ପଞ୍ଚମ ଇନିଂସ ଆରମ୍ଭ : ଚିଟଫଣ୍ଡ ଦୁର୍ନୀତି ଓ ସିବିଆଇ ଭୟ ଅଧିକ ପ୍ରତିଫଳିତ
ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହିତ ନବୀନ ପଟ୍ଟନାୟକ ଆଜି ଠାରୁ ତାଙ୍କର ନୂଆ ଇନିଂସ ଶାସନ ଆରମ୍ଭ କରିଛନ୍ତି । ସ୍ଥାନୀୟ ପ୍ରଦର୍ଶନୀ ପଡିଆ ଠାରେ ଭାଇ ଭଉଣୀଙ୍କ ଉପସ୍ଥିତିରେ ଶ୍ରୀ ପଟ୍ଟନାୟକ ଆଜି ଶପଥ ଗ୍ରହଣ କରିଥିଲେ ।
ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଶପଥପାଠ କରାଉଥିବାବେଳେ ମଞ୍ଚ ତଳେ ଭାଇ ପ୍ରେମ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟା ଉପସ୍ଥିତ ଥିଲେ । ଏଥି ସହିତ ଶପଥଗ୍ରହଣ ସମାରୋହରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ ନେତାଙ୍କ ସହ ବହୁ ବିଶିଷ୍ଟ ଶିଳ୍ପପତି ଏବଂ ଗଣ୍ୟମାଣ୍ୟ ଅତିଥିଙ୍କୁ ଦେଖିବାକୁ ମିଳିଥିଲା ।

ନବୀନଙ୍କ ଏହି ୫ମ ପାଳିର ମନ୍ତ୍ରିମଣ୍ଡଳରେ ଅନେକ ନୂଆ ଚେହେରା ସ୍ଥାନ ପାଇଛନ୍ତି। କିଛି ପୁରୁଣା ନେତା ପୁଣି ଫେରୁଛନ୍ତି ମନ୍ତ୍ରିମଣ୍ଡଳକୁ। ଗତଥର ମନ୍ତ୍ରୀ ଥିବା କିଛି ବିଧାୟକ ମଧ୍ୟ ସେମାନଙ୍କର ସ୍ଥାନ ବଜାୟ ରଖିଛନ୍ତି। ମାତ୍ର ପୁରୁଖାଙ୍କ ଅପେକ୍ଷା ନୂଆଙ୍କ ଉପରେ ନବୀନ ଭରସା କରିଛନ୍ତି। ତେବେ ମନ୍ତ୍ରିମଣ୍ଡଳ ଗଠନରେ ଚିଟଫଣ୍ଡ ଦୁର୍ନୀତି ଓ ସିବିଆଇ ଭୟ ଅଧିକ ପ୍ରତିଫଳିତ ହୋଇଛି। ଯେଉଁମାନଙ୍କ ନାମ ସିବିଆଇ ତଦନ୍ତ ତାଲିକାରେ ଅଛି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବାଦ ଦେଇଛନ୍ତି।
ନୂଆ ଚେହେରା
ଯେଉଁ ନୂଆ ଚେହେରା ଏଥର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସେମାନେ ହେଲେ- ସମୀର ଦାଶ (ନିମାପଡ଼ା), ଟୁକୁନି ସାହୁ (ଟିଟିଲାଗଡ଼), ଜ୍ୟୋତି ପ୍ରକାଶ ପାଣିଗ୍ରାହୀ (ସିମୁଳିଆ), ଦିବ୍ୟଶଙ୍କର ମିଶ୍ର (ଜୁନାଗଡ଼), ନବ ଦାସ(ଝାରସୁଗୁଡ଼ା), ଜଗନ୍ନାଥ ସାରକା (ବିଷମକଟକ), ପଦ୍ମିନୀ ଦିଆନ (କୋଟପାଡ଼), ରଘୁନନ୍ଦନ ଦାସ (ବାଲିକୁଦା-ଏରସମା), ପ୍ରେମାନନ୍ଦ ନାୟକ (ତେଲକୋଇ), ତୁଷାରକାନ୍ତି ବେହେରା (କାକଟପୁର)।
ଫାଷ୍ଟଟାଇମର
ବହୁଦିନରୁ ନବୀନ ପଟ୍ଟନାୟକ ଫାଷ୍ଟଟାଇମର ଫର୍ମୁଲାକୁ ଭାଙ୍ଗିଛନ୍ତ। ରଘୁନନ୍ଦନ, ତୁଷାରକାନ୍ତି ଏବଂ ପଦ୍ମିନୀ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ହେଁ ସେମାନଙ୍କୁ ମନ୍ତ୍ରୀ ପରିଷଦରେ ସ୍ଥାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ। ତୁଷାରକାନ୍ତି ପ୍ରଥମେ ବିଜେପି ଟିକଟ ପାଇଥିଲେ ହେଁ ପରେ ବିଜେଡି ଟିକଟରୁ ନିର୍ବାଚନ ଲଢ଼ିଥିଲେ। ଗତ ଚାରିଟି ମନ୍ତ୍ରିମଣ୍ଡଳରେ ଏହା ଦେଖିବାକୁ ମିଳିନଥିଲା।
ପୁରୁଖା ନେତାଙ୍କ ପ୍ରତ୍ୟାବର୍ତ୍ତନ
ଯେଉଁ ପୁରୁଖା ନେତାମାନେ ମନ୍ତ୍ରିମଣ୍ଡଳକୁ ଦୀର୍ଘଦିନ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି- ପଦ୍ମନାଭ ବେହେରା (ବୀରମହାରାଜପୁର), ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ଆଠଗଡ଼)।
ଯେଉଁମାନେ ସ୍ଥାନ ବଜାୟ ରଖିଛନ୍ତି
ଅନ୍ୟ ଯେଉଁମାନେ ମନ୍ତ୍ରିମଣ୍ଡଳରେ ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି ସେମାନେ ହେଲେ- ପ୍ରତାପ ଜେନା, ସୁଶାନ୍ତ ସିଂ, ବିକ୍ରମ ଆରୁଖ, ଅଶୋକ ପଣ୍ଡା, ନିରଞ୍ଜନ ପୂଜାରୀ, ଅରୁଣ ସାହୁ ଏବଂ ପ୍ରଫୁଲ୍ଲ ମଲ୍ଲିକ।
ଆଶ୍ଚର୍ଯ୍ୟଜନକ ଭାବେ ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଷୋଡ଼ଶ ବିଧାନସଭାର ବାଚସ୍ପତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ୪ତାରିଖ ଦିନ ବାଚସ୍ପତି ନିର୍ବାଚନହେବ। ସେହିପରି ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ହେବେ ଶାସକ ଦଳର ମୁଖ୍ୟ ସଚେତକ। ଆଶା କରାଯାଉଥିଲା ପ୍ରମିଳା କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ତୁଲାଇବେ।
ମନ୍ତ୍ରିମଣ୍ଡଳରେ ୩୩% ମହିଳାଙ୍କୁ ସ୍ଥାନ ମିଳିଲାନି

