ପୁରୀ ପାଇଁ ସ୍ଵପ୍ନ: ୭ ପ୍ରକଳ୍ପର ଶିଳାନ୍ୟାସ

ପୁରୀ, (ଓଟି): ବିଶ୍ଵ ଐତିହ୍ୟ ସହର ଭାବେ ପୁରୀକୁ ଗଢ଼ି ତୋଳିବା ଲାଗି ରାଜ୍ୟ ସରକାର ଦେଖିଥିବା ପ୍ରକଳ୍ପଗୁଡ଼ିକୁ ବାସ୍ତବ ରୂପ ଦେବାର କାର୍ଯ୍ୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।  ଏହି ୭ ପ୍ରକଳ୍ପ ଭିତରେ ରହିଛି  ଶ୍ରୀସେତୁ, ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମୁଖ୍ୟ ଚିକିତ୍ସାଳୟ ନିକଟ ଜେଲ ରୋଡ୍ ବହୁତଳ କାର ପାର୍କିଂ, ବଡ଼ଦାଣ୍ଡ ମ୍ୟୁନିସିପାଲିଟି ପାର୍କିଂ ପୁନଃବିକାଶ,  ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରେ ସ୍ବର୍ଗଦ୍ବାରର ଉନ୍ନତୀକରଣ ସହ ଅନ୍ୟାନ୍ୟ ପାଣ୍ଠିରେ ବେଳାଭୂମି ଭେଣ୍ଡିଂଜୋନ୍‌, ମଧ୍ୟାହ୍ନ ଭୋଜନ ଓ ଆହାରର ସେଣ୍ଟ୍ରାଲ କିଚେନ ପ୍ରଭୃତି। ଏସବୁ  ପ୍ରକଳ୍ପ ଲାଗି୫୨୩ କୋଟି ଟଙ୍କା ଖର୍ଚ ହେବ ବୋଲି ଆକଳନ କରାଯାଇଛି। 

ଅଭିନବ ଭାବରେ ଏହିସବୁ ପ୍ରକଳ୍ପ ଲାଗି ଶିଳାନ୍ୟାସ କରାଯାଇଛି । ଶ୍ରୀ ଜଗନ୍ନାଥଙ୍କୁ ଏସବୁ ଉତ୍ସର୍ଗ କରି ମୁଖ୍ୟମନ୍ତ୍ରୀ ଅଖଣ୍ଡ ଦୀପ ଦାନ କରିଛନ୍ତି। ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ବଡ଼ଦାଣ୍ଡରେ ବସି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ସୌନ୍ଦର୍ଯ୍ୟୀକରଣର ନକ୍ସା ଦେଖିଛନ୍ତି।

୨୦୧୯ ଅକ୍ଟୋବରରେ ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ପରେ ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ବିକାଶ କାର୍ଯ୍ୟର ଘୋଷଣା କରିଥିଲେ। ଏଥିପାଇଁ ଅବଢ଼ା ଯୋଜନାରେ ୩ ହଜାର ୨୦୮ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ତିନି ବର୍ଷ ଭିତରେ ଏହି ବିକାଶ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୭୧୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୪୦୨ କୋଟି ଓ ୨୦୨୧-୨୨ ଆର୍ଥିକ ବର୍ଷରେ ୧୦୮୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। ଶ୍ରୀକ୍ଷେତ୍ରର ବିକାଶକ୍ରମରେ ଆଜି ପୂର୍ବ ଘୋଷିତ ୭ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ସେଥିମଧ୍ୟରୁ, ୨.୩ କିଲୋମିଟରର ମେଗା ଶ୍ରୀସେତୁ ପ୍ରକଳ୍ପ ପାଇଁ ୧୮୧ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରକୁ ବିଶ୍ବସ୍ତରୀୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ୬ ମହଲା ବିଶିଷ୍ଟ ଏହି କେନ୍ଦ୍ର ପାଇଁ ୧୯୦ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିଭଳି, ଜେଲ୍‌ ରୋଡରେ ବହୁତଳ ପାର୍କିଂ ଗୃହ ନିର୍ମାଣ ପାଇଁ ୯୦.୨୨ କୋଟି, ବଡ଼ଦାଣ୍ଡକୁ ଲାଗି ରହିଥିବା ମ୍ୟୁନିସିପାଲିଟି ମାର୍କେଟକୁ ଅତ୍ୟାଧୁନିକ ମାର୍କେଟ୍ ଭାବେ ଗଢ଼ିତୋଳିବା ପାଇଁ ୪୪.୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସ୍ବର୍ଗଦ୍ବାରର ଉନ୍ନୟନ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ କରାଯାଉଛି। ଯେଉଁଠି ଅତ୍ୟାଧୁନିକ ସୁବିଧା ସହ ଶବଦାହ ପାଇଁ ଦୁଇଟି ଇଲେକ୍ଟ୍ରିକ୍ ହିଟର ଲଗାଇବାକୁ ଯୋଜନା କରାଯାଇଛି। ଏ ବାବଦକୁ ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି। ବେଳାଭୂମି ଭେଣ୍ଡିଂ ଜୋନ୍ ପାଇଁ ୧୨ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published.