କରୋନା ଚିକିତ୍ସାରେ ଥିବା ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ସୈନିକ ମର୍ଯ୍ୟାଦା; ମୃତ୍ୟୁ ହେଲେ ତାହା ସହୀଦ ଆଖ୍ୟା, ମିଳିବ ୫୦ ଲକ୍ଷ କ୍ଷତିପୂରଣ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କରୋନା ଏକ ଯୁଦ୍ଧ। ଆଉ ସ୍ଵାସ୍ଥ୍ୟକର୍ମୀମାନେ ହେଲେ ଏହି ଅଦୃଶ୍ୟ ଶତ୍ରୁ ସଙ୍ଗେ ଲଢ଼େଇରେ ପ୍ରତ୍ୟକ୍ଷ ସୈନିକ। ଏଣୁ ଏ ଶତ୍ରୁ ସହ ଲଢ଼େଇରେ ପ୍ରାଣ ହରାଉଥିବା ପ୍ରତିଟି ସ୍ଵାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ମୃତ୍ୟୁକୁ ମୃତ୍ୟୁ ନୁହେଁ ବରଂ ଦେଶ ସହୀଦ ଆଖ୍ୟା ଦେବ। ସମସ୍ତ ପଦମର୍ଯ୍ୟାଦା ପ୍ରଦାନ କରାଯାଇ ସେହି ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ଶେଷକୃତ୍ୟ ରାଜ୍ୟ ସମ୍ପନ୍ନ କରିବ। ଏହାଛଡ଼ା ରାଷ୍ଟ୍ରୀୟ ଦିବସରେ ତାଙ୍କୁ ସମ୍ମାନ ଜଣାଇବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଖାଲି ସେତିକି ନୁହେଁ ତାଙ୍କର ବିୟୋଗରେ ଅପୂରଣୀୟ କ୍ଷତି ରାଷ୍ଟ୍ର ସହୁଥିବାରୁ ତାଙ୍କ ପରିବାରର ଭରଣ ପୋଷଣ ପାଇଁ ସମସ୍ତ ସୁବିଧା ଗ୍ରହଣ କରିବ। ସରକାରୀ ସ୍ଯେତରରେ କାର୍ଉଯ୍ୟ କରୁଥିବା ଡାକ୍ତର ଏବଂ ସ୍ଵାସ୍ଥ୍ୟକର୍ମୀ ଯେଉଁ ଦରମା ପାଉଥିଲେ ତାହା ତାଙ୍କ ଅବସର ବୟସ ଯାଏ ତାଙ୍କ ପତି/ପତ୍ନୀ ବା ପିଲାମାନଙ୍କୁ ମିଳିବ। ଏହାଛଡ଼ା ଯେଉଁମାନେ ସେମାନଙ୍କ ଜୀବନ ହରାଉଛନ୍ତି ତାଙ୍କ ପରିବାରଙ୍କୁ ତତ୍କ୍ଷଣାତ୍ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହା ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ଲାଗୁ ହେବ ବୋଲି ସେ କହିଛନ୍ତି।
ଡାକ୍ତରଙ୍କ ବିରୁଦ୍ଧରେ ଯେକୌଣସି ହୀନ କାର୍ଯ୍ୟକୁ ନିନ୍ଦା କରିଛନ୍ତି ନବୀନ। ଯେଉଁମାନେ ଏଣିକି ତାଙ୍କୁ ଆକ୍ରମଣ କରିବେ ସେମାନଙ୍କ ବିରୁଦ୍ଧରେ ଜାତୀୟ ସିକ୍ୟୁରିଟି ଆଇନ (ଏନ୍ଏସ୍ଏ) ଲାଗୁ କରାଯିବ ବୋଲି ସେ କହିଛନ୍ତି।