ମେ ୨୩ରେ ଦିଲ୍ଲୀର ମୁଖ୍ୟ ଇଞ୍ଜିନ ବି ଚାଲିଯିବ: ନବୀନ
ନିର୍ବାଚନର ପ୍ରଚାର ଏବେ ଜୋରରେ ଚାଲିଛି । ନବୀନ ମାରାଥନ ରୋଡ ଶୋ ଚଳାଇଛନ୍ତି । ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ମଧ୍ୟ ଭାଷଣ ଦେଉଛନ୍ତି । ବିଜେପିର ଡବଲ ଇଞ୍ଜୀନ ସରକାର ଦାବିକୁ କଟୁ ସମାଲୋଚନା କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡବଲ ଇଞ୍ଜୀନ ଥିବା ରାଜ୍ୟରେ ବିଜେପି କାହିଁକି ହାରିଲା ବୋଲି ପ୍ରଶ୍ନ କରିବା ସହ ମେ ୨୩ରେ ଦିଲ୍ଲୀର ମେନ ଇଞ୍ଜୀନ ବି ଯିବ ବୋଲି କଟାକ୍ଷ କରିଛନ୍ତି ମୁଖ୍ୟମନ୍ତୀ । ଆଜି ବାଙ୍କୀ-ବଡମ୍ବାରେ ପ୍ରଚାର ସମୟରେ ଡବଲ ଇଞ୍ଜିନ ପ୍ରସଙ୍ଗ ଉପରେ ସିଧାସଲଖ ଆକ୍ରମଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନାଁ ନ ନେଇ ଆକ୍ଷେପ କରି କହିଥିଲେ ବିଜେପିର ବଡ ବଡ ନେତାମାନେ ଡବଲ ଇଞ୍ଜିନ କଥା କହୁଛନ୍ତି । ତେବେ ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି ଓଡିଶାର ଇଞ୍ଜିନ କିଏ ? ସେ ବିଷୟରେ ବିଜେପି ନେତା କିଛି କହିପାରିବେ କି? ଓଡିଶା ବାଦ୍ ବିଜେପି ଶାସିତ ରାଜ୍ୟରେ ଯେଉଁଠି ଡବଲ ଇଞ୍ଜିନ ଥିଲା ସେଠାରେ ବିଜେପି କାହିଁକି ହାରିଲା ବୋଲି ପ୍ରଶ୍ନ କରିବା ସହ କଟାକ୍ଷ କରି କହିଛନ୍ତି । ବିଜେପିର ଡବଲ ଇଞ୍ଜିନରୁ ୫ଟି ଇଞ୍ଜିନ ଲାଇନଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ପଞ୍ଜାବ ପ୍ରଭୃତି ରାଜ୍ୟରେ ଏବେ ସିଙ୍ଗଲ ଇଞ୍ଜିନ ହୋଇଗଲାଣି । ମେ ୨୩ ତାରିଖରେ ଦିଲ୍ଲୀର ମେନ ଇଞ୍ଜିନ ମଧ୍ୟ ଲାଇନଚ୍ୟୁତ ହୋଇଯିବ ।
ନବୀନ ଲୋକଙ୍କୁ ଆହ୍ୱାନ କରିଛନ୍ତି କୋଇଲା ରୟାଲଟି କାହିଁକି ବଢିନି ଓ ଏ ବାବଦରେ ଓଡିଶା ହଜାରହଜାର କୋଟି ଟଙ୍କା କାହିଁକି ହରାଉଛି ଏନେଇ ବିଜେପି ନେତାମାନଙ୍କୁ ପ୍ରଶ୍ନ କରନ୍ତୁ । ୫ ବର୍ଷ ହେଲା ଏମାନେ କେଉଁଠି ଥିଲେ । ନିର୍ବାଚନ ସମୟରେ ଓଡିଶାକୁ ଧାଇଁ ଆସୁଛନ୍ତି । ୫୦ ଲକ୍ଷ ଲୋକେ ଚାକିରି ହରାଇଲେ, ଦରଦାମ ବଢିଲା, ଗ୍ୟାସ ଓ ପେଟ୍ରୋଲ ଦାମ ବଢିଲା, ଗରିବଙ୍କୁ ଆହୁରି ଗରିବ କରାଇଲେ । ଏ ସବୁ ଲୋକେ ବୁଝୁଛନ୍ତି ଓ ଜାଣୁଛନ୍ତି । ଚାଷୀ, ମହିଳା, ଯୁବକ ସଭିଏଁ ଏହାର ଉତ୍ତର ମାଗୁଛନ୍ତି । ସାଢେ ଚାରିକୋଟି ଓଡିଆ ହେଉଛନ୍ତି ତାଙ୍କର ପରିବାର ।
ଖାଲି ଦଳ ଜିତିଲେ ହେବ ନାହିଁ, ମହିଳାମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜିନ। କାଳିଆ ଯୋଜନା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ, କାଲିଆ ଯୋଜନାରେ ରାଜ୍ୟର ଚାଷୀ ଉପକୃତ ହୋଇଛନ୍ତି। ମାତ୍ର ବିଜେପିର ଚାପରେ କାଳିଆ ଯୋଜନାକୁ ଅଟକାଇ ଦିଆଯାଇଛି। ବିଜେପି ସରକାର ଓଡ଼ିଶା ବିରୋଧୀ, ଗରିବଙ୍କ ବିରୋଧୀ। କେନ୍ଦ୍ରର ବିଜେପି ସରକାର ଓଡ଼ିଶାର ୨୫ଲକ୍ଷ ଗରିବ ଲୋକଙ୍କୁ ଚାଉଳ ଦେଲା ନାହିଁ। ମୁଁ ଥିବା ଯାଏ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ। ସରକାର ଆସିବାର ପ୍ରଥମ ଦିନରେ ଦୁଇଟି କିସ୍ତିରେ ଚାଷୀଙ୍କୁ ୧୦ ହଜାର ଟଙ୍କା ଦେବୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।