ନବୀନଙ୍କ ପ୍ରଶ୍ନ ; ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?
- ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କେଉଁଠାରୁ ନିର୍ବାଚନ ଲଢୁଛନ୍ତି?
- ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି?
- ନିର୍ବାଚନ ପରେ ଦିଲ୍ଲୀ ଇଂଜିନର ଦେଖା ମିଳିବ ନାହିଁ
ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱର ଭଉଁରୀ ବସାରେ ଆଜି ହାତ ମାରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ଆଜି ଏପରି ପ୍ରଶ୍ନ ପଚାରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ନିର୍ବାଚନୀ ସଭାରେ ବିଜେପିର ଡବଲ ଇଞ୍ଜିନ ମନ୍ତବ୍ୟକୁ ଆକ୍ଷେପ କରି ନବୀନ ପଚାରିଥିଲେ, ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ସେ କେଉଁଠାରୁ ନିର୍ବାଚନ ଲଢୁଛନ୍ତି? ସେ କହିଥିଲେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି? ନିର୍ବାଚନ ହେଲେ ଦିଲ୍ଲୀ ଇଂଜିନ ଆସୁଛି ଓ ଜୋରରେ ପାଟି କରୁଛି। ତା’ପରେ ଆଉ ଦିଲ୍ଲୀ ଇଂଜିନର ଦେଖା ମିଳିବ ନାହିଁ।
ଖାଲି ସେତିକି ନୁହେଁ, ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସ୍ଲୋଗାନ୍ ଦେଉଥିବା ବିଜେପି ନେତାମାନଙ୍କୁ ନବୀନ ଶାଣିତ ଢ଼ଙ୍ଗରେ କଟାକ୍ଷ କରିଛନ୍ତି। ବିଜେପିର ଆଉ ଗୋଟେ ଇଞ୍ଜିନ୍ କିଏ? କୋଉଠି? ଓଡ଼ିଶାବାସୀ ତାହା ଜାଣିବାକୁ ଚାହୁଁଛନ୍ତି ବୋଲି ନବୀନ କହିଛନ୍ତି। ସେ ପୁଣି କହିଛନ୍ତି, ବିଜେପି ଡବଲ ଇଞ୍ଜିନ୍ କଥା କହୁଛନ୍ତି। କିନ୍ତୁ ଫାଇଲିନ୍ ହେଲା..ଆସିଲେ ନାହିଁ। ହୁଡ୍ ହୁଡ୍ ହେଲା..ଆସିଲେ ନାହିଁ। ମରୁଡ଼ି ହେଲା..ଆସିଲେ ନାହିଁ। ବନ୍ୟା ହେଲା..ଆସିଲେ ନାହିଁ। ତିତିଲି ହେଲା.. ଦିଲ୍ଲୀ ଇଞ୍ଜିନ୍ ଆସିଲା.. କିନ୍ତୁ ଓଡ଼ିଶାକୁ ନୁହେଁ, ଆନ୍ଧ୍ରକୁ ଗଲା।
ବିଜେପିର ଆଉ ଗୋଟିଏ ଇଞ୍ଜିନ କିଏ ଓ ସେ କେଉଁଠି ଅଛନ୍ତି, ଓଡ଼ିଶାବାସୀ ତାହା ଜାଣିବାକୁ ଚାହୁଁଛନ୍ତି ବୋଲି ନବୀନ ପ୍ରଶ୍ନ କରିଥିଲେ। ଏହା ସହିତ ଏହି ସଭାରେ ମୁଖ୍ୟମନ୍ତ୍ରୀ ନିଜର ପୁରୁଣା କଥା ଦୋହରାଇବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ।