ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ବିଜେଡିରେ

ଯାହା ଆଶଙ୍କା କରାଯାଉଥିଲା ତାହା ସତ ବୋଲି ପ୍ରମାଣିତ ହୋଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଶଙ୍ଖ ଧରିଛନ୍ତି ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ଗତ ୨୮ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ ନଳିନୀ କାନ୍ତ ବିଭାଗୀୟ ସଚିବ ପଦରୁ ଇସ୍ତଫା ଦେଇଥିଲେ । ତେବେ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ନଳିନୀକାନ୍ତ ପ୍ରଧାନ ଇସ୍ତଫା ଦେଇ ରାଜନୀତିରେ ପାଦ ଦେଇଛ ନ୍ତି । ଆଉ ନଳିନୀଙ୍କ ବିଜେଡିରେ ଯୋଗଦେବା ରାଜନୈତିକ କରିଡରରେ ହଟଚମଟ ସୃଷ୍ଟି କରିଛି । ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା ଯେ, ନଳିନୀ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବେ, ତାହା ଆଜି ସ୍ପଷ୍ଟ ହୋଇଯାଇଛି ଏବଂ ବିଧିବଦ୍ଧଭାବେ ଶଙ୍ଖ ଧରି ରାଜନୀତିକୁ ପ୍ରବେଶ କରିଛନ୍ତି ନଳିନୀ ।

ସେପଟେ ନଳିନୀଙ୍କ ବିଜେଡିରେ ସାମିଲ ହେବା ନେଇ ଆଗାମୀ ନିର୍ବାଚନରେ ତାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଛି । ରାଜନୀତି ସମୀକ୍ଷକଙ୍କ ମୁତାବକ ନଳିନୀ ପଶ୍ଚିମ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଆସନ ଯଥା ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଦଳୀୟ ଟିକେଟରେ ନିର୍ବାଚନ ଲଢିପାରନ୍ତି । କେବଳ ଏତିକି ନୁହେଁ, ଗତ କିଛି ଦିନ ପୂର୍ବରୁ ରେଢାଖୋଲରେ ଜଣେ ବିଜେଡି ନେତାଙ୍କ ସହ ନଳିନୀଙ୍କ ଏକ ପୋଷ୍ଟର ଲାଗିଥିଲା।

ଚନାଯୋଗ୍ୟ, ନଳିନୀକାନ୍ତ ପ୍ରଧାନଙ୍କ କାର୍ଯ୍ୟକାଳ ୨୦୧୮ ମାର୍ଚ୍ଚ ମାସରେ ଶେଷ ହୋଇଯାଇଥିଲା। ସେ ସରକାରୀ ଚାକିରିରୁ ଅବସର ନେଇଥିଲେ ମଧ୍ୟ ସେତେବେଳେ ରାଜ୍ୟ ସରକାର ୨୦୧୯ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ମାତ୍ର ଏହି କାର୍ଯ୍ୟକାଳ ଶେଷ ହେବାର ମାସକ ପୂର୍ବରୁ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କର କାର୍ଯ୍ୟକାଳ ବୃଦ୍ଧିକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ରାଜ୍ୟ ବିଜେପି ମଧ୍ୟ ତାଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ମଧ୍ୟ ଆଣିଥିଲା। ବିଜେଡିର ନିର୍ବାଚନୀ ପାଣ୍ଠି ସଂଗ୍ରହ ପାଇଁ ସରକାରୀ ଚାକିରିରୁ ଅବସର ସତ୍ତ୍ୱେ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ବୋଲି ବିଜେପି ଅଭିଯୋଗ କରିଥିଲା।

http://odishatime.com/works-secretary-nalini-pradhan-may-join-direct-politics/

Leave a Reply

Your email address will not be published. Required fields are marked *