୍ରଣ ମଧ୍ୟ ଜଣାଇ ଦେଲେ।
ଏଥର ନିର୍ବାଚନ ନିଶ୍ଚିତ ଭାବେ ରୋଚକ ସ୍ଥିତିରେ ପହଞ୍ଚିସାରିଛି। ଯେହେତୁ କଂଗ୍ରେସ ପାଖାପାଖି ମଇଦାନରୁ ବାହାରିଗଲା, ସେହେତୁ ବିଜେପି ଏବଂ ବିଜେଡିକୁ ନିଜ ନିଜ ବିଜୟ ସମ୍ଭାବନାକୁ ନେଇ ଡେଙ୍ଗୁରା ପିଟିବା ସକାଶେ ଉତ୍ସାହିତ କରିଦେଲା। ତେବେ ସବୁକିଛି ‘କିନ୍ତୁ, ଯଦି, ତଥାପି’ ଭିତରେ ଲାଖି ହୋଇ ରହିଛି। ଇଭିଏମ ପେଡ଼ିରୁ ସାପ କି ବେଙ୍ଗ ବାହାରିବ, ତାହା ମେ’ ୨୩ ତାରିଖ ଦିନ ଜଣାପଡ଼ିବ। ତେବେ ଚତୁର୍ଥ ପର୍ଯ୍ୟାୟ ଭୋଟ ସକାଶେ ମତଦାତାଙ୍କୁ ଅଧିକ ପ୍ରୋତ୍ସାହିତ କରିବା ସକାଶେ ‘ଆମେ ଜିତୁଛୁ’ ବୋଲି କହିବାରେ କିଛି ଆପତ୍ତି ନାହିଁ।
କିନ୍ତୁ ଏହା ଆଦୌ ଅଛପା ନାହିଁ ଯେ, ଶାସକ ବିଜୁ ଜନତା ଦଳରେ ବିଚଳିତ ଭାବ ଅଧିକ ଫୁଟି ଆସୁଛି ବାହାରକୁ। ଯାହା ବିଜେପି କ୍ଷେତ୍ରରେ ଦେଖାଯାଉ ନାହିଁ। ବିଜେପି ଅଧିକରୁ ଅଧିକ ଆକ୍ରମଣ କରୁଥିବା ବେଳେ ନବୀନ ଶେଷକୁ ବୈଜୟନ୍ତ ପଣ୍ଡା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ତରକୁ ନିଜକୁ ନେଇ ଆସିଲେଣି। ତେବେ କ’ଣ ହେବ ନିର୍ବାଚନ ଫଳାଫଳ?
କିଛି ପୂର୍ବାନୁମାନ ସମ୍ଭବ କି?
ଯଉଁ ତିନିଟି ପର୍ଯ୍ୟାୟର ନିର୍ବାଚନ ସରିଛି, ପ୍ରାଥମିକ ଆକଳନ ବା ସୂଚନା ଏକ ଭିନ୍ନ ଧରଣର ସଂକେତ ଦେଉଛି। ପ୍ରଥମ ଥର ପାଇଁ ଅନେକ ଆସନରେ ସ୍ପ୍ଲିଟ ଭୋଟିଂ ହୋଇଛି। ଅର୍ଥାତ ମତଦାତା ବିଧାନସଭା ସକାଶେ ଗୋଟିଏ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ବେଳେ ଲୋକସଭା ପାଇଁ କିନ୍ତୁ ଭିନ୍ନ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ଏହି ପ୍ରତିନିଧି ବହୁ ମତଦାତାଙ୍କ ସହ ଆଲୋଚନା କରିବା ଅବସରରେ ଏହି ଧାରଣାରେ ଉପନୀତ ହୋଇଛି ଯେ, ଲୋକସଭା ନିର୍ବାଚନରେ ବିଜେପି ଅବିଶ୍ୱସନୀୟ ଫାଇଦା ମିଳିଛି।
ଏଥିପାଇଁ ବିଜେଡିର ବିଧାନସଭା ପ୍ରାର୍ଥୀମାନେ ବହୁ ପରିମାଣରେ ଦାୟୀ। ପୂର୍ବ ନିର୍ବାଚନଗୁଡ଼ିକରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀମାନେ ସାମୁହିକ ପ୍ରଚେଷ୍ଟା ଦ୍ୱାରା ଦଳର ଲୋକସଭା ପ୍ରାର୍ଥୀଙ୍କୁ ଜିତାଇ ଦେଇଥାନ୍ତି। ଲୋକସଭା ପ୍ରାର୍ଥୀଙ୍କ ଗୁଣ, ଗାରିମା, ଭାବମୂର୍ତ୍ତି ଏବଂ ଲୋକପ୍ରିୟତା କଦାପି ଶାସକ ଦଳର ବିଧାୟକ ପ୍ରାର୍ଥୀଙ୍କ ବିଜୟ ପାଇଁ ସହାୟକ ହୁଏ ନାହିଁ।
