ବିପର୍ଯ୍ୟୟ ପୀଡ଼ିତ ରାଜ୍ୟଙ୍କୁ ‘ସ୍ଵତନ୍ତ୍ର ଧ୍ୟାନ କେନ୍ଦ୍ରୀତ ରାଜ୍ୟ’ ମାନ୍ୟତା ପାଇଁ ଦାବି କଲେ ନବୀନ

ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ଛାଡ଼ି ନଥିବା ବିଜେଡି ନେତୃତ୍ଵାଧୀନ ରାଜ୍ୟ ସରକାର ଓଡ଼ିଶାର ବିକାଶ ପାଇଁ ଆଉ ଏକ ନୂଆ ଦାବି କେନ୍ଦ୍ର ଆଗରେ ଉପସ୍ଥାପନ କରିଛି। ଏହା ହେଉଛି ‘ସ୍ଵତନ୍ତ୍ର ଧ୍ୟାନ କେନ୍ଦ୍ରୀତ ରାଜ୍ୟ’ ମାନ୍ୟତା। ଏହା କେବଳ ଓଡ଼ିଶା ନୁହେଁ ବରଂ ଦେଶର ବିଭିନ୍ନ ସମୟରେ ବିପର୍ଯ୍ୟୟରେ ପୀଡ଼ିତ ହେଉଥିବା ରାଜ୍ୟଗୁଡ଼ିକର ପନରୁଦ୍ଧାର ଲାଗି ଉଦ୍ଦିଷ୍ଟ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ଅବସରରେ ଜଣାଇଛନ୍ତି।

ସେ କହିଛନ୍ତି, ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହେଉଥିବା ରାଜ୍ୟଗୁଡ଼ିକ ଲାଗି ‘ସ୍ଵତନ୍ତ୍ର ଧ୍ୟାନ କେନ୍ଦ୍ରୀତ ରାଜ୍ୟ’ ଯୋଜନା ରୂପାୟନ ହେଉ। ଏହାଦ୍ଵାରା ଏକ ନିର୍ଦିଷ୍ଟ ସମୟ ଲାଗି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ବଳରେ ରାଜ୍ୟଗୁଡ଼ିକୁ ଯେଉଁ ସୁବିଧା ପୂର୍ବରୁ ମିଳୁଥିଲା ସେହି ସୁବିଧା ଯୋଗାଇ ଦିଆଯାଉ । ଏହାଦ୍ଵାରା ଭିତ୍ତିଭୂମି ଓ ଜୀବନଣୈଳୀର ପୁନରୁଦ୍ଧାର ହୋଇପାରିବ। ଏହା ଯେ କେବଳ ‘ଓଡ଼ିଶା’ ପାଇଁ ଉପଯୋଗୀ ହେବ ତାହା ନୁହେଁ; ବରଂ ସମୟର ଚକ୍ରରେ ଯେଉଁ ରାଜ୍ୟ ପ୍ରକୃତିର କରାଳ ଭିତରେ ପ୍ରବେଶ କରୁଛି ସେଗୁଡ଼ିକୁ ଏହି ଯୋଜନା ସୁଫଳ ପହଞ୍ଚାଇବ’।

