ବାତ୍ୟା ଟଳିଲା ଯାଏ ଘର ଭିତରେ ରୁହ: ମୁଖ୍ୟମନ୍ତ୍ରୀ

ରାଜ୍ୟର ୧୦ ହଜାର ଗାଁ ଓ ୫୨ ସହରାଞ୍ଚଳ ‘ଫୋନୀ’ରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷକରି ପୁରୀ ଜିଲ୍ଲାର ଉପକୂଳ ଗାଁଗୁଡ଼ିକ ସର୍ବାଧିକ ପ୍ରଭାବିତ ହେବ। ଏଣୁ ଏ ଅଞ୍ଚଳରେ ସମସ୍ତେ ଆବଶ୍ୟକ ସତର୍କ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗୁରୁବାର ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟକୁ ବୁଲିବାକୁ ଯାଇ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ପୂର୍ବପ୍ରସ୍ତୁତି ବିଷୟକୁ ସମୀକ୍ଷା କରିଛନ୍ତି। ଏହି ସମୟରେ ମୁଖ୍ୟ ସଚିବ ଆଦିତ୍ୟ ପାଢ଼ି ଓ ସ୍ଵତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ଉପସ୍ଥିତ ରହି ମୁଖ୍ୟ ସଚିବଙ୍କୁ ଆବଶ୍ୟକ ସୂଚନା ଓ ପୂର୍ବପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି।

ଏହାପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଆବଶ୍ୟକ ସମୟରେ ସହାୟତା କରିବା ଏବଂ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି। କିନ୍ତୁ ଜନସାଧାରଣ ଅଳ୍ପ କିଛି ସତର୍କ ଗ୍ରହଣ କରିବାକୁ ସେ କହିଛନ୍ତି। ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିକୋଣରୁ ଜନସାଧାରଣ ବାତ୍ୟା ଓଡ଼ିଶା ଉପକୂଳ ଛୁଇବାଠାରୁ ଆରମ୍ଭ କରି ଉପକୂଳ ପାର ହେବାଯାଏ ଘର ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି। ଏହି ସମୟରେ କବାଟ ବନ୍ଦ କରି ନିଜ ଘରେ ବା କୌଣସି ପକ୍କା ଘର, ନିରାପଦ ସ୍ଥାନରେ ରହିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଜନସାଧାରଣ ଆତଙ୍କିତ ନ ହୋଇ ବାତ୍ୟା ସମୟରେ ଘର ଭିତରେ ରୁହନ୍ତୁ ଏବଂ ବାହାରକୁ ନବାହାରନ୍ତୁ ବୋଲି ସେ କହିଛନ୍ତି। ପୁରୀ ସହରରେ ବାତ୍ୟା ଫୋନୀ ସ୍ଥଳଭାଗକୁ ଛୁଇଁବା ଆଶଙ୍କା ଥିବାରୁ ପୁରୀର ଜନସାଧାରଣ ଅଧିକ ସତର୍କ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

Leave a Reply

Your email address will not be published.