ଘଣ୍ଟ ଘୋଡ଼ାଉଛନ୍ତି ନବୀନ: ମହିଳା ବିରୋଧୀ ମାମଲା ଅଭିଯୁକ୍ତଙ୍କୁ ଶରଣ ଦେବାରେ ଆଗୁଆ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲଗାତାର ଲୋକଙ୍କ ପ୍ରଥମ ପସନ୍ଦ ଉପଭୋଗ କରୁଥିବା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳାଙ୍କ ଉପରେ ଅତ୍ୟାଚାର ତଥା ହିଂସା ଓ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ଶରଣ ଦେବାରେ ଆଗୁଆ ରହିଛନ୍ତି। ପଡ଼ୋଶୀ ରାଜ୍ୟଗୁଡ଼ିକୁ ତୁଳନା କରି ଆସୋସିଏସନ୍‌ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମ ( ଏଡିଆର୍‌) ଜାରି କରିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ଏଥିରେ କୁହାଯାଇଛି ଯେ ଓଡ଼ିଶା ଏକ ଛୋଟ ରାଜ୍ୟ ହେଲେ ମଧ୍ୟ ବଡ଼ ବଡ଼ ରାଜ୍ୟଗୁଡ଼ିକୁ ଏହି ମାମଲାରେ ଚିତ୍‌ ପଟାଙ୍ଗ କରିବାରେ ସକ୍ଷମ ହୋଇଛି।  ସେଥିଲାଗି ନିଜ ନାଁରେ ସଙ୍ଗୀନ ମାମଲାସବୁ ଥିଲେ ମଧ୍ୟ ଏବେ ୧୦ ବିଧାୟକ ଓ ୨ ସାଂସଦ ନିଶରେ ଘିଅ ଲଗାଇ ରାଜକୀୟ ସୁବିଧାସୁଯୋଗ ଭୋଗ କରୁଛନ୍ତି।   ଏପରିକି ସେମାନଙ୍କ ଭିତରୁ ୨ ଜଣ ରାଜ୍ୟରେ ମନ୍ତ୍ରୀ ହୋଇ ଆଇନ ପରିଚାଳନା କରୁଛନ୍ତି ଆଉ  ମହିଳାଙ୍କ ସୁରକ୍ଷା ବାବଦରେ ବି ନିଜର ମତ ଦେଉଛନ୍ତି! 

ଏଡିଆର୍‌ଙ୍କ ତଥ୍ୟ ଅନୁସାରେ ଓଡ଼ିଶା ହେଉଛି ଏମିତି ଏକ ରାଜ୍ୟ ଯିଏ ମହିଳାଙ୍କ ବିରୋଧରେ ହିଂସା ରଚିଥିବା ବା ଉସ୍‌କାଇଥିବା ଅଥବା ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୁକ୍ତଙ୍କୁ ବିଧାୟକ ବା ସାଂସଦ ଭାବେ ବାଛିବାରେ ଅନ୍ୟ ରାଜ୍ୟଙ୍କଠାରୁ ଆଗୁଆ ରହିଛି। ଖାଲି ସେତିକି ନୁହେଁ ଏହି ରାଜ୍ୟରେ ମହିଳାଙ୍କ ବିରୋଧୀ ମାମଲାରେ ଅଭିଯୁକ୍ତ ପ୍ରତିନିଧିଙ୍କ ସଂଖ୍ୟା ସମଗ୍ର ଦେଶରେ ଦ୍ଵିତୀୟ। ଓଡ଼ିଶା ଆଗକୁ ପଶ୍ଚିମବଙ୍ଗ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