ବିଜୁ ଜନତା ଦଳ ଏକାକୀ ଯେଉଁ ଦୁଇଟି ନିର୍ବାଚନ ଲଢ଼ି ସାରିଥିଲା, ସେଥିରେ ଅନ୍ତତଃ ଏଭଳି ଗଣିତ ଦେଖିବାକୁ ମିଳିଥିଲା ଅଧିକାଂଶ ଲୋକସଭା ଆସନରେ। ମାତ୍ର ଏଥର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି।
ପ୍ରଥମ ଥର ସକାଶେ ବିଜୁ ଜନତା ଦଳ ଏବଂ ଏପରି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଜନତା ପାର୍ଟି ଠାରୁ ଅସମ୍ଭବ ଚାପରେ ପଡ଼ିଛନ୍ତି। ଲଢ଼େଇ ମୋଦୀ ଏବଂ ନବୀନଙ୍କ ଭିତରେ ଚାଲିଛି। ଯେହେତୁ ନବୀନ ନିଜ ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, ସେହେତୁ ବିଧାୟକ ପ୍ରାର୍ଥୀମାନେ ନିଜ ରକ୍ଷଣ ଅସମ୍ଭାଳ ଯୋଗୁଁ ଦଳର ଲୋକସଭା ପ୍ରାର୍ଥୀଙ୍କ ବୋଝ ବୋହିବାକୁ ପ୍ରାୟତଃ ଅରାଜି।
ଯେଉଁ ରଣନୀତିରେ ନବୀନ ଓଡ଼ିଶାର ବିକାଶ ସକାଶେ ୨୧ରୁ ୨୧ ଲୋକସଭା ଆସନ ବିଜେଡିର ଦରକାର ବୋଲି ଜନତାଙ୍କୁ ବୁଝାଇବା ସକାଶେ ଚେଷ୍ଟା କରିଥିଲେ, ତାହାକୁ ବିଧାୟକ ପ୍ରାର୍ଥୀମାନେ ପୁରା ଅକାମୀ କରିଦେଲେ।
ବିଜେଡିର ଫୋକସ ପୁଣି ଥରେ ନବୀନ ସରକାରରୁ ହଟିଯାଇ ଲୋକସଭା ଉପରେ କେନ୍ଦ୍ରୀଭୂତ ହୋଇଗଲା। ଲୋକସଭାରେ କାହାକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ, ସୁତରାଂ ବେଶୀ ଲୋକସଭା ଆସନ ମିଳିଲେ ବିଜେଡି କିଙ୍ଗମେକର ହୋଇପାରିବ ଏବଂ ସରକାରରେ ଭାଗୁଆଳୀ ହେବ ବୋଲି ନବୀନ ପ୍ରଚାର କରିବା ଆରମ୍ଭ କରିଦେଲେ।
କିନ୍ତୁ ମୋଦୀ ହାୱାକୁ ପ୍ରତିହତ କରିବା ପାଇଁ ଏହି ପ୍ରଚାର ବିଜଦକୁ ବିଶେଷ ସହାୟକ ହୋଇନାହିଁ। ଅଧିକାଂଶ ଲୋକସଭା ସାଂସଦଙ୍କ ଟିକଟ କାଟିବା ପରେ ନୂଆ ମୁହଁ ଭୋଟରଙ୍କୁ ଆକୃଷ୍ଟ କରିବ ବୋଲି ନବୀନଙ୍କ ଗଣିତ ବିଶେଷ କାମ ଦେଇ ନାହିଁ। ସେ ଦୃଷ୍ଟିରୁ ବିଜେପିର ଲୋକସଭା ପ୍ରାର୍ଥୀମାନଙ୍କର ଭାବମୂର୍ତ୍ତି ଲୋକଙ୍କୁ ଅଧିକ ଆକୃଷ୍ଟ କରିଛି।
