ରବିବାରରୁ ନନ୍ଦନକାନନ ବନ୍ଦ

ଭୁବନେଶ୍ଵର (ଓଟି): କରୋନା ଆତଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ସତର୍କତା ଅବଲମ୍ବନ କରୁଛନ୍ତି। ଏହି କ୍ରମରେ ଗତ ଶୁକ୍ରବାର ରାଜ୍ୟର ପାଇଁ ବିପର୍ଯ୍ୟୟ ଘୋଷଣା କରାଯାଇଛି। ଏହିକ୍ରମରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ମାର୍ଚ୍ଚ ୧୫ରୁ ବନ୍ଦ କରିବା ଲାଗି ଘୋଷଣା କରାଯାଇଛି। ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ ଦାସ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ନନ୍ଦନକାନନକୁ ପ୍ରତିଦିନ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବାବେଳେ କରୋନା ଆତଙ୍କକୁ ଦୃଷ୍ଟିରେ ରଖି ପରିସର ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଥିଲା। ପର୍ଯ୍ୟଟନସ୍ଥଳୀରେ ଜନଗହଳିକୁ ରୋକାଯିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଥିବାବେଳେ ସାଂସ୍କୃତିକ ଦଳ ରାଜ୍ୟରୁ ଯିବା-ଆସିବା ନେଇ କଟକଣା କରାଯାଇଛି। ସେହିପରି ଶୁକ୍ରବାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ସାମାଜିକ ଉତ୍ସବରେ ଏକାଠି ନହେବାକୁ ଜନସାଧାରଣଙ୍କୁ ନିବଦେନ କରିଛନ୍ତି ସରକାର। ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ କରି ଦିଆଯାଇଛି। ସ୍କୁଲ, କଲେଜ, ସିନେମା ହଲ୍, ସୁଇମିଂ ପୁଲ ଓ ଜିମ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ କରୋନାକୁ ନେଇ ଅପପ୍ରଚାର କିମ୍ବା ଗୁଜବ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରାଯାଇଥିବାବେଳେ ଏଭଳି ଭୁଲ୍‌ ପାଇଁ ରାୟଗଡ଼ା ପୁଲିସ୍‌ କନ୍ଧମାଳର ଜଣେ ଯୁବକଙ୍କୁ ଗିରଫ କରିସାରିଛି।

Leave a Reply

Your email address will not be published. Required fields are marked *