୫୮ରୁ ୧୨ ଓଡ଼ିଶାରେ 

ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଭଳି ଅଧିକ ପ୍ରତିନିଧି ସମ୍ବଳିତ ବିଧାନସଭା ତୁଳନାରେ ଆମ ରାଜ୍ୟର ବିଧାନସଭାରେ ଏହିପରି ଅଭିଯୁକ୍ତଙ୍କୁ ଅଧିକ ଗୁରୁତ୍ଵ ମିଳିଛି। ପୁଣି ଏହି ପ୍ରତିନିଧିଙ୍କ ଭିତରେ ଶାସକ ଦଳର ଭାଗ ସର୍ବାଗ୍ରେ ରହିଛି ।

ଏହି ରିପୋର୍ଟ ଅନୁସାରେ ଦେଶର ୭୫୬ ସାଂସଦ ଓ ୪୦୬୩ ବିଧାୟକ ଯେଉଁମାନେ ନିର୍ବାଚନ ସମୟରେ ନିଜର ଅପରାଧିକ ରିପୋର୍ଟ ସତ୍ୟପାଠ ଆକାରରେ ଦର୍ଶାଇଥିଲେ ସେମାନଙ୍କ ଭିତରୁ ୭୬ଜଣଙ୍କ ନାଁରେ ମହିଳାଙ୍କ ବିରୋଧରେ ହିଂସା ଘଟାଇଥିବା ମାମଲା ରହିଛି। ଏହି ମାମଲା ଗୁଡ଼ିକ ଭିତରେ ବଳାତ୍କାର, ଦୁଷ୍କର୍ମ, ଅତ୍ୟାଚାର, ଅପହରଣ ପ୍ରଭୃତି ମାମଲା ସାମିଲ୍‌। ଏହି ୭୬ଜଣଙ୍କ ଭିତରୁ ୫୮ଜଣ ବିଧାୟକ ଏବଂ ୧୮ଜଣ ସାଂସଦ। ପୁଣି ଦେଶର ସମୁଦାୟ ୫୮ଜଣ ଅରୋପୀ ବିଧରୟକଙ୍କ ଭିତରୁ ଓଡ଼ିଶା ବିଧାନସଭାରେ ରାଜକୀୟ ସମ୍ମାନ ପାଉଛନ୍ତି ୧୨ଜଣ। ଅର୍ଥାତ୍‌ ଦେଶରେ ମହିଳାଙ୍କ ବିରୋଧରେ ହିଂସା ମାମଲାରେ ଅଭିଯୁକ୍ତ ବିଧାୟକଙ୍କ ଭିତରୁ ପାଖାପାଖି ୨୮ ପ୍ରତିଶତ ବିଧାୟକ ଓଡ଼ିଶା ବିାନସଭାରେ ସ୍ଥାନ ପାଇଛନ୍ତି। 

ଏହିକ୍ରମରେ ସବୁଠାରୁ ଆଗୁଆ ଥିବା ରାଜ୍ୟ ହେଉଛି ପଶ୍ଚିମବଙ୍ଗ। ଏହି ରାଜ୍ୟରେ ବିଧାନସଭାର ୨୯୪ ଆସନ ଓ ୫୮ ସଂସଦୀୟ ଆସନକୁ ମିଶାଇ ସମୁଦାୟ ୩୫୨ ଜଣ ଜନପ୍ରତିନିଧିଙ୍କ ଭିତରୁ ମହିଳାଙ୍କ ବିରୋଧରେ ବିଭିନ୍ନ ଅପରାଧରେ ଅଭିଯୁକ୍ତ ହୋଇଥିବା ବିଧାୟକ ଓ ସାଂସଦଙ୍କ ସଂଖ୍ୟା ହେଉଛି ୧୬। ଆଭ ରାଜ୍ୟରେ କିନ୍ତୁ ସମୁଦାୟ ୧୭୮ ସାଂସଦ ଓ ବିଧାୟକଙ୍କ ଭିତରୁ ୧୦ ଜଣ ବିଧାୟକ ଓ ୨ ଜଣ ସାଂସଦ ଏପରି ସୁବିଧା ଉପଭୋଗ କରୁଛନ୍ତି। 

