ପୁରୀ ପାଇଁ କ୍ଷତିପୂରଣ ପ୍ୟାକେଜ୍: ଘର ପାଇଁ ଏକକାଳୀନ ୩୦ ଲକ୍ଷ
ଭୁବନେଶ୍ଵର, (ଓଟି): ପୁରୀରେ ପ୍ରସ୍ତାବିତ ସୁରକ୍ଷା ଜୋନ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ପୁନର୍ବାସ ଓ ପୁନଃଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ଅନୁସାରେ ଗୋଟିଏ ପରିବାରକୁ ଏକକାଳୀନ ୩୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି।
ଯଦି ସେ ତାହା ଗ୍ରହଣ ନକରିବେ ତେବେ ତାଙ୍କୁ ସୁରକ୍ଷା ଜୋନ୍ର ଦେଢ଼ କିଲୋମିଟର ପରିଧି ଅଞ୍ଚଳରେ ୫୨୦ ବର୍ଗଫୁଟର ପରିମିତ ଘର ବା ୨ କିଲୋମିଟର ଅଞ୍ଚଳ ପରିଧିରେ ୧୦୦୦ ବର୍ଗଫୁଟର ଜାଗା ଯୋଗାଇ ଦିଆଯିବ। ଏହାବାଦ୍ ଘର ବା ବାସୋପଯୋଗୀ ଜମି ନମିଳିବା ଯାଏ ସମ୍ପୃକ୍ତ ପରିବାରଙ୍କୁ ଭଡ଼ା ଘରେ ରହିବା ଲାଗି ମାସିକ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ ମଧ୍ୟ ବ୍ୟବସ୍ଥା ହୋଇଛି। ପୁଣି ସେମାନଙ୍କ ଜିନିଷ ସ୍ଥାନାନ୍ତର ପାଇଁ ୫୦ ହଜାର ଟଙ୍କା ନଗଦ ଦେବାକୁ ସ୍ଥିର ହୋଇଛି। ଯଦି ବିସ୍ଥାପନ ବିଜ୍ଞପ୍ତି ପ୍ରକାଶନର ୩୦ ଦିନ ଭିତରେ ଏହି ପ୍ୟାକେଜ୍କୁ ଗ୍ରହଣ କରି କୌଣସି ବ୍ୟକ୍ତି, ପରିବାର ଜାଗା ଛାଡ଼ି ସରକାରଙ୍କ ହାତରେ ଦିଅନ୍ତି ତେବେ ତାଙ୍କୁ ୧୦ ପ୍ରତିଶତ ଅଧିକ ଅର୍ଥ ସହାୟତା ଦେବାର ବ୍ୟବସ୍ଥା ହୋଇଛି ।
ଦୋକାନ ଘର
ସୁରକ୍ଷା ଅଞ୍ଚଳରୁ ବିସ୍ଥାପିତ ହେଉଥିବା ପ୍ରତିଟି ଦୋକାନଘରକୁ ସରକାର ପୁଣିଥରେ ଥଇଥାନ କରିବେ। କିନ୍ତୁ ଏହି ଥଇଥାନ ହେବା ଯାଏ ସମ୍ପୃକ୍ତଦୋକାନୀମାନଙ୍କ ଆଗରେ ଦୁଇଟି ବିକଳ୍ପ ଉପଲବ୍ଧ ହେବ। ଗୋଟିଏ ହେଉଛି ମାସିକ ଭଡ଼ା ଆକାରରେ ସହାୟତା ଏବଂ ଅନ୍ୟଟି ହେଉଛି ଜିଲ୍ଲାପାଳଙ୍କ ସହାୟତାରେ ବିଭିନ୍ନ ମାର୍କେଟ କମ୍ପେ୍ଲକ୍ସରେ ଦୋକାନଘର।
ଯେଉଁମାନେ ମାସିକ ଭଡ଼ା ପାଇଁ ଚାହିଁ ସେମାନଙ୍କ ଲାଗି ଥିଥାନ ହେବା ଯାଏ ୫ ହଜାରରୁ ୧୫ ହଜାର ଟଙ୍କା ଲେଖାଏ ପ୍ରଦାନ ବ୍ୟବସ୍ଥା କରାଯାଇଛି। ୨୦୦ ବର୍ଗଫୁଟ ଦୋକାନୀଙ୍କୁ ୫ ହଜାର, ୨୦୦ରୁ ୫୦୦ ବର୍ଗଫୁଟ ଦୋକାନୀଙ୍କ ଲାଗି ୧୦ ହଜାର ଏବଂ ୫୦୦ବର୍ଗଫୁଟରୁ ବଡ଼ ଦୋକାନୀଙ୍କ ଲାଗି ୧୫ ହଜାର ଟଙ୍କା ମାସିକ ଭଡ଼ା ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଏହି ଭଡ଼ାରେ ସେମାନେ ନିଜ ଇଚ୍ଛା ଅନୁସାରେ ସ୍ଥାନରେ ଦୋକାନଘର ଭଡ଼ା ନେଇ ବ୍ୟବସାୟ ଚଳାଇପାରିବେ। ଏବେ ଦୋକାନରେ ଥିବା ମାଲ୍ ପରିବାହନ ତଥା ସ୍ଥାନାନ୍ତର ପାଇଁ ପ୍ରତ୍ୟେକ ଦୋକାନୀଙ୍କୁ ୫୦ ହଜାର ଟଙ୍କାର ଅର୍ଥ ସହାୟତା ମିଳିବ।
