ବଜେଟ୍ ୨୦୧୯: ନବୀନ କହିଲେ ଦେଶର ବିକାଶ ପାଇଁ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା
ଭୁବନେଶ୍ଵର, (ଓଟି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଉପସ୍ଥପେନ କରାଯାଇଥିବା ବଜେଟ୍-୨୦୧୯କୁ ଏକ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଥିବା ଅର୍ଥାତ୍ ଦୂର ଦୃଷ୍ଟିସମ୍ପନ୍ନ ଯୋଜନା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ପାଇଁ ଆବଶ୍ୟକ ବଜେଟ୍ ଅର୍ଥ ବ୍ୟବସ୍ଥାକରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।
ସ୍ଵାସ୍ଥ୍ୟ, ଉଚ୍ଚଣିକ୍ଷା, ଦକ୍ଷତା ବିକାଶ, ପିଇବା ପାଣି, ଜୀବୀକା ମିଶନ, ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ବଜେଟ୍ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ଏମ୍ଏନ୍ଆର୍ଇଜିଏ, ଏସ୍ସିଏସ୍ଟଇ ଏବଂ ଅନ୍ୟ ସମ୍ବେଦନଶୀଳ ବର୍ଗଙ୍କ ବିକାଶ ପ୍ରଭୃତି କ୍ଷେତ୍ରରେ ବଜେଟ୍ ପରିମାଣ ହ୍ରାସ ଉଦ୍ବେଗ ସୃଷ୍ଟି କରୁଥିବା ସେ କହିଛନ୍ତି।
ଆୟକର ଦାତା,ପେଟ୍ରୋଲ ଓ ଡିଜେଲ ଉପରେ ସେସ୍ ଓ ସରଚାର୍ଜ ବସାଇ କେନ୍ଦ୍ର ସରକାର ଲାଭବାନ ହେବେ। କିନ୍ତୁ ରାଜ୍ୟକୁ ଏହି ସରଚାର୍ଜରୁ କିଛି ବି ଅର୍ଥ ମିଳିବନି। କାଳିଆ ପରେ ପିଏମ କିଷାନ୍ ଯୋଜନାରେ ଚାଷୀଙ୍କ ସହାୟତା ରାଶିକୁ ବୃଦ୍ଧି କରାଗଲାନି। ଏହାସହିତ ଭୂମିହୀନ ଶ୍ରମିକ ଓ ଭାଗଚାଷୀଙ୍କ ପାଇଁ କିଛି ବି ବ୍ୟବସ୍ଥା ନାହିଁ। ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା ୨୦୧୯-୨୦ ଆର୍ଥିକ ବର୍ଷ ବଜେଟ ଉପରେ ପ୍ରତିକ୍ରିୟା ରଖି ଏପରି ଟିପ୍ପଣୀ କରିଛନ୍ତି।
ବଜେଟରେ ରେଳ ପ୍ରକଳ୍ପ ପାଇଁ ଅଧିକ ବ୍ୟୟବରାଦ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବାଗତ କରିବା ସହ ଓଡ଼ିଶାରେ ଚାଲୁ ରହିଥିବା ରେଳ ପ୍ରକଳ୍ପଗୁଡ଼ିକ ପାଇଁ ଅଧିକ ବ୍ୟୟବରାଦ କରାଯିବା ନେଇ ଆଶା ପ୍ରକଟ କରିଛନ୍ତି। ଏପରି ହେଲେ ଓଡ଼ିଶାରେ ଚାଲୁ ରହିଥିବା ରେଳ ପ୍ରକଳ୍ପ କାର୍ଯ୍ୟ ତ୍ବାରାନ୍ବିତ ହୋଇପାରିବ। ଜାତୀୟ ରାଜପଥ ପାଇଁ କମ୍ ବ୍ୟୟବରାଦ ହୋଇଥିବାରୁ ଆନ୍ତଃରାଜ୍ୟ ସଂଯୋଗୀକରଣ ପ୍ରଭାବିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାକୁ (ପିଏମଏସଵାଇ) ଗୁରୁତ୍ବ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ (ପିଏମଏଵାଇ) ଅଧିକ ବ୍ୟୟବରାଦ ସ୍ବାଗତଯୋଗ୍ୟ। କିନ୍ତୁ ଏସବୁ ପାଇଁ ବଜେଟରେ ପର୍ଯ୍ୟାପ୍ତ ଅର୍ଥ ବରାଦ ନହେଲେ କିଛି ବି ସୁଫଳ ମିଳିବନି ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, ନୂଆ କରି ପ୍ରସ୍ତାବିତ ସେସ ଓ ସର୍ଚାର୍ଜ ବ୍ୟବସ୍ଥା ଅର୍ଥ ଚତୁର୍ଦ୍ଦଶ ଅର୍ଥକମିସନଙ୍କ ସୁପାରିସ ଆଧାରରେ ଗଠନ ହୋଇଥିବା ଡିଭିଜିବିଲ ପୁଲକୁ ଆସିବ ନାହିଁ। ଫଳରେ ଏହି ଅର୍ଥ ରାଜ୍ୟ ହରାଇବ।