ସଂକ୍ରାନ୍ତିରେ ପ୍ରବାସୀ ଶ୍ରମିକଙ୍କୁ ନବୀନ ଭେଟି
ଭୁବନେଶ୍ୱର(ଓଟି): ପ୍ରବାସୀ ଶ୍ରମିକଙ୍କୁ ସଂକ୍ରାନ୍ତିରେ ମିଳିଛି ନବୀନ ଭେଟି। ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ସ୍ଥିତି ଓ ଜୀବନଜୀବିକାର ସ୍ୱଚ୍ଛଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ବଲାଙ୍ଗିର, ବରଗଡ଼, କଳାହାଣ୍ଡି, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ଖୋର୍ଦ୍ଧା ଆଦି ପ୍ରବାସୀ ଶ୍ରମିକବହୁଳ ଜିଲ୍ଲାର ଶ୍ରମିକଙ୍କ ପାଇଁ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରାଯାଇଛି। ଫଳରେ ପ୍ରବାସୀ ଶ୍ରମିକଙ୍କ ପାଇଁ ନିଜ ଅଞ୍ଚଳରେ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେଥିଲାଗି ତ୍ୱରିତ ମଜୁରି ପ୍ରଦାନ ସହ ଶିକ୍ଷା ଓ ଉନ୍ନତ ଜୀବନଶୈଳୀ ପାଇଁ ପ୍ୟାକେଜ୍ ରେ ବ୍ୟବସ୍ଥା କରାଯାଇଛି। ବରଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିର ୨୦ଟି ବ୍ଲକରେ ପ୍ରତ୍ୟେକ ଗ୍ରାମୀଣ ପରିବାର ନିମନ୍ତେ ମନରେଗାରେ ୧୦୦ ବଦଳରେ ଶ୍ରମିକଙ୍କୁ ୨୦୦ଦିନର କାମ ମିଳିବ। ଏଥିସହ ଦୈନିକ ମଜୁରିକୁ ବି ୨୮୬.୩୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଏହି ୪ ଜିଲ୍ଲାରେ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ବୀମାଭୁକ୍ତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି ସମ୍ପୃକ୍ତ ୨୦ଟି ବ୍ଲକରେ ଯୋଗ୍ୟ ବିବେଚିତ ପରିବାରକୁ ପକ୍କାଘର ଯୋଗାଇ ଦିଆଯିବ ବୋଲି ମଧ୍ୟ ଜଣାପଡିଛି।
[] ଏସପି