ବୋଝ ହେଲାଣି ସଂଗଠନ: ନବୀନଙ୍କୁ ଜଗନ୍ନାଥ ଭରସା!

ତେଇସି ବର୍ଷରେ ପହଞ୍ଚିଛି ବିଜୁ ଜନତା ଦଳ। ଏ ଭିତରେ ରାଜ୍ୟର ପ୍ରତିଟି କୋଣରେ ନିଜର ଶକ୍ତି, ସ୍ଥିତି ଓ ମଜଭୁତି ଜାହିର କରି ଏହାର ପ୍ରତିନିଧିମାନେ ରାଜ୍ୟ ଚଳାଉଛନ୍ତି। ରାଷ୍ଟ୍ରୀୟ ରାଜନୀତିରେ ବି ନିଜର ଅସ୍ତିତ୍ଵକୁ ଗୁରୁତ୍ଵ ଦେବା ଲାଗି ଜାତୀୟଦଳଗୁଡ଼ିକୁ ବାଧ୍ୟ କରିଛି ବିଜେଡି। ଏଠି ଦ୍ରୁମ ସାଜିଥିବା କଂଗ୍ରେସ ମାଟିରେ ମିଶିଛି ଆଉ ଦେଶ ଚଳାଉଥିବା ବିଜେପି ବାରମ୍ବାର ପ୍ରତ୍ୟାଖ୍ୟାତ ହୋଇଛି।  ତଥାପି ଦଳର କର୍ମୀଠୁ ନେତା ଓ ମନ୍ତ୍ରୀ କେହି ନିର୍ଭୟ ହୋଇପାରୁ ନାହାନ୍ତି, ଏକ ଅଜଣା ଭୟରେ ସେମାନେ ତ୍ରସ୍ତ ପ୍ରାୟ। ସେ ତୃଣମୂଳସ୍ତରର କର୍ମୀ ହେଉ ବା ୫ଥର ବିଧାୟକ ଏବଂ ମନ୍ତ୍ରୀ ହୋଇଥିବା ପୁରୁଖା ନେତା, କେହି ବି ଜାଣି ନାହାନ୍ତି କାଲି ସକାଳେ ତାଙ୍କ କୁର୍ସୀ ରହିବ ନା ଲୋକସେବା ଭବନରୁ ନିର୍ଦେଶ ପାଇ ତାଙ୍କୁ ଇସ୍ତଫାପତ୍ର ଲେଖିବାକୁ ପଡ଼ିବ! ଏବେ ଏହି କୋକୁଆ ଭୟ ଦଳର ମୁଖିଆଙ୍କୁ ବି ଆତଙ୍କିତ କରିଛି। ସେଥିଲାଗି କିଛିଦିନ ହେଲା ତାଙ୍କର ନୀରବ, ସ୍ଵଚ୍ଛ ଭାବମୂର୍ତ୍ତିରେ ଯୋଡ଼ା ଯାଇଛନ୍ତି ପ୍ରଭୁ ’ଶ୍ରୀ ଜଗନ୍ନାଥଙ୍କ ଭକ୍ତି’। ଅର୍ଥାତ୍‌ ଶାସନର ପ୍ରଥମ ତିନିପାଳିରେ ଅବହେଳିତ ହୋଇଥିବା ଶ୍ରୀଜଗନ୍ନାଥ ଏ ପାଳିରେ ଭରସା ହେବେ ବୋଲି ଏକ ବିଶ୍ଵାସକୁ ପ୍ରଚାର କରାଯାଉଛି।

