କୋଇଲା ରୟାଲ୍ଟି ବୃଦ୍ଧି ପାଇଁ ଦାବି କଲେ ମୁଖ୍ୟମନ୍ତ୍ରୀ
କୋଇଲା ରୟାଲ୍ଟି ସଂଶୋଧନ ୨୦୧୨ ମସିହାରେ ହୋଇଥିଲା। ଏ ଭିତରେ ୭ ବର୍ଷ ବିତିଲାଣି। କେନ୍ଦ୍ର ସରକାର ଏହାର ପୁନଃ ନିର୍ଦ୍ଧାରଣ ପାଇଁ ନୀତିକୁ ସଂଶୋଧନ କରନ୍ତୁ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ଏବାବଦରେ ଅଧିକ ରୟାଲ୍ଟି ଆଶା କରୁଛି। ଏଣୁ ପୂର୍ବ ନିର୍ଦ୍ଧାରଣ ୧୪ ପ୍ରତିଶତରୁ ଏହାକୁ ବିକ୍ରି ମୂଲ୍ୟ ଉପରେ ୨୦ ପ୍ରତିଶତ ଧାର୍ଯ୍ୟ କରିବା ଲାଗି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଦେଶର ଏକ ପଞ୍ଚମାଂଶ କୋଇଲା ଉତ୍ପାଦନ କରୁଥିବା ଓଡ଼ିଶାକୁ ରୟାଲ୍ଟି ପରିମାଣ ବଢ଼ାଗଲେ ତାହା ବିକାଶରେ ସହାୟକ ହୋଇପାରିବ। ଏବେ ରାଜ୍ୟ କୋଇଲା ଉତ୍ପାଦନ ଅଞ୍ଚଳଗୁଡ଼ିକରେ ପରିବେଶ ହାନୀ, ପ୍ରଦୂଷଣ, ଜଳ ସଂକ୍ରମଣ ଏବଂ ଭିତ୍ତିଭୂମି ନଷ୍ଟ ଆଦି ସମସ୍ୟା ସହ୍ୟ କରୁଛି।