ଭୁବନେଶ୍ୱର ଲୋକସଭା ଆସନକୁ ନମୁନା ଭାବେ ଧରି ନିଆଯାଇ ପାରେ। ଆଶ୍ଚର୍ଯ୍ୟର କଥା, ଭୁବନେଶ୍ୱରରେ ଭୋଟର ଲୋକସଭା ପାଇଁ ପଦ୍ମକୁ ପସନ୍ଦ କରିଥିବା ବେଳେ ବିଧାନସଭା ପାଇଁ ଶଙ୍ଖକୁ ବାଛୁଥିବା ବେଶ ନଜରକୁ ଆସିଥିଲା। ଅନେକ ସ୍ଥାନରେ ଶାସକ ଦଳର କର୍ମୀମାନେ ଉପରେ ଯାହାକୁ ଦେଉଛ ଦିଅ, ତଳେ ଆମକୁ ଦିଅ ବୋଲି କହୁଥାନ୍ତି। ଏଭଳି ଘଟଣା ରାଜ୍ୟର ବହୁ ସ୍ଥାନରେ ଦେଖିବାକୁ ମିଳିଥିବା ଖବର ପହଞ୍ଚୁଛି।
ଶାସକ ଦଳର ବିଧାୟକ ପ୍ରାର୍ଥୀମାନେ ସେମାନଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ଅଧିକ ତପିର ହୋଇ ଉଠିବା କାରଣରୁ ଲୋକସଭା ପ୍ରାର୍ଥୀ ଏବଂ ସେମାନଙ୍କ ମଧ୍ୟରେ ଅଧିକାଂଶ ସ୍ଥାନରେ ସମନ୍ୱୟର ଘୋର ଅଭାବ ଦେଖିବାକୁ ମିଳିଲା ଏଥର। ଏହାର ଫାଇଦା ବିଜେପିକୁ ଯାଇଛି। ବିଶେଷ କରି ଲୋକସଭା ଆସନଗୁଡ଼ିକରେ ବିଜେପି ପ୍ରାର୍ଥୀଙ୍କ ପ୍ରଦର୍ଶନ ବିଜେଡିଠାରୁ ଯଥେଷ୍ଟ ଭଲ ହେବ ବୋଲି ଏକ ସଂକେତ ବିଭିନ୍ନ ଆଡ଼ୁ ଆସିବାରେ ଲାଗିଛି।
ଏପରି କି ରାଜୀବ ସରଦେଶାଇ ଏକ ସାକ୍ଷାତକାରରେ ଓଡ଼ିଶାରେ ସରକାରୀ ବିରୋଧୀ ହାୱା ଅଛି ବୋଲି ସ୍ୱୀକାର କରିଥିଲେ। କିନ୍ତୁ ସେ ଦର୍ଶାଇବାକୁ ଚାହୁଁଥିଲେ ଯେ, ଲୋକସଭା ପାଇଁ ହୁଏତ ବିଜେପିକୁ ଅଧିକ ଆସନ ମିଳିପାରେ। କିନ୍ତୁ ବିଧାନସଭାରେ ନବୀନଙ୍କ ପାଇଁ ସମସ୍ୟା ନାହିଁ। ତେବେ ସବୁଆଡେ଼ ଯେ ସ୍ପ୍ଲିଟ ଭୋଟିଂ ହୋଇଥିବ, ଏହା ଧରିନେବା ଠିକ ହେବ ନାହିଁ।
ବିଜେପିର ଯୁକ୍ତି ହେଲା, ଓଡ଼ିଶାରେ ଏମିତି ପୃଥକ ପୃଥକ ମତଦାନ ହୁଏ ନାହିଁ। ସୁତରାଂ ବିଧାନସଭାରେ ମଧ୍ୟ ବିଜେପିକୁ ଅଧିକ ଫାଇଦା ମିଳିବ। ଏସମ୍ପର୍କରେ ଠୋସ ଭାବେ କିଛି କହିବା ସମ୍ଭବ ନହେଲେ ମଧ୍ୟ ବହୁ ସ୍ଥାନରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀମାନେ ଆତ୍ମରକ୍ଷା ପାଇଁ ଲୋକସଭା ପ୍ରାର୍ଥୀଙ୍କୁ ଅନାଥ କରିଦେଇଛନ୍ତି।
ଏହା ମେ’ ୨୩ ତାରିଖ ଦିନ ଅତି ସୁସ୍ପଷ୍ଟ ହୋଇଯିବ। ଯେଉଁ ଆଶା ରଖି ନବୀନ ୨୧ରୁ ୨୧ ଆସନ ଚାହିଁଥିଲେ, ତିନି ପର୍ଯ୍ୟାୟର ଭୋଟିଂ ପ୍ୟାଟର୍ଣ୍ଣ ଦେଖିବା ପରେ କହିହେବ ଯେ, ଲୋକସଭା ଫଳାଫଳ ତାଙ୍କୁ ନିଶ୍ଚିତ ଭାବେ ନିରାଶ କରିବ।