ଦିନକରେ ୧୬ ହଜାର ମାମଲା ସମାଧାନ

ଭୁବନେଶ୍ଵର, (ଓଟି): ଆମ ରାଜ୍ୟରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି ଲୋକ ଅଦାଲତ। ଶନିବାରଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ହୋଇଥିବା ଲୋକଆଦଲତରେ ପାଖାପାଖି ୧୬ ହଜାର ମାମଲାର ସମାଧରାନ ହୋଇଛି। ଏହା ସହ ବିଚାପତିମାନେ ପ୍ରଭାବିତ ପକ୍ଷଙ୍କ ଲାଗି ୭୧ କୋଟି ୪୨ ଲକ୍ଷ ଟଙ୍କା ସହାୟତା ମଧ୍ୟ ନିର୍ଦେଶ ଦେଇଛନ୍ତି। ଏହାଦ୍ଵାରା ବହୁଦିନରୁ ବିବାଦୀୟ ହୋଇ ଚାଲିଥିବା ମାମଲାର ସମାଧାନ ହୋଇପାରିଛି। 

ମିଳିଥିବା ସୂଚନା ଅନୁସାରେ, ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୫,୭୭୬ ମାମଲାର ସମାଧାନ କରାଯାଇଛି। ଏଥିରେ ୪୧୦୪ଟି ପ୍ରାକ୍‌ ବିବାଦୀୟ ମାମଲାର ସମାଧାନ କରାଯାଇ ସେ ବାବଦରେ ୧୦ କୋଟି ୩୩ ଲକ୍ଷ ୫୯ହଜାର ୬୦୨ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ରହିଛି। ସେହିପରି ଲୋକ ଅଦାଲତରେ ୩୭୩୫ଟି ବ୍ୟାଙ୍କ ଅସୁଲ ମାମଲାର ସମାଧାନ କରାଯାଇ ସେ ବାବଦକୁ ୧୦ କୋଟି ୧ ଲକ୍ଷ ୩୦ହଜାର ୧୩୪ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ୍‌ ବିଲ୍‌ ଦେୟ ବାବଦୀୟ ୪୬ଟି ମାମଲାର ସମାଧାନ କରାଯାଇ ୭ ଲକ୍ଷ ୪୭ହଜାର ୧୯୨ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ୧୫ଟି ପାଣି ବିବାଦ ମାମଲା ସମାଧାନ କରାଯାଇ ୭୩,୨୪୧ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ରହିଛି। ଏହି ଲୋକ ଅଦାଲତକୁ ରାଜ୍ୟ ଆଇନସେବା ପ୍ରାଧିକରଣର ସହ ସଚିବ ଜ୍ୟୋତିରଞ୍ଜନ ଦାଶ, ସଂସ୍ଥା ଅଧିକାରୀ କମଳାକାନ୍ତ କରଙ୍କ ସମେତ ବିଚାର ବିଭାଗ ଅଧିକାରୀମାନେ ଯୋଗଦେଇଥିଲେ। ସେହିପରି ହାଇକୋର୍ଟରେ ଅନୁଷ୍ଠିତ ଲୋକ ଅଦାଲତରେ ୧୫ଟି ମାମଲାର ସମାଧାନ କରାଯାଇ ୭ କୋଟି ୮୫ ଲକ୍ଷ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *