ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ନରସିଂହଙ୍କ ପ୍ରସ୍ତାବ

ଭୁବନେଶ୍ୱର, (ଓଟି): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ କେତେକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରସ୍ତାବ କିଛି ପ୍ରସ୍ତାବ ବାଚସ୍ପତିଙ୍କ ମାଧ୍ୟମରେ ସରକାରଙ୍କୁ ଦେଇଛନ୍ତି। ଏହି ପ୍ରସ୍ତାବ ଗୁଡିକ ହେଲା-
(୧) ପ୍ରାଥମିକ ସ୍ତରଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଗାନ୍ଧିଜୀଙ୍କ ଜୀବନାଦର୍ଶ ସ୍ଥାନୀତ ହେବ(୨) ପ୍ରାଥମିକ ଶ୍ରେଣୀଠାରୁ ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ବିତର୍କ ପ୍ରତିଯୋଗିତା ଆୟୋଜନ କରାଯିବ, ( ୩) ଅକ୍ଟୋବର ୨ ତାରିଖ ଦିନ ଛୁଟି ନ କରି ବିଦ୍ୟାଳୟରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଉ ଏବଂ ଘରୋଇ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ବାଧ୍ୟତାମୂଳକ କରିବା।
(୪) ଗାନ୍ଧୀ ରଚନାବଳିରେ ପୁନଃ ପ୍ରକାଶନ କରାଇ ଓଡ଼ିଆ ପାଠକଙ୍କ ନିକଟରେ ପହଞ୍ଚାଇବା।
(୫) ରାଜ୍ୟରେ ଗାନ୍ଧିଜୀ ଯେଉଁ ସ୍ଥାନକୁ ଯାଇଥିଲେ ସେଠାରେ ଗାନ୍ଧୀ ପ୍ରଦର୍ଶନ ଆୟୋଜନ କରିବା।
(୬) ଭୁବନେଶ୍ୱରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଏକ କେନ୍ଦ୍ର ପ୍ରତିଷ୍ଠା କରିବା।
(୭) ରାଜ୍ୟ ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ସକ୍ରିୟ କରିବା ଏବଂ ଅକ୍ଟୋବର ୨ ତାରିଖ ସୁଦ୍ଧା ଏହା ଦ୍ୱାରା ଗୃହୀତ ନିଷ୍ପତ୍ତି,କାର୍ଯ୍ୟକାରୀ କରିବା ଏବଂ (୮) ୬୦ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧବୃଦ୍ଧାଙ୍କୁ ମାସିକ ୧ ହଜାର ଟଙ୍କା ଭତ୍ତା ପ୍ରଦାନ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସରକାରଙ୍କୁ ଏସବୁ ପ୍ରସ୍ତାବ ଅନୁଧ୍ୟାନ କରି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବିଜୁ ଜନତା ଦଳ ସଭ୍ୟ ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଏବଂ ଭୂପିନ୍ଦର ସିଂହ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁସୃତ ‘ଅହିଂସା’କୁ ଭାରତୀୟ ସମ୍ବିଧାନରେ ସ୍ଥାନିତ କରିବା ପାଇଁ ଓଡ଼ିଶା ବିଧାନସଭାର ନିବେଦନକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ।
ବିଜେଡ଼ି ସଭ୍ୟ ଅମର ପ୍ରସାଦ ଶତପଥୀ କହିଥିଲେ ଯେ,ଗାନ୍ଧିଜୀଙ୍କ ପଦଯାତ୍ରା ସମୟରେ ଓଡ଼ିଶାର ଯେଉଁ ଯେଉଁ ସ୍ଥାନରେ ସେ ରହିଥିଲେ,ସେଗୁଡିକୁ ପର୍ଯ୍ୟଟନ ସ୍ଥଳରେ ମାନ୍ୟତା ଦିଆଯାଉ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଗାନ୍ଧୀଙ୍କୁ ସମ୍ମାନ ଦେଇ ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ସଂପୂର୍ଣ୍ଣ ନିଶା ନିବାରଣ କରିବାକୁ ଆହ୍ଵାନ ଦେଇଥିଲେ।

Leave a Reply

Your email address will not be published. Required fields are marked *