ଲଜ୍
ଏହି ଜୋନ୍ରେ ଆସୁଥିବା ଲଜ୍ଗୁଡ଼ିକ ଲାଗି ଆକର୍ଷଣୀୟ ପ୍ୟାକେଜ୍ ବ୍ୟବସ୍ଥା କରିବାକୁ ସରକାର ଚେଷ୍ଟା କରିଛନ୍ତି। ୧୫୦୦ ବର୍ଗଫୁଟରୁ ଅଧିକ ପରିମିତ ଅଞ୍ଚଳରେ ଥିବା ଲଜ୍ ଗୁଡ଼ିକୁ ପୁନର୍ବାସ ଥଇଥାନ ନୀତି ଅନୁସାରେ ଥଇଥାନ କରାଯିବ। ଏହି ଲଜ୍ଗୁଡ଼ିକ ଲାଗି ତୁରନ୍ତ ୫ ଲକ୍ଷ ଟଙ୍କା ଆର୍ଥିକ ସୖାୟତା ଦିଆଯିବ। ୩୦୦୦ ବର୍ଗଫୁଟରୁ ଅଧିକ ବଡ଼ ଲଜ୍ ପାଇଁ ୧୦ ଲକ୍ଷ ଆର୍ଥିକ ସହାୟୟତା ଘୋଷଣା କରାଯାଇଛି ।
ଯଦି ଏହି ଲଜ୍ଗୁଡ଼ିକ ନିଜ ସମ୍ପତ୍ତି ପାଇଁ ଆର୍ଥିକ ପ୍ୟାକେଜ୍ ଚାହାନ୍ତି ତେବେ ବର୍ଗ ଫୁଟକୁ ୨୦୦୦ ଟଙ୍କା ଲେଖାଏ ଅର୍ଥ ଯୋଗାଇ ଦିଆଯିବ। ନହେଲେ ସେମାନଙ୍କୁ ବଡ଼ ଦାଣ୍ଡର ଉଭୟ ପାଶ୍ଵର୍ର୍ରେ ୩୦୦ ମିଟର ଭିତରେ ଜାଗା ଯୋଗାଇବାର ବ୍ୟବସ୍ଥା ହୋଇଛି। ଏହି ପ୍ଲଟ୍ଗୁଡ଼ିକର ଆକାର ୧୫୦୦, ୨୦୦୦ ବା ୩୦୦୦ ବର୍ଗଫୁଟ ହେବ। ଏଥିରେ ଲଜ୍ ନିର୍ମାଣ ଲାଗି ବର୍ଗଫୁଟ ପିଛା ୭୫୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ସରକାର ଯୋଗାଇଦେବେ।
କ୍ଷୁଦ୍ର ବ୍ୟବସାୟୀ
ଅସ୍ଥା୍ରୀ କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ସରକାର ଏକକାଳୀନ ୩୦ ହଜାର ଟଙ୍କା ସହାୟତା ଦେବେ। ସେମାନଙ୍କ ବ୍ୟବସାୟ ଲାଗି ଜିଲ୍ଲାପାଳ ଆବଶ୍ୟକ ଜାଗା ଯୋଗାଇଦେବେବୋଲି ସରକାର ଘୋଷଣା କରିଛନ୍ତି।
ମଠ
ମଠଗୁଡ଼ିକ ଲାଗି କ୍ଷତିପୂରଣ ପ୍ୟାକେଜ୍ ସରକାର ସ୍ଥିର କରିଛନ୍ତି। ମଠ ବିଶେଷରେ ଆଲୋଚନା କରି ଏହା ଜିଲ୍ଲାପାଳ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ଏଥିରେ ଆବଶ୍ୟକ ପରିବର୍ତ୍ତନ ଆଣିପାରିବେ। ମଠର ଗାଦି ଓ ମନ୍ଦିରକୁ ସୁରକ୍ଷିତ ରଖାଯିବ। ଶ୍ରୀମନ୍ଦିର ସହ ସେମାନଙ୍କ ସେବା ସମ୍ପର୍କ ଅକ୍ଷୁଣ୍ଣ ରହିବ। ସେମାନଙ୍କ କିର୍ତ୍ତିରାଜୀର ସଂରକ୍ଷଣ ହେବ। ସେମାନଙ୍କ ଆର୍ଥିକ ସୁରକ୍ଷା ଲାଗି ମାର୍କେଟକମ୍ପେ୍ଲକ୍ସ ତିଆରି ହେବ। ଏହା ସହ ପାର୍କିଂ ବ୍ୟବସ୍ଥା ହେବ।