ରଥଯାତ୍ରା ପୂର୍ବରୁ ବଳଦେବଜୀଙ୍କ ମନ୍ଦିରର ନବକଳେବର: ମୁଖ୍ୟମନ୍ତ୍ରୀ ଦେଲେ ୮.୫ କୋଟି
ଭୁବନେଶ୍ଵର, (ଓଟି): କଥା ରଖିଲେ ମୁଖ୍ୟମନ୍ତ୍ରୀ। ଅର୍ଥାତ୍ କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିର ତଥା ତୁଳସୀକ୍ଷେତ୍ରର ବିକାଶ ପାଇଁ ସରକାର ପ୍ରତିଶୃତି ମୁତାବକ ଅର୍ଥ ମଞ୍ଜର କରିଛନ୍ତି। ବିଗତ ସ୍ନାନପୂଣ୍ଣମୀରେ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ପରିଦର୍ଶନରେ ଆସି ମନ୍ଦିରର ବିକାଶ ଓ ଆଲୋକୀକରଣ ପାଇଁ ଏକ ପ୍ୟାକେଜ୍ ଘୋଷଣ କରିଥିଲେ। ଜୁଲାଇମାସର ଏହି ପ୍ରତିଶ୍ରୁତି ଏବେ ବାସ୍ତବ ହେବାକୁ ଯାଉଛି। ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ଦେଇଥିବା ପ୍ରତିଶୃତି ନିର୍ବାଚନ ନଈର ସ୍ରୋତ ନହୋଇ ଫଳବତୀ ହେବାକୁ ଯାଉଛି।
ମୁଖ୍ୟମନ୍ତ୍ରୀଙ୍କ ମଞ୍ଜରୀ ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ୮.୫ କୋଟି ଟଙ୍କା ମଞ୍ଜର କରାଯାଇଛି। ଏହି ଟଙ୍କାରେ ମନ୍ଦର ଏବଂ ଏହାର ଚତୁଃପାର୍ଶ୍ବ ଆଲୋକୀକରଣ କରାଯିବ। ବଡ଼ଦାଣ୍ଡର ବିକାଶ ହେବା ସହ ସହରର କୌଣସି ଏକ ସ୍ଥାନରେ ଆଧ୍ୟାତ୍ମିକ ପାର୍କ ସ୍ଥାପନ କରାଯିବ। ମନ୍ଦିର ପାଖ ବଳଦେବଜୀଉ ଐତିହ୍ୟ ପୁଷ୍କରିଣୀକୁ ପୁନରୁଦ୍ଧାର କରାଯାଇ ଆକର୍ଷଣୀୟ କରାଯିବ।
ସବୁଠାରୁ ବଡ଼ କଥା ହେଲା ଏହି ସମସ୍ତ କାର୍ଯ୍ୟ ଆସନ୍ତା ଜୁଲାଇ ତଥା ରଥାଯାତ୍ରା ସୁଦ୍ଧା ଶେଷ ହେବ ସେଥିପ୍ରତି ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ବାବୁମାନଙ୍କୁ ନିର୍ଦେଶ ଦେଇଛନ୍ତି।











