କାମ ଦେଉନି ବିକାଶ ଓ କାଳିଆ : ଚିନ୍ତାରେ ନବୀନ

ସାଂସଦ ଓ ବିଧାୟକ ପ୍ରାର୍ଥୀ ଲୋକଙ୍କ ପ୍ରଶ୍ନବାଣରେ ବିଚଳିତ

ଚଳିତ ନିର୍ବାଚନରେ କାଳିଆ ଯୋଜନାରୁ ବହୁ ଫାଇଦା ମିଳିବ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଆଶା କରିଥିଲେ ତାହା ଫସର ଫାଟିବାକୁ ଯାଉଛି। ନବୀନଙ୍କର କୌଣସି ମନଲୋଭା ଯୋଜନାକୁ ଲୋକମାନେ ଆଉ ପସନ୍ଦ ନ କରି ନିଜ ଅଞ୍ଚଳର ବିକାଶ ଓ ଯୁବକମାନଙ୍କୁ ନିଯୁକ୍ତି କଥା ଉଠାଉଛନ୍ତି। ଏହି ପ୍ରସଙ୍ଗରେ ତଥା କଥିତ ପଛୁଆ ଅଞ୍ଚଳ କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ,ବ୍ରହ୍ମଗିରି ଅଞ୍ଚଳରେ ଲୋକମାନେ ପୁଷ୍ପେନ୍ଦ୍ର ସିଂହଦେଓ, ଟକୁକୁନି ସାହୁ, ନିରଞ୍ଜନ ପୂଜାରୀ, ପଦ୍ମନାଭ ବେହେରା, ସଂଜୟ ଦାସବର୍ମା ଆଦି ବିଧାୟକମାନଙ୍କୁ ଘେରି ବିକାଶର ଉତ୍ତର ମାଗୁଛନ୍ତି। ନବୀନ ସରକାର ଉପରେ ଏହି ଲୋକମାନଙ୍କର ରାଗ ଏତେ ଯେ ସେମାନେ ବିଧାୟକମାନଙ୍କୁ ଘେରି ରଖିବା ପରେ ପୁଲିସ‍୍‌ ସେମାନଙ୍କୁ ଉଦ୍ଧାର କରିଛି। ଲୋକମାନଙ୍କର ଏପରି ଚିନ୍ତାଧାରା ଦେଖି ମୁଖ୍ୟମନ୍ତ୍ରୀ ନବୀନ ବିଚଳିତ ହୋଇପଡ଼ୁଥିବା ଲକ୍ଷ୍ୟ କରାଯାଉଛି।

ମନ୍ତ୍ରୀ ନିରଞ୍ଜନ ପୂଜାରୀ ଭୋଟରଙ୍କ ବିରୋଧର ସମ୍ମୁଖୀନ 

ସୋନପୁରର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପୁଣି ଭୋଟରଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ତରଭା ବ୍ଲକ୍‌ ଅନ୍ତର୍ଗତ କୁଟାସିରା ଗାଁରେ ଏକ ସଭାରେ ଭୋଟରମାନେ ନିରଞ୍ଜନଙ୍କୁ ବିରୋଧ କରୁଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଛି। ନିରଞ୍ଜନ କୁଟାସିରା ଗାଁକୁ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ। ହେଲେ ମିଛ ବିକାଶର ଡିଣ୍ଡିମ ପିଟୁଥିବା ମନ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଗାଁ ସମସ୍ୟା ନେଇ ନାନା ପ୍ରଶ୍ନ କରିଥିଲେ। ଏଥିରେ ବ୍ୟତିବ୍ୟସ୍ତ ହୋଇ ମନ୍ତ୍ରୀ ମିଟିଂ ବନ୍ଦ କରିଦେବା କି ବୋଲି ପ୍ରଶ୍ନ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ଗତ ୪ ତାରିଖରେ ଡୁଙ୍ଗୁରିପାଲିର କର୍ଲାଜୁରୀରେ ସଭା କରୁଥିବାବେଳେ ମନ୍ତ୍ରୀଙ୍କୁ ଭୋଟର୍ ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମନ୍ତ୍ରୀ ଭୋଟରଙ୍କୁ ଧମକାଉଥିବା ଭିଡିଓ ଭାଇରାଲ୍ ହୋଇଥିଲା।

