‘ହୋସ୍ଲା’ରେ ଓଡ଼ିଶା ଚାମ୍ପିଅନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଟି): ଜାତୀୟସ୍ତର ପ୍ରତିଯୋଗିତା ହୋସ୍ଲା-୨୦୧୯ରେ ଓଡ଼ିଶା ଚାମ୍ପିଅନ୍ ହୋଇଛି । ଏଥିସହ ଓଡ଼ିଆ ପିଲାମାନେ ଅନନ୍ୟ ପ୍ରତିଭା ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ସାଉଁଟିଛନ୍ତି । ୧୪ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ହାସଲ କରି ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ଏଥିରେ ବିଶେଷ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦକ୍ଷ ତଥା କୃତୀ ପିଲାମାନଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଦେଶର ବିଭିନ୍ନ ଶିଶୁ ଯତ୍ନ ଗୃହ ( ଚାଇଲ୍ଡ କେଆର୍ ଇନ୍ଷ୍ଟିଚ୍ୟୁସନ୍)ର ଅନ୍ତେବାସୀଙ୍କ ମଧ୍ୟରେ ଜାତୀୟ ପ୍ରତିଯୋଗିତା ହୋସ୍ଲା-୨୦୧୯ ଗତ ଡିସେମ୍ବରରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ପିଲାମାନେ ଉକ୍ରର୍ଷତା ପ୍ରତିପାଦନ କରି ୩୦ଟି ପଦକ ଅର୍ଜନ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ସଫଳ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ । ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରଞ୍ଜିତା ପାତ୍ରଙ୍କୁ ଦେଢ଼ଲକ୍ଷ ଟଙ୍କା, ନନ୍ଦିତା ନାୟକଙ୍କୁ ଲକ୍ଷେ କୋଡ଼ିଏ ହଜାର, ଅର୍ଚ୍ଚିତା ଗୁପ୍ତାଙ୍କୁ ୯୫ ହଜାର, ପ୍ରସାଦ ଗମାଙ୍ଗଙ୍କୁ ୮୫ ହଜାର ଓ ବିରାମ ହେମ୍ବ୍ରମଙ୍କୁ ୭୫ ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।