ବିଜେପୁର ଛାଡ଼ିବେ ନବୀନ!

ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାୟ ଦୁଇବର୍ଷ ଆଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ୟାକେଜ ଘୋଷଣା କରିଥିଲେ। ବୋଧହୁଏ ବିଜେପୁରବାସୀ ଏହାକୁ ଭୁଲି ନଥିବେ। ଓଡ଼ିଶାବାସୀ ବରଂ ଏହାକୁ ମନେ ରଖି ନଥିବେ। କାରଣ ଏହା ଭିତରେ ବିଜେପୁର ଉପନିର୍ବାଚନ ସରି ବିଧାନସଭା ନିର୍ବାଚନ ସରିଗଲାଣି। ପୁଣି ଏକ ଉପନିର୍ବାଚନର ଛାଇ ବିଜେପୁର ଉପରକୁ ଢାଙ୍କି ହୋଇଆସୁଛି। ବୋଧହୁଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନର୍ବାର ବିଜେପୁର ପାଇଁ ଆଉ ଏକ ପ୍ୟାକେଜ ଘୋଷଣା କରିଛନ୍ତି।

ଏବେ ନବୀନ ପଟ୍ଟନାୟକ ବିଜେପୁରର ନିର୍ବାଚିତ ବିଧାୟକ। ସେ ମଧ୍ୟ ଗଞ୍ଜାମ ଜିଲାର ହିଞ୍ଜିଳି ବିଧାୟକ। ହିଞ୍ଜିଳିରୁ ୨୦୦୦ ମସିହାରୁ ସେ ନିର୍ବାଚିତ ହୋଇଆସୁଛନ୍ତି। ପ୍ରଥମ ଥର ପାଇଁ ତାଙ୍କ ରାଜନୈତିକ ଜୀବନରେ ନବୀନ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ ଏବଂ ନିରାପଦ ଭୋଟ ବ୍ୟବଧାନରେ ବିଜୟୀ ମଧ୍ୟ ହେଲେ। ବିଧି ବ୍ୟବସ୍ଥା ଅନୁସାରେ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ।

କିଛିଦିନ ହେଲା ଚର୍ଚ୍ଚା ହୋଇଆସୁଥିଲା ଯେ, ନବୀନ ବିଜେପୁର ରଖି ତାଙ୍କ ପାରମ୍ପରିକ ହିଞ୍ଜିଳି ଆସନ ଛାଡ଼ିଦେବେ। ହିଞ୍ଜିଳିରୁ ତାଙ୍କ ପୁତୁରା ଅରୁଣ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ନିଜେ ନବୀନ ଏହି ଚର୍ଚ୍ଚାକୁ ଖାରଜ କରିଦେଇଛନ୍ତି।

୩୦ତାରିଖ ଦିନ ତରବରିଆ ଭାବେ ମୁଖ୍ୟମନ୍ତ୍ରୀ ବିଜେପୁର ପ୍ୟାକେଜ ଘୋଷଣା କରିବା ପରେ ଏବେ ମନେ କରାଯାଉଛି ଯେ, ସେ ବିଜେପୁର ଆସନ ଛାଡ଼ିବାକୁ ଯାଉଛନ୍ତି। ସେଠାରେ ଆଉ ଏକ ଉପନିର୍ବାଚନ ହେବାକୁ ଯାଉଛି। ସେଥିପାଇଁ ୨୦୧୭ ଅକ୍ଟୋବରରେ ବିଜେପୁର ପ୍ୟାକେଜ ପରି ନବୀନ ଆଉ ଏକ ପ୍ୟାକେଜ ଘୋଷଣା କରିଛନ୍ତି।

୨୦୧୭ ଅକ୍ଟୋବରରେ ନବୀନ ବିଜେପୁର ଉପନିର୍ବାଚନକୁ ଆଖିରେ ରଖି ଏକ ପ୍ୟାକେଜ ଘୋଷଣା କରିଥିଲେ। ସେତେବେଳକୁ ନିର୍ବାଚନ ତାରିଖ ଘୋଷଣା ହୋଇ ନଥିଲା। କିନ୍ତୁ ଉପନିର୍ବାଚନ ପାଇଁ ବିଜେଡି ଏବଂ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିଲେ। ଦିବଂଗତ ବିଧାୟକ ସୁବଳ ସାହୁଙ୍କ ବିଧବା ପତ୍ନୀ ରୀତା ସାହୁଙ୍କୁ କଂଗ୍ରେସରୁ ଆଣି ବିଜେଡି ପ୍ରାର୍ଥୀ କରିଥିବା ବେଳେ ବିଜେଡିର ଅସନ୍ତୁଷ୍ଟ ନେତା ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ କରିଥିଲା।