ଭୋଟରଙ୍କ ପ୍ରଶ୍ନବାଣରେ ପୁଷ୍ପେନ୍ଦ୍ରଙ୍କ ପାଟି ଚୁପ୍‌

ଗତ ୭ ତାରିଖରେ କୋକସରା କାଉଡଲା ଗାଁରେ ପୁଷ୍ପେନ୍ଦ୍ର ପ୍ରଚାର କରୁଥିବା ବେଳେ ଲୋକମାନେ ତାଙ୍କୁ ବିରୋଧ କରୁଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନ ଥିବା ନେଇ ଲୋକମାନେ ଏଥିରେ ପୁଷ୍ପେନ୍ଦ୍ରଙ୍କୁ ପ୍ରଶ୍ନ କରୁଛନ୍ତି। କାଉଡ଼ଲା ଗାଁରେ ଦୀର୍ଘ ବର୍ଷ ହେଲା ପାଣି ଓ ରାସ୍ତା ସମସ୍ୟା ଲାଗି ରହିଛି। ଏସବୁର ସମାଧାନ ପାଇଁ ଗାଁ ଲୋକେ ବାରମ୍ବାର ଦାବି କରିଛନ୍ତି। ହେଲେ ଆଜି ଯାଏ ସମସ୍ୟାର ସମାଧାନ ହୋଇପାରିନି। କେବଳ ଭୋଟ୍ ବେଳେ ନେତାଏ ଆସନ୍ତି ଓ ପ୍ରତିଶ୍ରୁତି ଦେଇ ଚାଲି ଯାଆନ୍ତି। ସେଥିପାଇଁ ଗାଁ ଲୋକେ ପୁଷ୍ପେନ୍ଦ୍ରଙ୍କୁ ଘେରିଥିଲେ। ଲୋକଙ୍କ ପ୍ରଶ୍ନ ବାଣରେ ସେ ହଡ଼ବଡ଼େଇ ଯାଉଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।

ବେଣ୍ଟପୁର ପଞ୍ଚାୟତରେ ବିଧାୟକ ସଂଜୟ ଦାସବର୍ମାଙ୍କୁ ମହିଳାଙ୍କ ବିରୋଧ

ବିଧାୟକ ସଂଜୟ ଦାସବର୍ମାଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀ ବ୍ରହ୍ମଗିରିରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ସେ ଏକ ଶୋଭାଯାତ୍ରାରେ ଯାଉଥିଲା ବେଳେ ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବାକୁ ହୋଇଛି । ତାଙ୍କ ନିର୍ବାଚନମଣ୍ଡଳୀର ବେଣ୍ଟପୁର ପଞ୍ଚାୟତର ବିଜିପୁର ଗ୍ରାମରେ ପହଞ୍ଚିଲା ପରେ ସ୍ଥାନୀୟ ମହିଳାମାନେ ତାଙ୍କୁ ବିରୋଧ କରିଥିଲା ଓ ତାଙ୍କ ଗାଡ଼ିକୁ ଅଟକାଇଥିଲେ । ସେମାନଙ୍କର ରୋଷ ହେଉଛି ଚିଟଫଣ୍ଡ ଅର୍ଥ ଫେରି ନ ପାଇବା । ମହିଳାମାନେ ଘେରିଯାଇ ତାଙ୍କୁ ପ୍ରଶ୍ନ କରିଥିଲେ କେବେ ଚିଟଫଣ୍ଡ ଅର୍ଥ ମିଳିବ । ପରିସ୍ଥିତି ଏପରି ହୋଇଥିଲା ଯେ, ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ସଂଜୟଙ୍କ ସହ ଯାଇଥିବା କିଛି ବିଜେଡି କର୍ମୀ ସ୍ୱଭାବିକ ଭାବେ ବିରୋଧ କରିବାରୁ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇ ଗଣ୍ଡଗୋଳ ଦେଖାଦେଇଥିଲା । କିଛି ମହିଳା ଆହତ ହୋଇଥିବା କଥା କୁହାଯାଉଛି ।

