#Corona: ରାଜ୍ୟରେ ବଦଳୁଛି ନବୀନ-ଧର୍ମେନ୍ଦ୍ର ସମୀକରଣ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟରେ ଗଲା କିଛିଦିନ ହେଲା ରାଜନୀତିକ ସମୀକରଣରେ ଏକ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି। ଯେଉଁମାନଙ୍କ ଭିତରେ ଅହି-ନକୂଳ ସମ୍ପର୍କ ଥିଲା ତାହା ହଠାତ୍ ବାଘ- ହରିଣ ବନ୍ଧୁତା ଭଳି ଅନୁଭୂତ ହେଉଛି। ଇତିହାସ ଏହା କହୁଛି ଯେ, ଶତ୍ରୁ ସହ ଦୁଇଟି ପରିସ୍ଥିତିରେ ସନ୍ଧି କରାଯାଇଥାଏ। ସେଥିରୁ ଗୋଟିଏ ସୁାଯାଗ ହେଉଛି ଜଣା ବିପତ୍ତି ଆଉ ଗୋଟିଏ ଅଜଣା ବିନାଶ। କିନ୍ତୁ ଉଭୟ ସୁଯୋଗ ବା ଦୁର୍ଯୋଗରେ ଏହି ପ୍ରକୃତି ଓ ସମ୍ବିଧାନ ବିରୋଧୀ ବନ୍ଧୁତା ପରସ୍ପର ପାଇଁ କ୍ଷତିକାରକ ହୋଇ ଶେଷରେ ପର ପିଢ଼ିଙ୍କ ଲାଗି ବିନାଶ ହିଁ ଆଣିଥାଏ।
ଓଡ଼ିଶା ରାଜନୀତିରେ ଯେଉଁ ରାଜନୀତିକ ସମୀକରଣ କଥା ଉଲ୍ଲେଖ କରାଯାଉଛି ସେଥିରେ ବିପତ୍ତି ବି ଅଜଣା ଆଉ ବିନାଶ ବି ଅଜ୍ଞାତ। କିନ୍ତୁ ବିପତ୍ତିକୁ ଜାଣିବାର ଯେଉଁ ବାହାନା କରାଯାଉଛି ତାହା ହେଲା ଏକ ମହାମାରୀ। ଯାହା କରୋନା ଭୁତାଣୁ ରୋଗ ( କୋଭିଡ୍-୧୯) ନାଁରେ ପରିଚିତ। ଏ ରୋଗ କ’ଣ, ତାହାର ପ୍ରଭାବ କ’ଣ, କେଉଁଠୁ ଆସିଲା ସେଥିଲାଗି ବିଶ୍ଵ ଏବେ ଅସ୍ଥିର ହୋଇ ଖୋଜୁଛି। ଆସନ୍ତା ଦିନରେ ଏହି ଭୁତାଣୁ ରୋଗର ପ୍ରଭାବ ରାଜନୀତି ଉପରେ କ’ଣ ପଡ଼ିବ ତାହା ବି ଏଯାଏ କେହି ଆକଳନ କରିପାରି ନାହାନ୍ତି କିନ୍ତୁ ରାଜ୍ୟରେ ପରସ୍ପରର ବିରୋଧୀ ଦଳ ଭୂମିକା ନିର୍ବାହ କରିବା ପାଇଁ ଲୋକ ସମର୍ଥନ ପାଇଥିବା ବିଜେପି ଓ ବିଜେଡି ଏକ ମଞ୍ଚରେ ଉଭା ହୋଇଛନ୍ତି।
ବିଷୟ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିତରେ ଥିବା କେମିଷ୍ଟ୍ରୀର ପରିବର୍ତ୍ତନ। ମେଣ୍ଟ ଛାଡ଼ିବା ପରେ ଯେଉଁ ନିର୍ବାଚନ ଗୁଡ଼ିକରେ ଉଭୟ ସାମ୍ନାକୁ ଆସିଛନ୍ତି, ସେଠାରେ କେବେ କେହି କାହାକୁ ସମର୍ଥନ କରୁଥିବା ଜଣାଯାଇ ନାହିଁ। ଗଳି ରାସ୍ତା ହେଉ ବା ସିଧା ଭାବେ ଉଭୟଙ୍କ ସମର୍ଥକମାନେ ପରସ୍ପରର ଗୋଇ ଖୋଳିଥାଆନ୍ତି। ହେଲେ ଆଜି ସେ ସମୀକରଣ ବଦଳିଛି। ଅବଶ୍ୟ ଉପର ମୁଣ୍ଡରେ ଏ ପରିବର୍ତ୍ତନ ଏତେ ବ୍ୟାପକ ହୋଇଥିବା ଦେଖି ଉଭୟ ଦଳର ତଳ ମୁଣ୍ଡିଆ ନେତାମାନେ ଆଶଙ୍କିତ ହୋଇଛନ୍ତି କିନ୍ତୁ ନିଜର ପଦବୀ ବଞ୍ଚାଇବା ଲାଗି ନୀରବ ରହିବାକୁ ବାଧ୍ୟ ମଣିଛନ୍ତି।
ବିଜେପି ହେଉଛି ରାଜ୍ୟର ପ୍ରମୁଖ ବିରୋଧୀ ଦଳ। ଏ ଦଳରେ ଓଡ଼ିଶାର ନେତୃତ୍ଵ ନେଉଛନ୍ତି ସମୀର ମହାନ୍ତି। ସାମ୍ବିଧାନିକ ଭାବେ ବିଧାନସଭାରେ ଦଳର ନେତା ହେଉଛନ୍ତି ପ୍ରଦୀପ ନାୟକ। କିନ୍ତୁ ପ୍ରଚ୍ଛଦପଟ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ହିଁ ହେଉଛନ୍ତି ରାଜ୍ୟ ବିଜେପିର ମୁଖ୍ୟ ନାୟକ। ଧର୍ମେନ୍ଦ୍ର ଯଦିଓ ଓଡ଼ିଆ କିନ୍ତୁ ଓଡ଼ିଶା ଲୋକଙ୍କ ଦ୍ଵାରା ସେ ନିର୍ବାଚିତ ହୋଇ ଏବେ/କେବେ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇ ନାହାନ୍ତି। ଶେଷଥର ପାଇଁ ୨୦୦୪ରେ ସେ ଲୋକସଭାକୁ ଦେବଗଡ଼ ଆସନରୁ ନିର୍ବାଚିତ ହୋଇଥିଲେ। ଏହାପରେ ପ୍ରତ୍ୟକ୍ଷ ନିର୍ବାଚନରେ ସେ ପରାଜୟ ମୁହଁ ହିଁ ଦେଖି ଆସୁଛନ୍ତି। ଯଦିଓ ସେ ଗଲା ଦୁଇଥର ହେଲା ରାଜ୍ୟସଭା ସାଂସଦ ପଦ ପାଉଛନ୍ତି କିନ୍ତୁ ସେଥିଲାଗି ତାଙ୍କୁ ଅନ୍ୟ ରାଜ୍ୟରୁ ମନୋନୀତ କରାଯାଉଛି। ଏଥିରୁ ଅନୁମାନ କରିବା ସହଜ ଯେ, ସେ କେତେ ପ୍ରଭାବଶାଳୀ। କେନ୍ଦ୍ରରେ ବିଜେପି ନେତାଙ୍କ ସହ ତାଙ୍କର ଯଥେଷ୍ଟ ଭଲ ସମ୍ପର୍କ ଥିବାରୁ ଓଡ଼ିଶାର ଲୋକେ ତାଙ୍କୁ ପ୍ରତ୍ୟକ୍ଷ ଭାବେ ପ୍ରତ୍ୟାଖ୍ୟାନ କଲେ ବି ସେ ଅନ୍ୟ ରାଜ୍ୟରୁ ବାରମ୍ବାର ରାଜ୍ୟସଭାକୁ ମନୋନୀତ ହୋଇ ପେଟ୍ରୋଲିୟମ୍ ଓ ପ୍ରାକୃତି ବାଷ୍ପ ପରି ମନ୍ତ୍ରଣାଳୟ ଅକ୍ତିଆର କରିବାରେ ସକ୍ଷମ ହୋଇପାରୁଛନ୍ତି।
ଅପରପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡିର ଏକକ ନେତୃତ୍ଵ କେନ୍ଦ୍ରସ୍ଥଳୀ ଭାବେ ୧୯୯୭ରୁ ରହି ଆସିଛନ୍ତି। ୨୦୦୦ ମସିହାରୁ ଲଗାତାର ନିର୍ବାଚିତ ହୋଇ ସେ ମୁଖ୍ୟମନ୍ତ୍ରୀ ବି ହେଉଛନ୍ତି। ପୁଣି ପ୍ରତି ନିର୍ବାଚନରେ ତାଙ୍କ ହାତ ମୁଠାକୁ ଅଧିକ ଶକ୍ତ କରୁଛନ୍ତି ଓଡ଼ିଶାର ଜନତା। ଏହି ଦଳରେ ନେତା କେବଳ ନାଁକୁ ମାତ୍ର, କେବଳ ନବୀନଙ୍କ ନାଁରେ ହିଁ ବିଜେଡି ନିର୍ବାଚନ ଜିତେ ଆଉ ସେ ନାଁ ପରିହାର କରିଲେ ନେତାଙ୍କ ପରାଜୟ ହୁଏ; ଏହା ଅନେକ ସ୍ଥାନରେ ପରୀକ୍ଷିତ। ଏଦଳକୁ ନେତା ନୁହଁନ୍ତି ରାଜ୍ୟର କିଛି ଅମଲାତନ୍ତ୍ରୀ ପରିଚାଳନା କରନ୍ତି ବୋଲି କୁହାଯାଏ। ଏ ଶାସନକୁ ‘ଅପାରଗ’, ‘ଅଯୋଗ୍ୟ’ ଦୁର୍ନୀତିଗ୍ରସ୍ତ’ ‘ପ୍ରଚାରସର୍ବସ୍ଵ’ ଭଳି ଅନେକ ଶବ୍ଦରେ ବିଜେପି, ଲୋକଙ୍କ ମୁଣ୍ଡରେ ଭର୍ତ୍ତି କରିବାକୁ ଚେଷ୍ଟା କରିଛି କିନ୍ତୁ କେବେ ସଫଳ ହୋଇ ନାହିଁ।
ଏବେ ବିପର୍ଯ୍ୟୟ କଥା। ଓଡ଼ିଶାରେ ନବୀନଙ୍କ ସରକାର ଗୋଟିଏ ମହାବିପର୍ଯ୍ୟୟ ପରେ ହିଁ ନିଅଁ ରଖିଥିଲା। ଏହାଥିଲା ୧୯୯୯ ମହାବାତ୍ୟା। ଏହାପରେ ରାଜ୍ୟ ଅନେକ ଝଡ଼, ତୋଫାନ, ବନ୍ୟା, ମରୁଡ଼ି ସମ୍ମୁଖୀନ ହୋଇଛି। ଫାଇଲିନ୍, ହୁଡ୍ହୁଡ଼୍, ଫୋନି, ଅନେକ ସ୍ଥାନରେ ବନ୍ୟା, ମରୁଡ଼ି, ଚାଷୀ ଆତ୍ମହତ୍ୟା ପ୍ରଭୃତି। ହେଲେ କେବେ ବିଜେପି ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମକୁ ସମର୍ଥନ କରି ନାହିଁ। ବରଂ ବିପର୍ଯ୍ୟୟ ପରିଚାଳନାକୁ ଭୁଲ୍ ଦର୍ଶାଇ ଲୋକଙ୍କ ସାମ୍ନାକୁ ଆସିବାକୁ ଚାହିଁଛି। ଗତବର୍ଷ ଓଡ଼ିଶା ଭୋଗିଥିବା ଫୋନି ମହାବାତ୍ୟା ସଦ୍ୟ ଉଦାହରଣ ଭାବେ ଉପସ୍ଥାପନ କରାଯାଇପାରେ।
କିନ୍ତୁ ‘କରୋନା’ ପ୍ରଥମ ବିପତ୍ତି ଯେଉଁଠାରେ ଏହି ଦୁଇ ଦଳର ଦୁଇ ପ୍ରମୁଖ ପରସ୍ପର ବିରୋଧୀ ନେତା ଏକାଠି ହୋଇଛନ୍ତି। ଅବଶ୍ୟ ଅତୀତରେ ଧର୍ମେନ୍ଦ୍ର ନବୀନଙ୍କ ପ୍ରଶଂସା କରିଥିଲେ କିନ୍ତୁ ଏକାଠି କାମ କରିବା ଲାଗି କେବେ ଆଗେଇ ଆସିବାର ନଜୀର ଆମ ପାଖରେ ନାହିଁ। ହେଲେ ଏବେ ନବୀନଙ୍କ ପ୍ରତି