ତୃଣମୂଳସ୍ତରରେ ବଢ଼ୁଛି ଦୁର୍ନୀତି: ପଞ୍ଚାୟତିରାଜ ଓ ଜଳସେଚନ ବିଭାଗ ଆଗୁଆ
ଭୁବନେଶ୍ଵର, (ଓଟି): ରାଜ୍ୟ ଶାସନର ତୃଣମୂଳ ସ୍ତରରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ବିଶେଷକରି ପଞ୍ଚାୟତିରାଜ ଓ ଜଳସେଚନ ବିଭାଗରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ବିରୋଧୀଦଳଙ୍କ ପକ୍ଷରୁ ଏଥିନେଇ ହେଉଥିବା କ୍ରମାଗତ ଯୁକ୍ତିର ବାସ୍ତବ ଚିତ୍ର ଏବେ ସାମ୍ନାକୁ ଆସିଛି।
ଜଳସମ୍ପଦରେ ସର୍ବାଧିକ
ସରକାର ବି ଏହି ଦୁର୍ନୀତିକୁ ପରୋକ୍ଷରେ ସ୍ଵୀକାର କରିଛନ୍ତି। ଏହିକ୍ରମରେ ୧୫ଜଣ ଅଧିକାରୀ ଓ ୨ଜଣ ପୂର୍ବତନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୫ ଅଧିକାରୀଙ୍କ ଭିତରୁ ୬ ଜଣ ହେଉଛନ୍ତି ଜଳସମ୍ପଦ ବିଭାଗର ତୃଣମୂଳସ୍ତରର ଅଧିକାରୀ। ଏଥିରେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ଅନ୍ତର୍ଭୁକ୍ତ। ଏ ସମସ୍ତଙକ୍ ନାଁରେ ଭିଜିଲାନ୍ସ ମାମଲା ରହିଥିଲା। ଏଣୁ ସେମାନଙ୍କ ଉପରେ ପୂର୍ବରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଆଜି ପ୍ରକାଶିତ ବିଜ୍ଞପ୍ତିରେ ଏମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ଏହି ୬ ଜଣଙ୍କ ସହ ବିଭାଗରୁ ଅବସର ନେଇଥିବା ଦୁଇଜଣ ଅଧିକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ବନ୍ଦ କରି ସେମାନଙ୍କ ପେନ୍ସନ୍ ବନ୍ଦ କରିଛନ୍ତି।
ପଞ୍ଚାୟତିରାଜ ବିଭାଗର ୫ ଅଧିକାରୀ
ଜଳସମ୍ପଦ ବିଭାଗ ପରେ ତୃଣମୂଳ ଦୁର୍ନୀତିର ଶୀର୍ଷରେ ରହିଛି ପଞ୍ଚାୟତିରାଜ ବିଭାଗ। ଏହିକ୍ରମରେ ୫ ଜଣ ଅଧିକାରୀଙ୍କୁ ସରକାର ଚାକିରିରୁ ବହିଷ୍କାର କରିଛନ୍ତି। ଏମାନଙ୍କ ସହ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜଣେ, ପରିବହନ ଓ ବାଣିଜ୍ୟ ବିଭାଗର ଜଣେ ଓ ନଗର ଉନ୍ନୟନ ବିଭାଗର ଜଣେ ତୃଣମୂଳ କର୍ମଚାରୀଙ୍କୁ ସରକାର ବହିଷ୍କାର କରିଥିବା ଦର୍ଶାଇଛନ୍ତି।
ଦୁର୍ନୀତି ବିରୋଧୀ ଆଭିମୁଖ୍ୟ
ଭିଜିଲାନ୍ସର ସୁପାରିସିକୁ କାର୍ଯ୍ୟ କରି ସରକାର ନିଜର ଦୁର୍ନୀତି ଆଭିମୁଖ୍ୟକୁ ସ୍ପଷ୍ଟ କରିଥିବା ଦର୍ଶାଇଛନ୍ତି। ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତାକୁ କାର୍ଯ୍ୟକରିବାକୁ ଯାଇ ସରକାର ଏହି ପଦକ୍ଷେପ ନେଇଛନ୍ତି।
