ଜାଣନ୍ତୁ କେବେ ଆସିବ ‘ନାଗୀନ୍ ୪’
ଏକତା କପୁରଙ୍କ ପ୍ରଯୋଜିତ ଲୋକପ୍ରିୟ ଶୋ’ ‘ନାଗୀନ୍’ର ୪ର୍ଥ ସଂସ୍କରଣ ସମ୍ପର୍କିତ କିଛି ଅପଡେଟ୍ ଜଣାପଡ଼ିବା ପରେ ଏହାକୁ ନେଇ ଦର୍ଶକ ବେଶ୍ ଉତ୍ସାହିତ ଜଣାପଡ଼ୁଛନ୍ତି । ପ୍ରତି ସଂସ୍କରଣର କାହାଣୀ ଓ କଳାକାର ଭିନ୍ନ । ଏହି ଧାରାରେ ଚତୁର୍ଥ ସଂସ୍କରଣରେ ମଧ୍ୟ ଅନେକ ନୂଆ କଳାକାରଙ୍କ ଧମାକେଦାର୍ ଏଣ୍ଟ୍ରୀ ହେବ । ଏଥରର ମୁଖ୍ୟ ଆକର୍ଷଣ ସାଜିବେ ନିୟା ଶର୍ମା । ନିୟାଙ୍କ ସହିତ ଜସମିନ୍ ଭସିନ୍ ଓ ମନିତ୍ ଜୋରା, ସୟନ୍ତାନି ଘୋଷ୍ ଓ ଅପର୍ମା କୁମାର ମଧ୍ୟ ସ୍କ୍ରୀନ୍ ସେୟାର୍ କରିବେ । ଏହି ୫ଜଣଙ୍କୁ ମୁଖ୍ୟ ଭୂମିକା ପାଇଁ ସାଇନ୍ କରାଯାଇଛି । ଆଗାମୀ ୧୮ ତାରିଖରୁ ରାଜସ୍ଥାନର ଏକ ସୁନ୍ଦର ବଙ୍ଗଳାରେ ଏହାର ସୁଟିଂ ଆରମ୍ଭ କରାଯିବ । ୧୫ ଦିନ ମଧ୍ୟରେ ଏହାର ସୁଟିଂ ସରିବା ପରେ ଖୁବ୍ ଶୀଘ୍ର ଏଡିଟିଙ୍ଗ୍ କାମ ଆରମ୍ଭ କରାଯିବ ।
ଆସନ୍ତା ଡିସେମ୍ବର ୭ ତାରିଖରୁ ଏହି ଶୋ’ ରାତି ୮ଟାରେ ପ୍ରସାରିତ ହେବ ବୋଲି ଟିମ୍ ପକ୍ଷରୁ ସୂଚନା ମିଳିଛି । ଏକତା ଇନଷ୍ଟାଗ୍ରାମ ମାଧ୍ୟମରେ ଜସମିନ୍ଙ୍କ ଏକ ଜବରଦସ୍ତ ପ୍ରୋମୋ ଭିଡିଓ ସେୟାର୍ କରିଛନ୍ତି । ଜସମିନଙ୍କ ବୋଲଡ୍ ଅନ୍ଦାଜ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ହୋଇଛି । ଏହି ଶୋ’ରେ ନିୟା ‘ବୃନ୍ଦା’ ଭୂମିକାରେ ନଜର ଆସିପାରନ୍ତି । ସେ ତାଣ୍ଡବ ନୃତ୍ୟ କରୁଥିବାର ଅନେକ ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି । ପ୍ରତିଥର ଭଳି ଏହି ୪ର୍ଥ ସଂସ୍କରଣ ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଏକତା ଟିମ୍ ଆଶା ବାନ୍ଧିଛନ୍ତି ।