ବିଜେଡି ଅପରାଜେୟ

ରାଜ୍ୟ ରାଜନୀତିରେ ବିଜେଡି ଅପରାଜେୟ-ଏହାକୁ କୌଣସି ରାଜନୀତିକ ଦଳ, ସାମାଜିକ ସଂଗଠନ ବା ରାଜନୀତି ସହ ସମ୍ପର୍କ ରଖୁଥିବା ବ୍ୟକ୍ତି ମନା କରିପାରିବେ ନାହିଁ। ଯେଉଁ ପ୍ରକାରେ ଏହା କାୟା ବିସ୍ତାର କରୁଛି ଏବଂ ଅନ୍ୟ ତଳଗୁଡ଼ିକୁ ଚିତପଟାଙ୍ଗ କରୁଛି ସେଥିରୁ ଜଣାପଡ଼ୁଛି ଯେ ଏହା ରାଜ୍ୟରେ ଅନ୍ୟ ରାଜନୀତିକ ଦଳ ପାଇଁ ଗୋଟିଏ ବଡ଼ ଆତଙ୍କ।  ଏହି ଆତଙ୍କକୁ ମୁକାବିଲା କରିବାରେ ଅସମର୍ଥ ହେଉଥିବା ଦଳ ବା ନେତା ବିଜେଡିକୁ  ଏକ ରାଜନୀତିକ ଦଳ ନୁହେଁ ବରଂ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀ ବୋଲି ଅଭିହିତ କରିଛନ୍ତି।  ଆଉ କିଏ ଆଗରେ ଦଳର ସଂଗଠନକୁ ସମାଲୋଚନା କରି ପଛପଟେ ନିଜର ଅସ୍ତିତ୍ଵ ରକ୍ଷା ଲାଗି ଦଳ ଭିତରେ ସାମିଲ୍‌ ହେବାର ଏକ ଗୁପ୍ତ ସୁଡ଼ଙ୍ଗ ପ୍ରସ୍ତୁତ କରୁଛନ୍ତି। ୨୦୧୪, ୨୦୧୯ ନିର୍ବାଚନ ପୂର୍ବ ବେଳର ସ୍ଥିତି ଏ ସ୍ଥାନରେ ବିଶେଷ ଉଲ୍ଲେଖଯୋଗ୍ୟ। କାରଣ ବିଧାନସଭାରେ ଦଳ ତଥା ନବୀନଙ୍କ ଶାସନକୁ ବିରୋଧ କରୁଥିବା ନେତାମାନଙ୍କ ଭିତରୁ ଅନେକ ଆଜି ତାଙ୍କରି ଶରଣ ସ୍ଵୀକାର କରି ବିଧାୟକ ବା ମନ୍ତ୍ରୀ ହୋଇଛନ୍ତି। ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଥିବା ଭୂପିନ୍ଦର ସିଂହଙ୍କ କଥା କହନ୍ତୁ ବା ଝାରସୁଗୁଡ଼ାର ଟାଣୁଆ କଂଗ୍ରେସ ସଂଗଠକ ନବ ଦାସ ପୁଣି ଜଳେଶ୍ଵରରେ ଏକଦା ବିଜେପି ମଙ୍ଗ ଧରିଥିବା ଅଶ୍ଵିନୀ ପାତ୍ରଙ୍କ କଥା ଏ କ୍ଷେତ୍ରରେ ଉଦାହରଣ ଯୋଗ୍ୟ।

ତଥାପି ଭୟ

ସବୁବେଳେ ନିର୍ବାଚନ ଗଣିତଗୁଡ଼ିକୁ ଭୁଲ୍‌ ବୋଲି ପ୍ରମାଣିତ କରିଥିବା ନବୀନଙ୍କ ଭାବମୂର୍ତ୍ତି ଆଜି ଭୟର ସମ୍ମୁଖୀନ ହେଉଛଇ ବୋଲି  କହିଲେ ଅନେକଙ୍କୁ ଖଟା ଲାଗିପାରେ। ପୁଣି ବିଜେଡିର ତୁଙ୍ଗ ନେତାମାନେ ଏହାକୁ ଏକ ଅପାରଗ ତୁଳନା ବୋଲି ଅଭିହିତ କରିପାରନ୍ତି, କିନ୍ତୁ ଆଗକୁ ଯେ ଭୟ ଆସୁଛି  ତାହାକୁ ଅନୁମାନ କରିପାରିଛନ୍ତି ନବୀନ ଏବଂ ତାଙ୍କ ରଣନୀତି ନିର୍ଦ୍ଧାରକ, ଏହାକୁ ଅସ୍ଵୀକାର କରିହେବ ନାହିଁ। ଏହା ପୂର୍ବାନୁମାନ, ଆଶଙ୍କାକୁ ନବୀନଙ୍କ ଅଙ୍କ କଷାର ସବୁଠାରୁ ବଡ଼ ସୂତ୍ର ବୋଲି ବିବେଚନା କରିବାକୁ ହେବ। ସେଥିଲାଗି ସେ ନିର୍ବାଚନରେ ବିପୁଳ ବିଜୟ ପାଇବା ପରେ ବି ନିହାଲ ନବସି ୨୦୨୪ ପାଇଁ ଗଣିତ ପ୍ରସ୍ତୁତ କରୁଛନ୍ତି।

