ଶିଶୁ କଲ୍ୟାଣ ପାଇଁ ପ୍ରତି ଆଶ୍ରମକୁ ୧୦ ଲକ୍ଷ ସହାୟତା
ଭୁବନେଶ୍ଵର, (ଓଟି): ଅନାଥ ଓ ଭିନ୍ନକ୍ଷମ ଶିଶୁମାନଙ୍କ ଲାଗି ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ତଥା ଆଶ୍ରମଗୁଡ଼ିକୁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳ୍ର ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ୩୦ଟି ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ପ୍ରତିଷ୍ଠାନ ଗୁଡିକରେ ରହୁଥିବା ଶିଶୁମାନଙ୍କ ମଙ୍ଗଳ ପାଇଁ ରେଡକ୍ରସ ସୋସାଇଟି ଜରିଆରେ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ। ଗଞ୍ଜାମ, ମୟୁରଭଞ୍ଜ, ବାଲେଶ୍ବର, ସୁନ୍ଦରଗଡ, କେଉଁଝର ଓ ସମ୍ବଲପୁର ଭଳି ଜିଲ୍ଲାମାନଙ୍କର ଅତିରିକ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେହି ଜିଲ୍ଲାମାନଙ୍କ ପାଇଁ ଅଧିକ ୧୦ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି।
ଜିଲ୍ଲାସ୍ତରର ଶିଶୁ କଲ୍ୟାଣ ଅନୁଷ୍ଠାନ ଗୁଡିକର ଉନ୍ନତି ଓ ପିଲାମାନଙ୍କ କଲ୍ୟାଣ ପାଇଁ ଏହି ଆର୍ଥିକ ସହାୟତା କାର୍ଯ୍ୟ କରିବ।
ଦୀପାବଳୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵରସ୍ଥିତ ଏସ୍ଓଏସ୍ ଭିଲେଜ୍ ପରିଦର୍ଶନ ସୖହ ସେଠାର ଅନ୍ତେବାସୀଙ୍କ ସହ ଦୀପାବଳୀ ପାଳିବା ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଶିଶୁ କଲ୍ୟାଣ ଅନୁଷ୍ଠାନଗୁଡ଼ିକର ଅବସ୍ଥା ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହି କ୍ରମରେ ରାଜ୍ୟର ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳ ମାନଙ୍କୁ ବିଭିନ୍ନ ସ୍ଥାନରେ ଥିବା ଶିଶୁ ସେବା ଅନୁଷ୍ଠାନ ଯଥା ଅନାଥାଶ୍ରମ, ଭିନ୍ନକ୍ଷମ ପିଲାମାନଙ୍କ ସ୍କୁଲ ଇତ୍ୟାଦି ପରିଦର୍ଶନ କରି ପିଲାମାନଙ୍କ ଭଲମନ୍ଦ ସଂପର୍କରେ ପଚାରି ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟ ସଚିବ, ଅନ୍ୟ ବରିଷ୍ଠ ଅଧିକାରୀମାନେ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଶିଶୁ ସେବା ଓ କଲ୍ୟାଣ ସଂସ୍ଥାଗୁଡିକ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ପରେ ଜିଲ୍ଲାପାଳମାନେ ଏହି ଶିଶୁ ସେବା ସଂସ୍ଥା ଗୁଡିକରେ ରହୁଥିବା ପିଲାମାନଙ୍କ ସହିତ ସେମାନଙ୍କର ଆବଶ୍ୟକତା ଓ ଭଲମନ୍ଦ ସଂପର୍କରେ ପଚାରି ବୁଝିଥିଲେ।
ପିଲାମାନଙ୍କ ମତାମତକୁ ଭିତ୍ତିକରି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ସଂସ୍ଥାଗୁଡିକର ଉନ୍ନତି ପାଇଁ ରେଡକ୍ରସ ସୋସାଇଟି ଶାଖାକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।