ପଦକ୍ଷେପକୁ ଧର୍ମେନ୍ଦ୍ର ପ୍ରଶଂସା କରୁଛନ୍ତି। ପୁଣି ନବୀନ ଏବେ ଧର୍ମେନ୍ଦ୍ରଙ୍କୁ ଛାଡ଼ି ଜାତୀୟ ବ୍ୟାପାରରେ ପାଦ ଦେଉ ନାହାନ୍ତି। ବିଜେପି ହେଉ ବା କଂଗ୍ରେସ ଶାସିତ ଭାରତର ଅନ୍ୟ ରାଜ୍ୟମାନଙ୍କ ସହ ଆଲୋଚନା କରିବା ଏବଂ ସେଠାରେ ଥିବା ଶ୍ରମିକଙ୍କୁ ଆଣିବା ଲାଗି ଆଲୋଚନା କରିବା ସମୟରେ ଧର୍ମେନ୍ଦ୍ର ଉପସ୍ଥିତ ରହୁଛନ୍ତି। ରାଜ୍ୟରେ କୋଭିଡ୍ ହସ୍ପିଟାଲ୍ ନିର୍ମାଣ ଉଦ୍ଘାଟନ ସମୟରେ ଉଭୟଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି। ରାଜ୍ୟରେ ଧାର୍ମିକ ବ୍ୟାପାରରେ ବି ସେ ଏକ କେନ୍ଦ୍ରବିନ୍ଦୁ। ସବୁଠାରୁ ବଡ଼ କଥା ହେଲା ବିଜୁ ଜନତାଦଳ ରାଜନୀତିକ ସ୍ତରରେ ଯେଉଁ ପ୍ରେସ୍ ବିଜ୍ଞପ୍ତି ଜାରି କରେ ସେଥିରେ ଧର୍ମେନ୍ଦ୍ରଙ୍କୁ କେବେ ପ୍ରଶ୍ରୟ ଦିଏ ନାହି, ହେଲେ ଏବେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।
ଖାଲି ସେତିକି ନୁହେଁ ଧର୍ମେନ୍ଦ୍ରଙ୍କ ଅନୁରୋଧ ରକ୍ଷା କରି ମାସ୍କ ପିନ୍ଧୁ ନଥିବା ମୁଖ୍ୟମନ୍ତ୍ରୀ ନିଜ ମୁହଁରେ ମାସ୍କ ବି ଲଗାଉଥିବା ନଜରକୁ ଆସିଛି।
ପ୍ରଶ୍ନ ଉଠୁଛି ଧର୍ମେନ୍ଦ୍ର କେନ୍ଦ୍ର ଶ୍ରମ ବ୍ୟାପାର ସହ ସମ୍ପୃକ୍ତ ନୁହନ୍ତି କି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସହ। ତେବେ ନବୀନ ତାଙ୍କୁ ସବୁଥିରେ କାହିଁକି ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରୁଛନ୍ତି ବା ସୁଯୋଗ ଦେଉଛନ୍ତି?
ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ସିଧାସଳଖ ପ୍ରଧାନମନ୍ତ୍ରୀମାନଙ୍କ ସହ ରାଜ୍ୟ ବିଷୟରେ ଆଲୋଚନା କରୁଥିବା ଜଣାଯାଇଛି। ଏବେ ତାହା କାହିଁକି ହେଉ ନାହିଁ?
ଅତୀତରେ କେବେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ସମୟରେ କେବେ କୌଣସି କେନ୍ଦ୍ରମନ୍ତ୍ରୀଙ୍କୁ ସୁଯୋଗ ମିଳୁ ନଥିଲା, ଏବେ ତାହା କାହିଁକି?