କ’ଣ ସେ ଭୟ

ଭୟ ପରାଜୟର ନୁହେଁ, ଭୟ ହେଉଛି ଦୁର୍ଗ ଭୁଶୁଡ଼ିବାର। ବିଜେଡି ଯେଉଁ ମାଟି ଉପରେ ଠିଆ ହୋଇଛି ତାହାର ଗୋଟିଏ ମାତ୍ର ସ୍ତମ୍ଭ ହେଉଛନ୍ତି ନବୀନ ପଟ୍ଟନାୟକ। ଆଉ ଆଦର୍ଶ-ନିର୍ବାଚନ ପରିସ୍ଥିତି ଅନୁସାରେ ବଦଳି ଚାଲିଛି। କେବେ ବିଜୁବାବୁ ଭୋଟ୍‌ ଆକର୍ଷଣର ମୁଖ୍ୟ କାରକ ଥିଲେ ତ ଆଉ କେବେ ନବୀନଙ୍କ ସ୍ଵଚ୍ଛ ଭାବମୂର୍ତ୍ତି ପୁଣି କେବେ ଧର୍ମ ନିରପେକ୍ଷତା ଲୋକଙ୍କୁ ପ୍ରଭାବିତ କରି ଅଜସ୍ର ଭୋଟ୍‌ ପ୍ରଦାନ କରିଛି। ଦଳ ସବୁବେଳେ ଅନୁଭବ କରିଛି ଯେ, ନବୀନଙ୍କ ଉପରୁ ଯଦି ଲୋକଙ୍କ ଆସ୍ଥା କାଣିଚାଏ ବି ବଦଳେ ତେବେ ଦଳ ଅସ୍ତିତ୍ଵ ବିହୀନ ହୋଇଯିବ। ସେଥିଲାଗି ପୂର୍ବ ନିର୍ବାଚନରେ ବିରୋଧୀ ଦଳମାନଙ୍କ ‘ଦୁର୍ବଳ ତଥା ରୋଗାଗ୍ରସ୍ତ ନବୀନ’ ଅପପ୍ରଚାରକୁ ପ୍ରତିହତ କରିବା ଲାଗି ନବୀନଙ୍କ ବ୍ୟାୟାମ ଦୃଶ୍ୟ ବା ଫିଟ୍‌ ନବୀନ ବାର୍ତ୍ତାକୁ ସୋଶାଲ ଏବଂ ମେନ୍‌ଷ୍ଟ୍ରିମ୍‌ ମିଡିଆରେ ପ୍ରଚାର କରାଯାଇଥିଲା। ଲୋକେ ବି ତାହାକୁ ଗ୍ରହଣ କଲେ। ଏବେ ବାସ୍ତବତା ସାମ୍ନାକୁ ଆସିଛି।

୨୦୨୪ ସାଧାରଣ ନିର୍ବାଚନ ବା ଏହା ପୂର୍ବରୁ ହେବାକୁ ଥିବା ପୌର ଏବଂ ପଞ୍ଚାୟତିରାଜ ନିର୍ବାଚନରେ ବିରୋଧୀଙ୍କର ଏ ବାଣ ଆଉ କାର୍ଯ୍ୟ କରିବ ନାହିଁ। କିନ୍ତୁ ପରସ୍ପର ଭିତରେ ଅସଙ୍ଗତି, ମାରପିଟ୍‌, ଅସନ୍ତୋଷ ରଖିଥିବା କର୍ମୀମାନେ ଦଳକୁ ଫଟାଇଦେବାର ଭୟ ରହିଛି। ଏହି ଅସନ୍ତୋଷରେ ଯଦି ଲୋକେ ସାମିଲ୍‌ ହୋଇ ଯାଆନ୍ତି ତେବେ ପରିଣାମ ଭୟଙ୍କର ହେବ। ଅର୍ଥାତ୍‌ ନିଜ କର୍ମୀ ନିଜର ଶତ୍ରୁ ହେବା ଆଶଙ୍କା ରହିଛି। ଏଣୁ ଲୋକଙ୍କ ମନକୁ ବଦଳାଇବା ଲାଗି ଆଉ ଏକ ମନ୍ତ୍ରକୁ ନବୀନ ଏବଂ ତାଙ୍କର ରଣନୀତି ନିର୍ଦ୍ଧାରକ ଆପଣାଇଛନ୍ତି। ତାହା ହେଲା ଜଗନ୍ନାଥ ଭକ୍ତି।

 

