ମୋଦିଙ୍କ ପ୍ରଶ୍ନର ଉତ୍ତର ଦେଲେ ନବୀନ


ଭୁବନେଶ୍ୱର,(ଓଟି): ଗତ ଡିସେମ୍ବର ୨୪ ତାରିଖରେ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନଥିବା ନେଇ କରିଥିବା ଆକ୍ଷେପର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ୨୦୧୪ ଏପ୍ରିଲ ମାସରୁ ୨୦୧୮ ନଭେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟରେ ସୃଷ୍ଟି କରାଯାଇଥିବା ଜଳସେଚନ ବ୍ୟବସ୍ଥା ସଂପର୍କରେ ତଥ୍ୟ ସମ୍ବଳିତ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି ।

ଖୋର୍ଦ୍ଧା ସମାବେଶରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ୧୦ ଲକ୍ଷ ହେକ୍ଟର ଅଧିକ ଜଳସେଚନ ସୁବିଧା ସୃଷ୍ଟି କରିବେ ବୋଲି ପ୍ରତିଶୃତି ଦେଇ ୪ ବର୍ଷରେ ମାତ୍ର ୨୨ହଜାର ହେକ୍ଟର ଜମିକୁ ଜଳସେଚିତ କରିଛନ୍ତି । ଏହାର ଜବାବ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେରେ କହିଛନ୍ତି ଯେ, ଜଳସେଚନ କୃଷି ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଯେଉଁଥିପାଇଁ ରାଜ୍ୟ ସରକାର ୨୦୧୪ରେ ଅଧିକ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ରାଜ୍ୟ ସରକାର ଅତିରିକ୍ତ ୭.୮ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ସୁବିଧା ଯୋଗାଇଦେଇଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ୧୦ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳସେଚିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୨୬,୮୮୯ କୋଟି ଟଙ୍କା ଜଳସେଚନ ଓ ଜଳସଂପଦ ବାବଦରେ ଖର୍ଚ୍ଚ କରାଯାଇଛି । ସେମଧ୍ୟରୁ କେନ୍ଦ୍ର ସରକାର ମାତ୍ର ୧୨୧୧ କୋଟି ଅର୍ଥା ୪.୫ ପ୍ରତିଶତ ଅର୍ଥ ଏଆଇବିପି ଜରିଆରେ ସହାୟତା ଦେଇଛନ୍ତି । ଚଳିତ ବର୍ଷ ରେକର୍ଡ ପରିମାଣର ୧୦,୧୯୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ରାଜ୍ୟ ସରକାର ନିଜସ୍ବ ଯୋଜନାରେ ୨ଲକ୍ଷ ୬୭ହଜାର ୮୮୦ ହେକ୍ଟର ଆୟକଟ ଏରିଆ ପାଇଁ ୪୬ଟି ବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି । ସେହିଭଳି ୧ଲକ୍ଷ ୨୯ହଜାର ୭୬୪ ହେକ୍ଟର ଆୟକଟ ଏୟାର ପାଇଁ ୬୮୩୭ଟି ଉଠା ଜଳସେଚନ ପ୍ରକଳ୍ପ, ୯୭,୬୯୪ ଆୟକଟ ଏରିଆ ପାଇଁ ୮୩୩୫ଟି ଚେକ ଡ୍ୟାମ ନିର୍ମାଣ କରାଯାଇଛି । ଚାଷୀମାନେ ଏହିସବୁ ଜଳସେଚନ ପ୍ରକଳ୍ପର ସୁଫଳ ମଧ୍ୟ ପାଉଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ତଥ୍ୟ ଅନୁଯାୟୀ କ୍ଷୁଦ୍ର, ମଧ୍ୟମ ଓ ବୃହତ ଜଳସେଚନ ପ୍ରକଳ୍ପ, ଉଠା ଜଳସେଚନ ପ୍ରକଳ୍ପ, ଚେକ ଡ୍ୟାମ ଏବଂ ଅନ୍ୟାନ ସୂତ୍ରରୁ ୨୦୧୪-୧୫ରେ ୧,୩୨,୭୫୩ ହେକ୍ଟର ଜମିକୁ ଜଳସେଚିତ କରାଯାଇଥିବା ବେଳେ ୨୦୧୫-୧୬ରେ ୧,୬୧,୩୪୪ ହେକ୍ଟର, ୨୦୧୬-୧୭ରେ ୧,୬୮,୯୭୧ ହେକ୍ଟର, ୨୦୧୭-୧୮ରେ ୨,୪୩,୬୬୩ ହେକ୍ଟର, ୨୦୧୮-୧୯ ନଭେମ୍ବର ମାସ ସୁଦ୍ଧା ୮୦ହଜାର ୨୦୬ ହେକ୍ଟର ଜମି ଏହିପରି ଗତ ୫ ବର୍ଷରେ ୭ଲକ୍ଷ ୮୬ହଜାର ୯୩୭ ହେକ୍ଟର ଜମିକୁ ଜଳସେଚିତ କରାଯାଇଛି ।

ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published. Required fields are marked *