ଖାଲି ଜାତୀୟ ବ୍ୟାପାର ନୁହେଁ, ରାଜ୍ୟ ବ୍ୟାପରରେ ବି ଧର୍ମେନ୍ଦ୍ରଙ୍କୁ ରାଜ୍ୟ ପ୍ରଶାସନ ପରୋକ୍ଷରେ ହସ୍ତାକ୍ଷେପ ପାଇଁ ସୁଯୋଗ ଦେଉଛି। ରଥଯାତ୍ରା ହେଉ ବା ପୁରୀର ସୌନ୍ଦର୍ଯ୍ୟକରଣ ଯୋଜନା ସବୁଥିରେ ଧର୍ମେନ୍ଦ୍ର ଲୋଡ଼ାଯାଇଥିବା ଦେଖା ଯାଇଛି। ପୁରୀରୁ ସାଂସଦ ଆସନ ପାଇଁ ଲଢ଼ି ବିଜେଡିର ପୁରୁଣା ଗଡ଼କୁ ଚ୍ୟାଲେଞ୍ଜ ଦେଇଥିବା ସମ୍ବିତ ପାତ୍ର କେବେ ପୁରୀ ବାବଦରେ ମୁହଁ ଖୋଲୁ ନାହାନ୍ତି, ହେଲେ ଧର୍ମେନ୍ଦ୍ର ସବୁଥିରେ ଲୋଡ଼ା ଯାଉଛନ୍ତି କାହିଁକି?
ଲୋକଙ୍କ ମନରେ ଏ ଭାବନା ସୃଷ୍ଟି ହେବା ସ୍ଵଭାବିକ ଯେ, ପରସ୍ପର ବିରୋଧୀ ଏକାଠି ହେଲେ ବିକାଶ କାମ ଆଗକୁ ବଢ଼ିବା ସହଜ ହେବ। କିନ୍ତୁ ଏହି ଦର୍ଶନରେ ବିଶ୍ଵାସ କରୁଥିବା ବିଜ୍ଞମାନେ ଜାଣିବା ଦରକାର ଯେ, ଭାରତୀୟ ରାଜନୀତିକ ଗଣିତ, ପାରଦର୍ଶିତା ‘ଚେକ୍ ଆଣ୍ଡ ବାଲାନ୍ସ‘ ଦର୍ଶନରେ ଆଧାରିତ। ଅର୍ଥାତ୍ ଏଠାରେ ବିରୋଧୀ ଦଳ ସରକାରଙ୍କୁ ବିରୋଧ ନକଲେ ସରକାରୀ ଦଳ ଏବଂ ନେତା ଏକଚ୍ଛତ୍ରବାଦୀ ହେବା ଆଶଙ୍କା ରହିଛି ଓ ପ୍ରମାଣିତ ହୋଇଛି। ପୁଣି ଓଡ଼ିଶାରେ ଗୋଟିଏ ନିର୍ଦିଷ୍ଟ ଦଳ ଦୀର୍ଘ ଦୁଇ ଦଶନ୍ଧି ଧରି ଶାସନ କରୁଥିବାରୁ ଏହି ଆଶଙ୍କା ଯଥେଷ୍ଟ ରହିଛି। ସେ ଏକଚ୍ଛତ୍ରବାଦୀ ବୋଲି ଅଭିଯୋଗ କରୁଥିବା ନେତା ଯଦି ତାଙ୍କ ସହ ଦୋସ୍ତି/ବନ୍ଧୁତା କରେ ତେବେ ତାଙ୍କର ସେହି ଗୁଣର ବିକାଶ ହେବାକୁ ଆହୁରି ସୁଯୋଗ ମିଳିବ। ଅର୍ଥାତ୍ ଦେଶ ତଥା ରାଜ୍ୟର ବିକାଶ ଲାଗି ରାଜନୀତିକ ବିରୋଧ, ସମାଲୋଚନା ଏକ ନିହାତି ଆବଶ୍ୟକ ଯୁକ୍ତି।
କିନ୍ତୁ ତାହା ହେଉ ନାହିଁ। ଅର୍ଥାତ୍ ବାଘ-ହରିଣ ସହ ବନ୍ଧୁତା କରୁଛି, ଯେଉଁଠାରେ ବିପତ୍ତି ଅଜଣା। ଯଦି ବାସ୍ତବରେ ତାହା ହେଉଥାଏ ତେବେ ଏହା ପରୋକ୍ଷରେ ପ୍ରମାଣିତ କରୁଛି ଯେ, ତାହା ବିନାଶ ପାଇଁ ବାଟ ଖୋଲୁଛି, ନୁହେଁକି?