ଜଗନ୍ନାଥ ଭକ୍ତି

୨୦୧୪ ନିର୍ବାଚନ ଯାଏ ପୁରୀ ବା ଶ୍ରୀ ଜଗନ୍ନାଥ ନବୀନଙ୍କ ଶାସନକଳର କେନ୍ଦ୍ରବିନ୍ଦୁ ନଥିଲେ। ତାହା ହୋଇଥିଲେ ଜଗନ୍ନାଥ ମନ୍ଦିରର ପ୍ରଶାସନକୁ ଆଇନ ଅନୁସାରେ ପରିଚାଳନା କରିବା ଲାଗି ଲୋକେ ସୁପ୍ରିମ୍‌କୋର୍ଟ ଯାଇ ନ ଥାଆନ୍ତେ! ବାରମ୍ବାର ସମାଲୋଚନା ସତ୍ବେ ସ୍ଵର୍ଗଦ୍ଵାରକୁ କିମ୍ବଦନ୍ତୀ ପୁରୁଷଙ୍କ ନାଁରେ ଜବରଦଖଲ କରାଯାଇ ନଥାଆନ୍ତ କି ଏହି ଦଖଲ ନାଁରେ ଅନ୍ୟ ଜବର ଦଖଲକୁ ପ୍ରଶ୍ରୟ ଦିଆଯାଇ ନଥାଆନ୍ତା। ପୁଣି ଜଗନ୍ନାଥଙ୍କ ସମ୍ପତ୍ତି ବିଭିନ୍ନ ଆଡ଼େ ପଡ଼ି ରହିଥିଲେ ମଧ୍ୟ ତାହାର ଉଦ୍ଧାର ଲାଗି ସରକାରୀ କଳ ନୀରବ ରହି ନଥାଆନ୍ତେ। ୨୦୧୫ରେ ନବକଳେବର ସରିଥିଲେ ମଧ୍ୟ ରାସ୍ତାଘାଟ ନିର୍ମାଣ ଅଧାପନ୍ତରିଆ ହୋଇ ନଥାଆନ୍ତା, କି ଦାରୁ ବିଭ୍ରାଟରେ ଚିହ୍ନିତ ସେବକ ଖୋଲା ଖୋଲି ବୁଲୁ ନଥାଆନ୍ତେ! ଆଜି ଏସବୁ ପରିସ୍ଥିତିରେ ଏକ ଆକସ୍ମିକ ପରିବର୍ତ୍ତନ ହୋଇଛି।  ଅବଶ୍ୟ କିଛି ପ୍ରସଙ୍ଗ ଏଯାଏ ସେମିତି ଅଛୁଆଁ ରହିଛି କିନ୍ତୁ ପୁରୀକୁ ବିଶ୍ଵସ୍ତରୀୟ ସହରରେ ପରିଶତ କରିବାକୁ ଯାଇ ଲୋକଙ୍କ ଆସ୍ଥା ଜିତିବାର ଚେଷ୍ଟା କରାଯାଇଛି। ଅନେକ ଅର୍ଥ କ୍ଷତିପୂରଣ ବାବଦରେ ପ୍ରଦାନ କରାଯାଇଛି।  ପୁଣି ଏହାକୁ ସ୍ପଷ୍ଟ କରିବାକୁ ଯାଇ ୫-ଟି ସଚିବ ଗଣମାଧ୍ୟମ ସାମ୍ନାରେ ଏହା ନବୀନଙ୍କ ‘ଜଗନ୍ନାଥ ଭକ୍ତି’ ବୋଲି କହିଛନ୍ତି।

ଖଜା ଓ ଖଣ୍ଡୁଆ

ଓଡ଼ିଶା ରାଜନୀତିରେ ଶ୍ରୀ ଜଗନ୍ନାଥ ହେଉଛନ୍ତି ନାଭିବ୍ରହ୍ମ। ଏହାକୁ ପ୍ରମାଣିତ କରିବା ଅନାବଶ୍ୟକ। ମନ୍ଦିର ତିଆରି ଦିନଠାରୁ ଆରମ୍ଭ କରି ପ୍ରତିଟି ଘଟଣାରେ ଏହା ପ୍ରତିପାଦିତ। ଓଡ଼ିଶାର ପ୍ରତିଟି ମୁଖ୍ୟମନ୍ତ୍ରୀ ତାଙ୍କୁ ଆୟୁଧ କରିଛନ୍ତି। ହେଲେ ନବୀନ ଏହି ନିର୍ବାଚନ ପରଠାରୁ ଯଥେଷ୍ଟ ଜଗନ୍ନାଥପ୍ରେମୀ ହୋଇଛନ୍ତି। ଏହାର କାରଣ ପଛରେ ବିଜେପିର ଉଗ୍ର ନିର୍ବାଚନ ପ୍ରଚାରକୁ କାରଣ ବୋଲି ବିଚାର କରାଯାଇପାରେ। କାରଣ ଗଲା ନିର୍ବାଚନ ସମୟରେ ବିଜେପିର ଅଜଣା, ଅଚିହ୍ନା, ଅଣ ପୁରୀ ବାସିନ୍ଦାଙ୍କୁ ପୁରୀବାସୀ ଯେମିତି ସମର୍ଥନ ଜଣାଇଲେ ତାହା ବିଜେଡି ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା। ଭାଗ୍ୟ ଟାଣ ଥିଲା ବୋଲି ସାଂସଦ ଆସନଟି ରହି ପାରିଲା ନହେଲେ ହୁଏତ ବିଧାୟକ ପରି ସେ ଆସନରେ ବି ଫୁଲ ଫୁଟି ଥାଆନ୍ତା!