ପ୍ରକୃତିକ ବିପର୍ଯ୍ୟୟ ଏକ କାରଣ ହେଉ

ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ବିଚାରରେ ପ୍ରାକୃତିକ ବିପର୍ଯ୍ୟୟ ଏକ କାରଣ ଭାବେ ଉଲ୍ଲେଖ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଏହାହେଲେ ଓଡ଼ିଶା ନିଶ୍ଚିତଭାବେ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପରିଧିଭୁକ୍ତ ହେବ। ବାରମ୍ବାର ବିପର୍ଯ୍ୟୟରେ କ୍ଷତିଗଅସ୍ତ ହେଉଥିବା ରାଜ୍ୟ ପାଇଁ ଏହା ଅତ୍ୟାବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ ଅନୁଭବ କରିଛନ୍ତି। ଏହିକ୍ରମରେ ସେ କହିଛନ୍ତି, ‘ ୧୯୦୦ରୁ ୨୦୧୯ ଭିତରେ ଏମିତି କୌଣସି ବର୍ଷ ନାହିଁ ଯେଉଁ ବଷଁ ରାଜ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନାହିଁ। କେଉଁ ବର୍ଷ ମରୁଡ଼ି ତ କେଉଁବର୍ଷ ବଢ଼ି ଆଉ କେଉଁବର୍ଷ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିଛି। ପୁଣି ଏହି ବର୍ଷଗୁଡ଼ିକ ଭିତରେ ଭାରତର ପୂର୍ବତଟ ଯେଉଁସବୁ ବାତ୍ୟାର ସମ୍ମୁଖୀନ ହୋଇଛି ସେଥିରୁ ୩୫ ପ୍ରତିଶତକୁ ପ୍ରତ୍ୟକ୍ଷ ଭାବେ ସମ୍ମୁଖୀନ ହୋଇଛି’।

ଯଦି ଏହି କାରଣକୁ କେନ୍ଦ୍ର ସରକାର ମାନନ୍ତି ତେବେ ଓଡ଼ିଶା ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପରିଧିଭୁକ୍ତ ହେବ। ଏହାଦ୍ଵାରା ରାଜ୍ୟରେ ସମନ୍ବିତ ବିକାଶ ଆଗକୁ ନିରନ୍ତର ଭାବେ ବଢ଼ି ଚାଲିବ। ସେ ଆହୁରି କହିଛନ୍ତି ଯେ, ରାଜ୍ୟକୁ ୯୦:୧୦ ଅନୁପାତରେ କେନ୍ଦ୍ରୀୟ ସହାୟତା ଦିଆଯାଉ।

୫ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ

ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ବାସ ଯୋଗାଇବା ଲାଗି ୫ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯେଗାଇବା ଲାଗି ମୁଖ୍ୟମନ୍ତ୍ରୀ ଜଣାଇଥିବା ଦାବିକୁ ପୁଣିଥରେ ଦୋହରାଇଛନ୍ତି। ୯୦:୧୦ ଅନୁପାତରେ ଏହି ଆବାସ ଯୋଗାଇ ଦିଆଗଲେ ଅନେକେ ଉପକୃତ ହେବେ। ସ୍ଥାୟୀ ଅପେକ୍ଷା ତାଲିକା ଏହାଦ୍ଵାରା ଉଠାଇନେବାକୁ ଅନୁରୋଧ କରାଯାଇଛି।

୯୩୩୬ କୋଟିର କ୍ଷୟକ୍ଷତି

ଫୋନି ବାତ୍ୟାରେ ରାଜ୍ୟର ୯୩୩୬ କୋଟି ଟଙ୍କାର ଭିତ୍ତିଭୂମି ତଥା ଧନ ଜୀବନ ହାନୀ ହୋଇଛି। ଏ ବାବଦରେ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ତତ୍‌କ୍ଷଣାତ୍‌ ୫୨୨୮ କୋଟି ଟଙ୍କାର ସହାୟତା ଜାତୀୟ ବିପଦ କାଳୀନ ସହାୟତା ପାଣ୍ଠିରୁ ଯୋଗାଇବା ଲାଗି ସରକାର ଅନୁରୋଧ କରିଛନ୍ତି। ଏହାବାଦ୍‌ ସାଧାରଣ ଭିତ୍ତିଭୂମିର ଯେଉଁ ପୁନଃ ନିର୍ମାଣ ହେବ ତାହା ବି ରାଜ୍ୟ ବିପର୍ଯ୍ୟୟ ପାଣ୍ଠି ବା ଜାତୀୟ ବିପର୍ଯ୍ୟୟ ପାଣ୍ଠି ଅନ୍ତର୍ଭୁକ୍ତ କରିବା ଲାଗି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published.