ନବୀନଙ୍କ ପ୍ରଶ୍ନ :ବିଜେପି ନେତା କୋଇଲା ବେପାରରେ ସମ୍ପୃକ୍ତ ଥିବାରୁ ରାଜ୍ୟ ରାଜସ୍ୱ ହରାଉଛି କି?

କୋଇଲା ବେପାରରେ ବିଜେପି ନେତାଙ୍କ ସମ୍ପୃକ୍ତି ଯୋଗୁଁ ରାଜ୍ୟ କୋଟି କୋଟି ଟଙ୍କା ହାରାଉଛି କି ବୋଲି ଘଣ୍ଟପଡ଼ା ନୋଡାଲ୍‌ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପଡ଼ିଆରେ ନିର୍ବାଚନୀ ପ୍ରଚାର ସଭାରେ ସମବେତ ଜନତାଙ୍କୁ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ନିର୍ବାଚନ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀ କହିଲେ, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି, କିନ୍ତୁ ଏହାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି ଓଡ଼ିଆଙ୍କୁ କାଳିଆ ଯୋଜନାରୁ ବଞ୍ଚିତ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ କାଳିଆ ଯୋଜନାର ଅର୍ଥ ପୁଣି ଦିଆଯିବ। ଏଥର ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଁଏ ଦିଆଯିବ।

ବିଜେଡି ସରକାର ଓଡ଼ିଆ ଓ ମହିଳାମାନଙ୍କୁ ସେମାନଙ୍କ ହକ୍‌ପାଇଁ ଲଢ଼େଇ ଜାରି ରଖିଛି। ବିଜୁ ସ୍ୱାସ୍ଥ୍ୟ ଯୋଜନା ଭାରତବର୍ଷର ଅନ୍ୟତମ ଯୋଜନା। କୃଷକ ଓ ସମାଜର ସାଧାରଣ ବର୍ଗର ଲୋକଙ୍କ ପାଇଁ ତାଙ୍କ ସରକାର ସଂଗ୍ରାମ ଜାରି ରଖିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଶେଷ ନିଃଶ୍ୱାସ ଥିବା ଯାଏଁ ମୁଁ ଆପଣମାନଙ୍କର ସେବା କରିବି। ମୋତେ ଆଶୀର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ୍‌ଦିଅନ୍ତୁ।

ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରର ଅବହେଳା ଜଳ ଜଳ ଦେଖା ଯାଉଛି। ରାଜ୍ୟ କୃଷକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କର ସମୟ ନାହିଁ। ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଆମ ପ୍ରତି ଅନ୍ୟାୟ କରିଛି। ରାଜ୍ୟର ଦୁଇ କେନ୍ଦ୍ରୀୟ ନେତା ଚୁପ୍‌କାହିଁକି? କେବଳ ନିର୍ବାଚନ ଆସିଲେ କେନ୍ଦ୍ରୀୟ ନେତାମାନଙ୍କୁ ସମୟ ମିଳୁଛି। ଘନ ଘନ ଗସ୍ତ କରି ଭୋଟ୍‌ଭିକ୍ଷା କରୁଛନ୍ତି। ଓଡ଼ିଶା ତା’ର ଦୃଢ଼ ଜବାବ ଦେବ।

Leave a Reply

Your email address will not be published.