ନିରାଡମ୍ୱରଭାବେ ନବୀନଙ୍କ ପ୍ରାର୍ଥୀପତ୍ର ଦାଖଲ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳୀ ବିଧାନସଭା ପାଇଁ ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଦିନ ୧୧: ୧୦ ମିନିଟ୍ ସମୟରେ ଶ୍ରୀ ପଟ୍ଟନାୟକ ଛତ୍ରପୁରସ୍ଥିତ ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ୍ ଅଫିସର୍ଙ୍କ ନିକଟରେ ୪ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ରଗୁଡ଼ିକର ପ୍ରସ୍ତାବକ ଅଛନ୍ତି ସୁରେନ୍ଦ୍ର ପ୍ରଧାନ, ଶରତଚନ୍ଦ୍ର ପାତ୍ର, ସାରସ ସ୍ୱାଇଁ ଓ ବୈଜୟନ୍ତୀମାଳା ପଟ୍ଟନାୟକ।
ସକାଳ ୯: ୩୦ ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରସ୍ଥିତ ନବୀନ ନିବାସରୁ ବାହାରି ହେଲିକପ୍ଟର୍ ଯୋଗେ ଆସି ରାୟପୁର ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରିଥିଲେ। ସେଠାରୁ ସେ ତାରାତାରିଣୀ ମନ୍ଦିରକୁ ଯାଇ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ପରେ ହେଲିକାପ୍ଟର୍ ଯୋଗେ ଯାତ୍ରା କରି ଛତ୍ରପୁର ଷ୍ଟାଡିୟମ୍ରେ ଓହ୍ଲାଇ ଥିଲେ। ଗଞ୍ଜାମ ଜିଲ୍ଲାର ସମସ୍ତ ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ନବୀନ ପଟ୍ଟନାୟକ ଛତ୍ରପୁରରେ ପହଞ୍ଚିବା ପୂର୍ବରୁ ଦଳୀୟ ନେତା ତଥା ସାଂସଦ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ, ପ୍ରମିଳା ବିଶୋଇ, ବିଧାୟକ ପ୍ରାର୍ଥୀ ବିକ୍ରମପଣ୍ଡା, ବିଧାୟକ ପଅଦୀପ ପାଣିଗ୍ରାହୀ, ଡ଼ା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ବିକ୍ରମ ଆରୁଖ ସେମାନଙ୍କ ସହିତ ଯୋଗଦେଇଥିଲେ।
ନାମାଙ୍କନ ପତ୍ର ଦାଖଲ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥର ବିଜେଡି ପ୍ରଚୁର ଆସନରେ ଜିତିବ। ସେ ଖୁବ୍ଶୀଘ୍ର ବିଜେପୁର ଆସନ ପାଇଁ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ମଧ୍ୟ କହିଥିଲେ।