ଫୋନିର ପ୍ରଭାବ : ପାଟକୁରା ନିର୍ବାଚନ ଘୁଞ୍ଚାଇବାଲାଗି ନିର୍ବାଚନ କମିସନଙ୍କୁ ଭେଟି ପାରନ୍ତି ନବୀନ!
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ଯାତ୍ରା କରିଛନ୍ତି । ସେ କେଉଁ କାରଣରୁ ଦିଲ୍ଲୀ ଯାତ୍ରା କରିଛନ୍ତି ତାହା ସରକାରୀ ଭାବେ ଜଣା ପଡ଼ି ନଥିଲେ ମଧ୍ୟ ନିର୍ବାଚନ କମିସନଙ୍କୁ ଆଜି ଅପରାହ୍ନରେ ଭେଟି ପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି । ସେ ନିର୍ବାଚନ କମିସନଙ୍କୁ ଭେଟି ପାଟକୁରା ବିଧାନସଭା ନିର୍ବାଚନ ଘୁଞ୍ଚାଇବାଲାଗି ଅନୁରୋଧ କରିପାରନ୍ତି ବୋଲି କୁହାଯାଉଛି। ଫୋନିର କୁପ୍ରଭାବର ଆଶଙ୍କା ପ୍ରକଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ କମିସନଙ୍କୁ ଭେଟିବେ ବୋଲି ଜଣାଯାଇଛି।
ମୁଖ୍ୟମନ୍ତ୍ରୀ ଏ ନେଇ କହିଛନ୍ତି ଯେ, ଯଦି ବାତ୍ୟା କ୍ଷୟକ୍ଷତି କରେ ତେବେ ନିର୍ବାଚନ ଘୁଞ୍ଚାଇବା ପାଇଁ କମିଶନଙ୍କୁ କହିବେ। ଆସନ୍ତା ମେ ୧୯ ତାରିଖରେ ପାଟକୁରା ବିଧାନସଭା ଆସନର ନିର୍ବାଚନ ହେବାର ଅଛି । କିନ୍ତୁ ଦଳୀୟ ସୂତ୍ରରୁ ଯାହା ସୂଚନା ମିଳୁଛି ନବୀନ ପାଟକୁରା ନିର୍ବାଚନ ବିଷୟରେ ଆଲୋଚନା କରିବା ସହ ଆଉ କିଛି ପ୍ରସଙ୍ଗ ନିର୍ବାଚନ କମିଶନରଙ୍କ ଆଗରେ ଉତ୍ଥାପନ କରିବାର ସମ୍ଭାବନା ରହିଛି । ବିଜେଡି ପକ୍ଷରୁ ବିଭିନ୍ନ ସମୟରେ ଯେଉଁ ସବୁ ଅଭିଯୋଗ କରାଯାଇଛି ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନବୀନ ଦାବି କରିବେ ।
ପ୍ରାର୍ଥୀପତ୍ର ଦାଖଲ କରିଲେ ପାଟକୁରାର ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ

କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟକୁରା ବିଧାନସଭା ଲାଗି ବିଜେଡିର ପ୍ରାର୍ଥୀଭାବେ ଆଜି ପରଲୋକଗତ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ଵାଲ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ ଅଫିସରେ ନିରାଡମ୍ବରଭାବେ ପହଞ୍ଚି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ସମୟରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ସାବିତ୍ରୀ ଅଗ୍ରଓ୍ଵାଲଙ୍କ ପୁତ୍ର ସଂଜୟ ଅଗ୍ରଓ୍ଵାଲ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।