କେଉଁମାନେ ହୋଇଛନ୍ତି ବହିଷ୍କୃତ
ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ବାଣିଜ୍ୟ ଓ ପରିବହନ ବିଭାଗର ବୌଦ୍ଧ ଜିଲ୍ଲା ଆଇଏମ୍ଭି ଦେବୀ ପ୍ରସାଦ ମିଶ୍ର, ସମବାୟ ବିଭାଗର ସୁବଣ୍ଣପୁର ଜିଲ୍ଲା ଡୁଙ୍ଗୁରୁପାଲି ସମବାୟ ସମିତିର ପୂର୍ବତନ ସମ୍ପାଦକ ଦେବଦତ୍ତ ଦାଶ, ପୂର୍ବତନ ଗୃହ ଓ ନଗର ଉନ୍ନୟନ ବିଭାଗ ଉମରକୋଟ ଅକ୍ଟ୍ରାଇ ଟିକସ ସରକାର ପୂର୍ବତନ କାଳିପ୍ରସାଦ ସିଂହ, ପଞ୍ଚାୟତିରାଜ ବିଭାଗର ଭଦ୍ରକ-ଧାମନଗର ତହସିଲର ପୂର୍ବତନ କିରାଣୀ ବଟକୃଷ୍ଣ ବାରିକ, କଳାହାଣ୍ଡି ଏମ୍ ରାମପୁର ବ୍ଲକ୍ର ପୂର୍ବତନ ଭିଏଲ୍ଡବ୍ଲୁ କୃଷ୍ଣମୋହନ ଦାସ. କେସିଙ୍ଗା ବ୍ଲକର ପୂର୍ବତନ ସମ୍ପାଦକ ଅଶୋକ କୁମାର ସାହା, ଜୁନାଗଡ଼ ପଞ୍ଚାୟତ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମମୁଖ ଶବର, ବୌଦ୍ଧ ଜିଲ୍ଲା ମୁର୍ସୁଣ୍ଡି ଗ୍ରାମ ପଞ୍ଚାୟତର ପୂର୍ବତନ ସମ୍ପାଦକ କିଶୋରଚନ୍ଦ୍ର ପ୍ରଧାନ, ଜଳସମ୍ପଦ ବିଭାଗର ଖୋର୍ଦ୍ଧା ଜିଲ୍ଲା ବାଣପୁର ସାଳିଆ ଜଳସେଚନ ପ୍ରକଳ୍ପର ପୂର୍ବତନ ସହକାରୀ ଯନ୍ତ୍ରୀ ବିଜୟ କୁମାର ସାହୁ, ଭବାନୀପାଟଣା ଆଇଟିଡିଏପୂର୍ବତନ କନିଷ୍ଠ ଯନ୍ତ୍ରୀ କରୁଣାକର ପଣ୍ଡା, ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ପୂର୍ବତନ କନିଷ୍ଠଯନ୍ତ୍ରୀ ମଙ୍ଗଳ ସିଂହ ମୁଣ୍ଡା, ପୂର୍ବତନ ସହକାରୀ ଯନ୍ତ୍ରୀ ବୈଦ୍ୟନାଥ ମାଝି, ସାରସକଣା ବ୍ଲକ୍ର ପୂର୍ବତନ କନିଷ୍ଠ ଯନ୍ତ୍ରୀ ପ୍ରତାପଚନ୍ଦ୍ର ରାଉତ, କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଆଇଟିଡିଏର ପୂର୍ବତନ କନିଷ୍ଠ ଯନ୍ତ୍ରୀ ନିଗମାନନ୍ଦ ପଣ୍ଡା, ସ୍ଵସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ବିଏମ୍ସି ସ୍ଵାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ନିରଞ୍ଜନ ଲାଲ।
କାହାର ହୋଇଛି ପେନ୍ସନ୍ ବନ୍ଦ
ସେହିପରି ପେନ୍ସନ୍ ବନ୍ଦ ହୋଇଥିବା ଦୁଇଜଣ ଅଧିକାରୀ ହେଲେ ଜଳସମ୍ପଦ ବିଭାଗର କଳାହାଣ୍ଡି ଆଇଟିଡିଏର ଅବସରପ୍ରାପ୍ତ ସହକାରୀଯନ୍ତ୍ରୀ ଅଶ୍ଵିନୀ କୁମାର ଶର୍ମା ଓ କଳାହାଣ୍ଡି ଡିଆର୍ଡିଏର ଅବସରପ୍ରାପ୍ତ ଏପିଡି ଶଶାଙ୍କ ଶେଖର ପଟ୍ଟନାୟକ।