 

 ଆଜି ବିଜେଡିର ଅଷ୍ଟମ ନିର୍ବାଚନରେ ବି ଜଗନ୍ନାଥଙ୍କୁ ସାମିଲ୍‌ କରାଯାଇ ଭୋଟରଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିଛି ବିଜେଡି। କୌଣସି ସାଂଗଠିନିକ ନିର୍ବାଚନରେ ବି କୌଣସି ଉତ୍ସବରେ ନବୀନଙ୍କୁ ଖଣ୍ଡୁଆ ପାଟ ଉତ୍ତରୀୟ ଭାବେ କେହି ପ୍ରଦାନ କରିଥିବା ଚର୍ଚା ହୋଇ ନାହିଁ, କିନ୍ତୁ ଆଜି ତାହା ଚର୍ଚିତ। ପୁଣି କୌଣସି ବିଜେଡି ବୈଠକରେ କେବେ ଖଜା ବାଣ୍ଟି ଲୋକଙ୍କୁ ପ୍ରଭାବିତ କରାଯାଇ ନାହିଁ, କାରଣ ଏହା ମାହାର୍ଦ ବୋଲି କେହି କେହି ବିଚାର କରନ୍ତି। ପୂର୍ବରୁ ଗାଁ ଗହଳିରେ କିଛି ରାଜନୀତିକ ନେତାପୁରୀରୁ ଏପରି ଖଜା ନେଇ ନିର୍ବାଚନ ପୂର୍ବ ରାତିରେ ଲୋକଙ୍କୁ ଶପଥପାଠ ବି କରାଇଥିବାର ନଜୀର ରହିଛି। ଏଣୁ ଏହା ସେହି ଅଧ୍ୟାୟର ପୁନରାବୃତ୍ତି ବୋଲି କୁହାଯାଇପାରେ। କିନ୍ତୁ ଏହା ଭୋଟରଙ୍କ ପାଇଁ ନୁହେଁ ବରଂ ଲୋକଙ୍କ ନାଁରେ କର୍ମୀଙ୍କୁ ଏକାଠି ରଖିବା ଲାଗି ଉଦ୍ଦିଷ୍ଟ ହୋଇପାରେ!

ଶେଷ କଥା

ଲୋକ ଦେବତା ଜଗନ୍ନାଥଙ୍କୁ ରାଜନୀତିର ଅଙ୍ଗ କରାଯିବା ନୂଆ ନୁହେଁ ବା ଏଥିରେ ଆପତ୍ତି ନାହିଁ। କିନ୍ତୁ ଜଗନ୍ନାଥ ମନ୍ଦିରକୁ ପ୍ରଶାସନ ସୁରକ୍ଷିତ କରନ୍ତୁ। ଯେଉଁ ଗର୍ଭଗୃହ, ନାଟ ମଣ୍ଡପ ଏବଂ ଭୋଗ ମଣ୍ଡପ ଅସୁରକ୍ଷିତ ବୋଲି ଏଏସ୍‌ଆଇ କହିଛି ତାହାର ସୁରକ୍ଷା ପାଇଁ କାର୍ଯ୍ୟ ଆଗକୁ ବଢ଼ାଯାଉ। କାରଣ ଏବେ ମନ୍ଦିର ପ୍ରଶାସନ ଆଭ୍ୟନ୍ତରୀଣ ଅଙ୍ଗକୁ ସୁରକ୍ଷିତ କରିବା ବଦଳରେ ବାହ୍ୟ ସୌନ୍ଦର୍ଯ୍ୟରେ ଲାଗି ପଡ଼ିଛନ୍ତି। ପୁଣି ଯେଉଁ ପ୍ରତିଶୃତି ପୁରୀ ପାଇଁ ହୋଇଛି ତାହା ଫଟୋ ବା ଗ୍ରାଫିକ୍ସରେ ନରଖି କାର୍ଯ୍ୟାନ୍ବୟନ ପାଇଁ ସରକାରୀ କଳ ଯେମିତି ଚିନ୍ତିତ ହେବେ ତାହା ନିହାତି ଜରୁରୀ।

Leave a Reply

Your email address will not be published.