ନବରଙ୍ଗପୁରରେ କୋଭିଡ-୧୯ ହସ୍ପିଟାଲ୍, ନାଲ୍କୋ ଦେଲା ସହାୟତା
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): କରୋନା ଭୂତାଣୁ ସଂକ୍ରମଣ ଜନିତ ମହାବିପତ୍ତିର ମୁକାବିଲା ପାଇଁ ଦେଶ ଏବଂ ରାଜ୍ୟ ପ୍ରତି ନିଜର ପ୍ରତିବଦ୍ଧତା ଏବଂ କର୍ତ୍ତବ୍ୟ ପରାୟଣତା ପ୍ରଦର୍ଶନ ସ୍ୱରୂପ ରାଷ୍ଟ୍ରାୟତ ନବରତ୍ନ କମ୍ପାନୀ ନାଲକୋ ତରଫରୁ ନବରଙ୍ଗପୁର ଠାରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ-୧୯ ମେଡିକାଲ କାର୍ଯ୍ୟକ୍ଷମ ହେବ।
ଏହି ପରିପ୍ରେକ୍ଷୀରେ ଆଜି ଜିଲା ପ୍ରଶାସନ, ଖ୍ରୀଷ୍ଟିୟାନ୍ ହସ୍ପିଟାଲ୍ ଏବଂ ନାଲକୋ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଅଛି । ଏହି ମେଡିକାଲରେ କରୋନା ସଂକ୍ରମଣ ଜନିତ ଚିକିତ୍ସା ପାଇଁ ସମସ୍ତ ଆଧୁନିକ ବ୍ୟବସ୍ଥା ଅଛି ।
ଏଥି ପାଇଁ ନବରଙ୍ଗପୁରର ହିର୍ଲି ଠାରେ ଅବସ୍ଥିତ ବି.ଇଡି. କଲେଜ ପରିସରରେ ଏକ ସ୍ୱତନ୍ତ୍ର ଆଇସୋଲେସନ୍ କେୟାର୍ କେନ୍ଦ୍ରର ସଞ୍ଚାଳନ ପାଇଁ ବ୍ୟବସ୍ଥା କରା ଯାଇଛି ବୋଲି ମଧ୍ୟ ଏହି ଚୁକ୍ତିରେ ଉଲ୍ଲେଖ ଅଛି । ଏହି ସ୍ୱତନ୍ତ୍ର କୋଭିଡ-୧୯ ମେଡିକାଲ ଦ୍ୱାରା ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାର ଲୋକମାନେ ଉପକୃତ ହେବା ସହିତ ଆଖପାଖ ଜିଲ୍ଲା ଯଥା ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ଜିଲ୍ଲାର ଅଧିବାସୀ ମାନେ ମଧ୍ୟ ଉପକୃତ ହୋଇ ପାରିବେ ।
ଏହି କାର୍ଯ୍ୟ ପାଇଁ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର କୃତଜ୍ଞତା ପ୍ରକାଶ କରିବା ସହିତ କହିଛନ୍ତି ଯେ,
ନାଲକୋ ଅତୀତରେ ମଧ୍ୟ ବିଭିନ୍ନ ବିପତ୍ତି ସମୟରେ ଓଡ଼ିଶାର ଲୋକ ମାନଙ୍କ ପାଖରେ ଠିଆ ହୋଇଛି । ତେଣୁ ଏହି ମହା ବିପତ୍ତି ସମୟରେ ମଧ୍ୟ ନାଲକୋ ପୂର୍ଣ୍ଣପ୍ରାଣରେ ନିଜର ସାହାଯ୍ୟର ହାତ ବଢେଇବ ବୋଲି ଶ୍ରୀ ପାତ୍ର କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟରେ ନାଲକୋ କର୍ମଚାରୀ ମାନେ କରୋନା ଜନିତ ବିପତ୍ତିର ମୁକାବିଲା ପାଇଁ ସେମାନଙ୍କର ୨ ଦିନର ଦରମା ବାବଦକୁ ମୋଟ ୫.୨ କୋଟି ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ ଫଣ୍ଡ୍ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍ କୁ ପ୍ରଦାନ କରି ଅଛନ୍ତି ।