ମୁଖ୍ୟମନ୍ତ୍ରୀ ବିଧାନସଭା ଏବଂ ଲୋକସଭାରେ ଏକ-ତୃତୀୟାଂଶ ମହିଳା ଆରକ୍ଷଣ କଥା ଉଠାଇଥିଲେ। ଲୋକସଭା ପାଇଁ ସେ ୭ଜଣଙ୍କୁ ଟିକଟ ଦେଇଥିଲେ। କିନ୍ତୁ ନବୀନ ତାଙ୍କ ମନ୍ତ୍ରିମଣ୍ଡଳରେ ୭ଜଣ ବିଧାୟିକାଙ୍କୁ ସ୍ଥାନ ଦେଇନାହାନ୍ତି। ଦେଇଛନ୍ତି ୨ଜଣଙ୍କୁ।
ସିବିଆଇ ଭୟ ସ୍ପଷ୍ଟ

ମନ୍ତ୍ରିମଣ୍ଡଳ ଗଠନରେ ସିବିଆଇ ଭୟ ସ୍ପଷ୍ଟ ବାରି ହୋଇପଡୁଛି। ଅନେକ ବିଧାୟକଙ୍କ ନାମରେ ଚିଟଫଣ୍ଡ ଦୁର୍ନୀତି ମାମଲା ଅଛି। କେନ୍ଦ୍ରରେ ପୁଣିଥରେ ପ୍ରଚଣ୍ଡ ବହୁମତରେ ମୋଦୀ ସରକାର ଆସିବା ପରେ ସିବିଆଇ ମାମଲା ତେଜିବାର ଆଶଙ୍କା ଅଛି। ଏହାଛଡ଼ା ବ୍ଲାକରୋଜ ମାମଲା ମଧ୍ୟ ରହିଛି। ଏହି କାରଣରୁ ଅନେକ ବରିଷ୍ଠ ବିଧାୟକଙ୍କୁ ମନ୍ତ୍ରୀ ପଦ ନବୀନ ଦେଇନାହାଁନ୍ତି। ୨୦୧୭ରେ ବଡ଼ଧରଣର ପୁନର୍ଗଠନ ନାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରୁ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ବିଦା କରିଦେଇଥିଲେ। ଏଥର ସେମାନେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ମୋଦୀଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁଁ ସେମାନଙ୍କୁ ଦୂରରେ ରଖାଗଲା।
୧୩ ଜିଲା ମନ୍ତ୍ରୀ ଶୂନ୍ୟ

ଏଥର ମନ୍ତ୍ରିମଣ୍ଡଳରେ ୧୩ ଜିଲ୍ଲାରୁ କେହି ମନ୍ତ୍ରୀ ହୋଇନାହାନ୍ତି। ଏହି ୧୩ ଜିଲ୍ଲା ହେଉଛି ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଦେବଗଡ଼, ଗଜପତି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା। ଯାଜପୁର ଜିଲ୍ଲାକୁ ପୂର୍ବ ଥର ଭଳି ମୁଖ୍ୟ ସଚେତକ ପଦବୀ ଦିଆଯାଇ ସନ୍ତୁଷ୍ଟ କରାଯାଇଛି। ତେବେ ସୋନପୁର ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ।ଗଞ୍ଜାମ ଜିଲ୍ଲାରୁ ବିକ୍ରମ ଆରୁଖ ଏକମାତ୍ର ବିଧାୟକ ଭାବେ ମନ୍ତ୍ରୀ ପଦ ବଜାୟ ରଖିଥିବା ବେଳେ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ଭାବେ ମନୋନୀତ କରାଯାଇଛି।