ବିଜେଡି ବିଧାୟକ ଟୁକୁନି ସାହୁଙ୍କୁ ଉଦ୍ଧାର କଲା ପୁଲିସ୍

ଭୋଟ୍ ଦିନ ଯେତିକି ପାଖେଇ ଆସୁଛି ଟିଟିଲାଗଡ଼ର ବିଜେଡି ବିଧାୟକ ଟୁକୁନି ସାହୁଙ୍କ ପ୍ରତି ଭୋଟରଙ୍କ ଅସନ୍ତୋଷ ସେତିକି ବଢୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ତାଙ୍କୁ ଭୋଟର ବିରୋଧ କରୁଥିବା ଦେଖାଯାଉଛି। ଟିଟିଲାଗଡ଼ର ଶିଭ୍ରଟାପଡ଼ା ପରେ ୧୪ ନମ୍ବର ୱାର୍ଡରେ ତାଙ୍କୁ ଭୋଟରଙ୍କ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥର ବି ବିଜେଡି ଟିକେଟ୍‌ରେ ପ୍ରାର୍ଥୀ ହୋଇଥିବା ଟୁକୁନି ସାହୁ ଆଜି ଟିଟିଲାଗଡ଼ର ୧୪ ନମ୍ବର ୱାର୍ଡକୁ ପ୍ରଚାର କରିବାକୁ ଯାଇଥିଲେ। ତେବେ ସେଠାରେ ତାଙ୍କୁ ସ୍ଥାନୀୟ ଲୋକେ ଘେରି ଯାଇଥିଲେ। ଗଲା ୫ ବର୍ଷରେ ସେମାନଙ୍କ ଅଞ୍ଚଳରେ କୌଣସି ବିକାଶ ହୋଇନି ବୋଲି ସେମାନେ ଅଭିଯୋଗ କରିଥିଲେ। ‘ବିଜେଡି ଗୋ ବ୍ୟାକ୍‌’, ‘ଟୁକୁନି ସାହୁ ମୁର୍ଦ୍ଦାବାଦ୍‌’ କହି ସେମାନେ ନାରାବାଜି ବି କରିଥିଲେ। ଲୋକେ ଟୁକୁନି ସାହୁଙ୍କୁ ୫ ବର୍ଷର ହିସାବ ମାଗି ଏକ ପ୍ରକାର ଅଟକ ରଖି ଦେଇଥିଲେ। ପରିସ୍ଥିତି ଏମିତି ହେଲା ଯେ ଶେଷରେ ପୁଲିସ୍ ଆସି ବିଧାୟକଙ୍କୁ ଉଦ୍ଧାର କରିଥିଲା।

ବିଧାୟକ ପଦ୍ମନାଭ ବେହେରାଙ୍କୁ ଜବାବ ମାଗିଲେ ଭୋଟର

ନିରଞ୍ଜନ ପୂଜାରୀ, ପୁଷ୍ପେନ୍ଦ୍ର ସିଂହଦେଓ ଓ ଟୁକୁନି ସାହୁଙ୍କ ପରେ ଶାସକ ବିଜେଡିର ଆଉ ଜଣେ ବିଧାୟକ ଭୋଟ୍ ମାଗିବାକୁ ଯାଇ ହଟହଟା ହୋଇଛନ୍ତି। ସେ ହେଉଛନ୍ତି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା। ଆଜି ଶ୍ରୀ ବେହେରା ନିର୍ବାଚନ ପ୍ରଚାର କରିବାକୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ଚରଦା ପଞ୍ଚାୟତର ଫୁଲମୁଠି ଗାଁକୁ ଯାଇଥିଲେ। ତେବେ ଭୋଟରମାନେ ତାଙ୍କୁ ଚୌକିଯୋର କଥା ଉଠାଇ ଘେରି ଯାଇଥିଲେ। ଗାଁ ଲୋକେ ଅଭିଯୋଗ କରିଥିଲେ ଯେ ଚୌକିଯୋର ଚେକ୍ ଡ୍ୟାମ୍‌ ଶୁଖିଲା ପଡ଼ିଛି। ଶହ ଶହ ପମ୍ପ ବି ଅଚଳ ହୋଇଯାଇଛି। ପାଣି ଅଭାବରୁ ହଜାର ହଜାର ଏକର ଚାଷ ଜମି ଫାଟି ଆଁ କଲାଣି। ଏସବୁ ସମସ୍ୟା ସଂପର୍କରେ ବାରମ୍ବାର କୁହାଯାଇଥିଲେ ବି କେହି ଶୁଣୁନାହାନ୍ତି।

Leave a Reply

Your email address will not be published.