ବିଜେଡିରୁ ୬ ଜଣ 

ସମୁଦାୟ ବିଧାୟକ ଓ ସାଂସଦଙ୍କ ଭିତରୁ ବିଜେଡିର ୬ ଜଣ ମହିଳାଙ୍କ ବିରୋଧରେ ହିଂସା ରଚିଥିବା ଅଭିଯୋଗରେ ଅଭିଯୁକ୍ତ। ସେଥିରୁ ୬ ଜଣ ବିଧାୟକ ଏବଂ ଜଣେ ସାଂସଦ। ସେମାନଙ୍କ ଭିତରେ ଦୁଇଜଣ ମନ୍ତ୍ରୀ ହେଲେ  ପ୍ରତାପ ଜେନା ଓ ସମୀର ରଞ୍ଜନ ଦାଶ। ଅନ୍ୟ ୩ ବିଧାୟକ ହେଲେ ନୃସିଂହ ଚରଣ ସାହୁ, ପ୍ରଶାନ୍ତ ଜଗଦେବ ଏବଂ ଜ୍ୟୋତିନ୍ଦ୍ର ନାଥ ମିତ୍ର ଏବଂ ବ୍ରଜ କିଶୋର ପ୍ରଧାନ। 

ଠିକ୍‌ ସେହିପରି ବିଜେପିର ବିଧାୟକ ପ୍ରକାଶ ସୋରେନ୍‌, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ସାଂସଦ ବସନ୍ତ ପଣ୍ଡାଙ୍କ ବିରୋଧରେ ମହିଳାଙ୍କ ବିରୋଧରେ ପ୍ରତ୍ୟକ୍ଷ ଭାବେ ହିଂସା ସୃଷ୍ଟି କରିଥିବା ମାମଲା ରହିଛି । ଅନୁରୂପ ମାମଲାରେ ଛନ୍ଦି ହୋଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌, ରମେଶଚନ୍ଦ୍ର ଜେନା ଓ ସନ୍ତୋଷ ସିଂହ ସାଲୁଜା ବିଧାନସଭାରେ ମହିଳାଙ୍କ ବିରୋଧରେ ହିଂସା, ଦୁଷ୍କର୍ମ ପ୍ରଭୃତି ମାମଲାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। 

ଶେଷକଥା

ଲୋକପ୍ରତିନିଧିଙ୍କୁ ବଦ୍‌ନାମ କରିବା ଲାଗି ତାଙ୍କର ବିରୋଧୀ ବା କେହି କୁଚକ୍ରୀ ବିଭିନ୍ନ ମାମଲା ଦାୟର କରିବାକୁ ସର୍ବଦା ଚାହିଁ ଥାଆନ୍ତି। ଓଡ଼ିଶାର ବିଧାୟକ ଓ ସାଂସଦଙ୍କଉପରେ ଏମିତି ବି ଅଭିଯୋଗ ଆସିଥାଇପାରେ। କିନ୍ତୁ ମାମଲାର ଅନ୍ତ ନହେଲା ଯାଏ ଯଦି ଏମାନେ କ୍ଷମତାର ଅଳିନ୍ଦରେ ରହିବେ ତେବେ ମାମଲା ପ୍ରଭାବିତ ହେବାର ଆଶଙ୍କା ଯଥେଷ୍ଟ । ପୁଣି ଯଦି ସେହି ଲୋକପ୍ରତିନିଧି ମନ୍ତ୍ରୀ ଆସନରେ ବସିବେ ତେବେ ମାମଲା କେତେ ସ୍ଵଚ୍ଛ ଭାବେ ପରିଚାଳିତ ହେବ ତାହା କହିବା ମୁସ୍କିଲ! ଏ କ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ଦୁଷ୍କର୍ମ ମାମଲାକୁ ରୋକିବା ଲାଗି କିପରି ବା ଶକ୍ତ ଆଇନ ଅଣାଯାଇପାରିବ!

Leave a Reply

Your email address will not be published. Required fields are marked *