ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଉଦ୍ଯାପିତ
ଭୁବନେଶ୍ଵର, (ଓଟି): ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁସାରେ ନିଜକୁ ପ୍ରସ୍ତୁ କରିବାକୁ ପଡ଼ିବ । ଗତ ଶତାବ୍ଦୀରେ ଯେତିକି ପରିବର୍ତନ ହୋଇଥିଲା, ଚଳିତ ଶତାବ୍ଦୀରେ ବୈଜ୍ଞାନିକ ପ୍ରଗତି ସହସ୍ର ଗୁଣ ହେବ । ଏହି ପରିବର୍ତନକୁ ଅଙ୍ଗୀଭୂତ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ମୁଖ୍ୟ ଅତ୍ୟଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ନୂତନତା ହେଉଛି ଆଜିର ବିଶେଷତା । ନୂତନ ପରିବର୍ତନକୁ ସ୍ୱାଗତ କରିବା ସହ ଏହା ଆମ ସାଂସ୍କୃତିକ ଜୀବନର ଅଂଶ ହେବା ଆବଶ୍ୟକ । ପରିବର୍ତନକୁ ଗ୍ରହଣ କରି ପ୍ରଗତି ସହ ଆଗକୁ ଯିବା ପାଇଁ ବ୍ୟକ୍ତିଗତ ପ୍ରସ୍ତୁତି ଏକାନ୍ତ ଆବଶ୍ୟକ ବୋଲି ପ୍ରଫେସର ଲାଲ କହିଛନ୍ତି ।
ସାମ୍ପ୍ରତିକ ପୃଥିବୀ ଆଦର୍ଶଗତ ବିଭାଜନ ଅପେକ୍ଷା ବୈଷୟିକ ଜ୍ଞାନ ଆଧାରରେ ବେଶୀ ବିଭାଜିତ । ପ୍ରଯୁକ୍ତିବିଦ୍ୟା, ସାମାଜିକ ଓ ସାଂସ୍କୃତିକ ଜୀବନରେ ବୈପ୍ଳବିକ ପରିବର୍ତନ ଆଣିଛି । ଏହାକୁ ସ୍ୱୀକାର କରିବାକୁ ହେବ । କିନ୍ତୁ ବୈଷୟିକ ପ୍ରଗତି ଯଥେଷ୍ଟ ନୁହେଁ । ଏହା ସହିତ ଆଧ୍ୟାତ୍ମିକ ପ୍ରଗତି ସମନ୍ନତି ହେଲେ ସଭ୍ୟତାର ଗତି ଅର୍ଥପୂର୍ଣ୍ଣ ହେବ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି ।
ବ୍ୟୟବହୁଳ ଗବେଷଣା ଦ୍ୱାରା “ଗଡ ପାର୍ଟିକଲ୍” ଖୋଜୁଥିବା ବୈଜ୍ଞାନିକମାନେ ବିଫଳ ହେବା ସ୍ଥଳେ ମନୁଷ୍ୟ ନିଜ ମଧ୍ୟରେ ପରବର୍ତନର ଆବଶ୍ୟକତାକୁ ବୁଝିବା ଆବଶ୍ୟକ ବୋଲି ସେ କହିଥିଲେ ।
ସମସ୍ତ କାରଣର କାରଣକୁ ଜାଣିବାକୁ ହେବ । ଏହାହିଁ ସମସ୍ତ ଅନ୍ୱେଷଣର ଧ୍ୟେୟ ହେବା ଉଚିତ୍ । ବୈ÷ଜ୍ଞାନିକ ପ୍ରଗତି ମଣିଷକୁ ଶକ୍ତିବାନ କରିପାରେ, କିନ୍ତୁ ଏହା ଶେଷ କଥା ନୁହେଁ । ଅର୍ଜୁନଙ୍କ ପାଖରେ ସବୁ ଅସ୍ତ୍ରଶସ୍ତ୍ର ଓ ବିଦ୍ୟା ଥିଲେ ମଧ୍ୟ, ସେ ଠିକ୍ ସମୟରେ ନିଜକୁ ଅସହାୟ ଅନୁଭବ କରିଥିଲେ । ବାହ୍ୟ ପ୍ରଗତି ସହ ଅନ୍ତଃ ପ୍ରଗତି ମଧ୍ୟରେ ସମନ୍ୱୟ ସ୍ଥାପନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।
ବିଜ୍ଞାନ କଂଗ୍ରେସରେ ଭାରତର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ତଥା ୧୫ଟି ଅନ୍ୟ ଦେଶର ୭୦୦ରୁ ଅଧିକ ଶିଶୁ ଯୋଗ ଦେଇଥିଲେ ।
ଶିଶୁ ବିଜ୍ଞାନ କଂଗ୍ରେସର ଜାତୀୟ ସଂଯୋଜକ ଇଂ. ସୁଜିତ ବାନାର୍ଜୀ, ଉନ୍ନୟନ କମିଶନର ଅସିତ ତ୍ରିପାଠୀ, ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ତପନ୍ ଚାନ୍ଦ, ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, ବିଜ୍ଞାନ ଓ ପ୍ରଯୁକ୍ତି ସଚିବ ଭାସ୍କରଜ୍ୟୋତି ଶର୍ମା, ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ, ବିଜ୍ଞାନ କଂଗ୍ରେସର ଆବାହକ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମୁଖ ସମ୍ମିଳନୀରେ ବକ୍ତବ୍ୟ ରଖିଥିଲେ । ଏହିଭଳି ଆୟୋଜନର ବିଶେଷ ଗୁରୁତ୍ୱ ଥିବା ଅତିଥିମାନେ ମନ୍ତବ୍ୟ ଦେବା ସହ ଏହି ପ୍ରକ୍ରୀୟାକୁ ଆହୁରି ଗତିଶୀଳ ଓ କ୍ରୀୟାଶୀଳ କରିବାକୁ କହିଥିଲେ ।
ଏହି ଅବସରରେ ରାଜ୍ୟପାଳ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଆୟୋଜନ ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିିଲେ ।
