ମୋଦିଙ୍କ ‘ଡବଲ୍‌ ଇଞ୍ଜିନ୍‌’ ଫେଲ୍‌ ମାରିଛି: ନବୀନ

କଡ଼ା ଭାଷାରେ ମୋଦିଙ୍କ ‘ଡବଲ୍‌ ଇଞ୍ଜିନ୍‌’ ଚିନ୍ତାକୁ ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି, ମଧ୍‌ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ପଞ୍ଜାବରେ ଡବଲ୍‌ ଇଞ୍ଜିନ୍‌ ସରକାର ଥିଲା। କିନ୍ତୁ ତାହାର ଲୋକେ ସୁଫଳ ପାଇଲେ ନାହିଁ। ଏଣୁ ଯେତେବେଳେ ମୌକା ମିଳିଲା ସେତେବେଳେ ରାଜ୍ୟ ସରକାରଙ୍କୁ ବଦଳାଇଦେଲେ। ଯେଉଁ ଗୁଜରାଟ ମଡେଲ୍‌କୁ ନେଇ ମୋଦି ସାରା ଦେଶରେ ପ୍ରଚାର କଲେ, ତାହା ଖୋଦ୍‌ ଗୁଜରାଟରେ ବିଫଳ ହୋଇଗଲା। ୨୦୧୭ ମସିହାରେ ସେଠାରେ ବିଜେପି ହାରୁ ହାରୁ ବଞ୍ଚିଗଲା। ଏଥର ସାରା ଦେଶରେ ବିଜେପି ହାରୁଛି ବୋଲି କହିଛନ୍ତି ନବୀନ।

ଗଲା ୫ ବର୍ଷ ଭିତରେ ମୋଦି ସରକାର ଲୋକଙ୍କ ଆସ୍ଥା ହରାଇଛି ବୋଲି ସେ କହିଛନ୍ତି। ବିମୁଦ୍ରାକରଣ, ଜିଏସ୍‌ଟି, ନିଯୁକ୍ତି ପ୍ରସଙ୍ଗରେ ବିଜେପିର ନୀତିକୁ ସେ ସମାଲୋଚନା କରିଛନ୍ତି। ଚାଷୀ, ଯୁବକ, ବ୍ୟବସାୟୀ ସମସ୍ତେ ହତାଶ ହୋଇଛନ୍ତି ବୋଲି କହିବା ସହ କଥାରେ ଦେଶ ନିର୍ମାଣ ହୁଏ ନାହିଁ ବୋଲି କହିଛନ୍ତି ନବୀନ।

କାଳିଆ ଯୋଜନାକୁ କେନ୍ଦ୍ରର ବିଜେପି ସରକାର ବନ୍ଦ କରିବା ଲାଗି ଚକ୍ରାନ୍ତ କରୁଥିବା ନବୀନ କହିଛନ୍ତି। ଏଯାଏ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ‘ମୁଁ ଥିବା ଯାଏ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ’ ବୋଲି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave a Reply

Your email address will not be published.