୨ବର୍ଷ ତଳେ ମରୁଡ଼ି ପ୍ୟାକେଜ ଘୋଷଣା ଆଳରେ ବିଜେପୁର ପାଇଁ ଉପହାର ପ୍ରତିଶ୍ରୁତି ଦେଇଥିଲେ ନବୀନ। ଗଙ୍ଗାଧର ମେହେରଙ୍କ ନାମରେ ୧୨୪୬ କୋଟି ଟଙ୍କାର ଉଠା ପାଇପ କେନାଲ ସେଚ ଯୋଜନା ଘୋଷଣା ହୋଇଥିଲା। ବିଜେପୁରକୁ ମରୁଡ଼ି ପୀଡ଼ିତ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ସେଥିପାଇଁ ଚାଷୀମାନଙ୍କୁ ଅର୍ଥ ବ୍ୟବସ୍ଥା କରାଯାଇଥିଲା। ବିଜେପୁରକୁ ଏନଏସି କରାଯିବ, ସେଠାରେ ସବ ରେଜିଷ୍ଟ୍ରାର ଅଫିସ ଖୋଲାଯିବ, ପାର୍ବତୀ ଗିରି ସେଚ ପ୍ରକଳ୍ପ ଯୋଜନାରେ ବିଜେପୁରରେ ଅଚଳ ଏଲଆଇ ପଏଣ୍ଟକୁ ତୁରନ୍ତ ସଚଳ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗଙ୍ଗାଧର ମେହେର ପାଇପ ସେଚ ଯୋଜନା ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିଲା ନାହିଁ। ବିଜେପୁର ପ୍ୟାକେଜ ଉପନିର୍ବାଚନରେ ବିଜୁ ଜନତା ଦଳକୁ ବିରାଟ ଫାଇଦା ଦେଇଥିଲା। ଏହାର ପ୍ରାର୍ଥୀ ରୀତା ସାହୁ ରେକର୍ଡ଼ ଭୋଟ ବ୍ୟବଧାନରେ ଜିତିଥିଲେ।

କିନ୍ତୁ ଗତ ବିଧାନସଭା ନିର୍ବାଚନରେ ରୀତାଙ୍କୁ ଆଉ ପ୍ରାର୍ଥୀ କରାଗଲା ନାହିଁ। ନିଜେ ମୁଖ୍ୟମନ୍ତ୍ରୀ ବିଜେପୁରକୁ ଦ୍ୱିତୀୟ ନିର୍ବାଚନମଣ୍ଡଳୀ ଭାବେ ବାଛିଥିଲେ। ଏହି ଆସନ ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଭଲ ଭୋଟ ବ୍ୟବଧାନରେ ନବୀନ ବିଜୟୀ ହୋଇଛନ୍ତି।

ଯେଉଁ ଉଦ୍ଦେଶ୍ୟ ରଖି ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ ନବୀନ, ତାହା ବିଧାନସଭା କ୍ଷେତ୍ରରେ ସଫଳ ହୋଇଥିଲା। ବରଗଡ଼ ଲୋକସଭା ଆସନରୁ ୭ଟିଯାକ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଜିତିଛନ୍ତି। କିନ୍ତୁ ଲୋକସଭା ଆସନଟି ବିଜେପି ହାତକୁ ଯିବା ଦ୍ୱାରା ନବୀନଙ୍କ ୨୧ରୁ ୨୧ ଯୋଜନା ବରଗଡ଼ରୁ ହିଁ ଫେଲ ମାରିଥିଲା।

ତେବେ ସେ ଯାହାହେଉ ନା କାହିଁକି ଏବେ ପୁଣି ବିଜେପୁର ପାଇଁ ଆଉ ଏକ ପ୍ୟାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଉପନିର୍ବାଚନ ସମ୍ଭାବନା ବଢ଼ିଯାଇଛି। ବିଜେପୁରରେ ୩୪ ହଜାର ମାଟି ଘର ଅଛି ବୋଲି ମୁଖ୍ୟମନ୍ତ୍ରୀ ଅବଶ୍ୟ ସ୍ୱୀକାର କରିଛନ୍ତି। ନିର୍ବାଚନ ଆଗରୁ ସମସ୍ତେ ପକ୍କାଘର ପାଇ ଖୁସିରେ ଅଛନ୍ତି ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ବିଜେପୁରରେ ସମସ୍ତଙ୍କୁ ପକ୍କାଘର ଯୋଗାଇ ଦିଆଯିବ ବୋଲି ନୂଆ ପ୍ୟାକେଜରେ ଘୋଷଣା କରିଛନ୍ତି।

ଦୁଇଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହେବ। ୩ ହଜାର ବୋରେୱଲ ବସିବ। ଚାଷୀଙ୍କ ପାଇଁ ପୃଥକ ବିଦ୍ୟୁତ ଲାଇନ ଟଣାଯିବ। ବିଜେପୁର ଓ ବରପାଲି ଏନଏସି ପାଇଁ ୪୦କୋଟି ଟଙ୍କା ଲେଖାଏଁ ମିଳିବ। ବିଜେପୁରରେ ସରକାରୀ ଆଇଟିଆଇ ଖୋଲାଯିବ।

ଗାଈସିଲଟ ଓ ବରପାଲିରେ ଦୁଇଟି ଦକ୍ଷତା ବିକାଶ କେନ୍ଦ୍ର ଖୋଲିବ। ରାସ୍ତାଘାଟର ଉନ୍ନତି ପାଇଁ ଖର୍ଚ୍ଚ ହେବ ୮୨ କୋଟି ଟଙ୍କା। ମୋଟାମୋଟି ୧୩୩୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ଦୁଇମାସରେ ଏହାର ସମୀକ୍ଷା କରାଯିବବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

୨୦୧୭ରେ ବିଜେପୁର ପ୍ୟାକେଜର ଅଗ୍ରଗତିର ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି କି ନାହିଁ, ସେ ନିଜେ ଜାଣନ୍ତି। ଗଙ୍ଗାଧର ମେହେର ପାଇପ ସେଚ ଯୋଜନା ବାବଦରେ ସମୀକ୍ଷା ହୋଇଛି କି ନାହିଁ, ତାହା ମଧ୍ୟ ସେ କହୁନାହାଁନ୍ତି। କିନ୍ତୁ ଦୁଇ ଦୁଇ ଥର ଗୋଟିଏ ନିର୍ବାଚନମଣ୍ଡଳୀ ପାଇଁ ପ୍ୟାକେଜ ଘୋଷଣା କରି ମୁଖ୍ୟମନ୍ତ୍ରୀ ପରୋକ୍ଷରେ ସ୍ୱୀକାର କରିଛନ୍ତି ଯେ, ସେଠାରେ ହଜାର ହଜାର ଲୋକଙ୍କର ପକ୍କାଘର ନାହିଁ। ପାନୀୟ ଜଳର ସୁବିଧା ୧୯ ବର୍ଷ ଭିତରେ ସରକାର କରିପାରି ନାହାନ୍ତି। ରାସ୍ତାଘାଟର ଉନ୍ନତି ହୋଇ ନାହିଁ। କୃଷିକୁ ସେଚ ସୁବିଧା ଯୋଗାଇ ଦେଇପାରି ନାହାନ୍ତି।

ତେବେ ଏହି ନୂଆ ପ୍ୟାକେଜରୁ ଉପନିର୍ବାଚନର ଗନ୍ଧ ବାରିହୋଇ ପଡ଼ୁଛି। ଏହା ମଧ୍ୟ ମନେକରାଯାଉଛି ଯେ, ହିଞ୍ଜିଳିକୁ ପାଖରେ ରଖି ନବୀନ ବିଜେପୁର ଛାଡ଼ିବାକୁ ଯାଉଛନ୍ତି। ନହେଲେ ଦୁଇବର୍ଷ ଅନ୍ତରାଳରେ ଆଉ ଏକ ପ୍ୟାକେଜର ନିହାତି ଆବଶ୍ୟକତା କାହିଁକି ଅନୁଭବ କରିଥାନ୍ତେ ନବୀନ?

ଯଦି ନବୀନ ବିଜେପୁର ଛାଡ଼ନ୍ତି, ତେବେ ପୁଣି କ’ଣ ରୀତା କାହାର ଅଧୁରା ସ୍ୱପ୍ନ ପୂରଣ ପାଇଁ ପ୍ରାର୍ଥୀ ହେବେ କି? ନବୀନଙ୍କ ନିଷ୍ପତ୍ତି ଘୋଷଣା ପରେ ଏହା ଉପରେ ହୁଏତ ଅଧିକ ତର୍ଜମା ଆରମ୍ଭ ହୋଇଯିବ।

Leave a Reply

Your email address will not be published. Required fields are marked *