ଦକ୍ଷିଣ ଓ ପଶ୍ଚିମ ପ୍ରାନ୍ତରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ଵର, (ଓଟି): ଦିନକୁଦିନ ସମ୍ବଲପୁର ଓ ରାଜ୍ୟର ପଶ୍ଚିମାଞ୍ଚଳରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ ତେଜୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏ ଦିଗରେ ହସ୍ତକ୍ଷେପ କରିବାକୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଛନ୍ତି

ସମ୍ପୃକ୍ତ ପ୍ରସଙ୍ଗରେ ଚତୁର୍ଥଥର ପାଇଁ ଲେଖିଥିବା ଏହି ଚିଠିରେ ମୁଖ୍ୟମନ୍ତ୍ରୀ, କହିଛନ୍ତି ରାଜ୍ୟ ସରକାର ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ଅନ୍ୟ ପ୍ରାନ୍ତରରେ ଖୋଲାଯିବା ସମ୍ପର୍କିତ ନିୟମାବଳୀ, ଏ ବାବଦରେ ବିଭିନ୍ନ ସମୟରେ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟ ଏବଂ ଜଷ୍ଟିସ୍‌ ଜଶୱନ୍ତ ସିଂହ କମିଶନଙ୍କ ସୁପାରିଶ୍‌ ବାବଦରେ ଅବଗତ। ଏହାମଧ୍ୟ ଜାଣିଛନ୍ତି ଯେ, ଭାରତ ସରକାର ଏବାବଦରେ ନିଷ୍ପତ୍ତି ନେଇପାରିବେ। ଏଣୁ ରାଜ୍ୟ ସରକାର ଭାରତ ସରକାରଙ୍କୁ ଏ ବାବଦରେ ତୁରନ୍ତ ନିଷ୍ପତ୍ତି ନେବାକୁ ବାରମ୍ବାର ଅନୁରୋଧ କରିଛନ୍ତି। ଯେହେତୁ ଏହି ରାଜ୍ୟର ଦକ୍ଷିଣ ଏବଂ ପଶ୍ଚିମ ପ୍ରାନ୍ତରେ ଏ ଦାବି ନେଇ ଆନ୍ଦୋଳନ ତୀବ୍ରତର ହେଉଛି। ଏହାଦ୍ଵାରା ଏସବୁ ଅଞ୍ଚଳରେ କୋର୍ଟ ଏଂବ ସରକାରୀ ଅଫିସଗୁଡ଼ିକରେ କାର୍ଯ୍ୟ ବ୍ୟାହତ ହେଉଛି। ରାଜ୍ୟ ସରକାର ଏଥିପାଇଁ ତୁରନ୍ତ ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି।

କେନ୍ଦ୍ର ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ଆବଶ୍ୟକ ସମ୍ବଳ ଯୋଗାଇବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି।

ପୂର୍ବରୁ ୨୦୧୩ ସେପ୍ଟେମ୍ବର ୨୮, ଫେବୃୟାରୀ ୧୩ ୨୦୧୪ଏବଂ ୨୦୧୮ ସେପ୍ଟେମ୍ବର ୫ ତାରିଖରେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କିତ ନିଷ୍ପତ୍ତି ନେବାକୁ ଚିଠି ଲେଖିଥିଲେ।

Leave a Reply

Your email address will not be published.