‘ଗୋଲଡେନ୍ ଡ୍ରାଗନ୍’ ଆୱାର୍ଡ଼ରେ ସମ୍ମାନିତ ହେବେ ନବାଜ
ଖୁବ୍ କମ୍ ସମୟ ଭିତରେ ଆଗଧାଡ଼ିର ଅଭିନେତା ଭାବେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ନବାଜୁଦ୍ଦିନ୍ ସିଦ୍ଦିକିଙ୍କ ହାତରେ ଏବେ ଆଉ ଏକ ସଫଳତା ଧରାଦେଇଛି । ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ବେଲସ ଠାରେ ଅନୁଷ୍ଠିତ ହେବାକୁ ଥିବା ‘କାର୍ଡ଼ିଫ୍ ଫିଲ୍ମ ଫେଷ୍ଟିଭାଲ୍ ୨୦୧୯’ରେ ନବାଜଙ୍କୁ ‘ଗୋଲଡେଡ଼୍ ଡ୍ରାଗନ୍ ଆୱାର୍ଡ଼’ରେ ସମ୍ମାନିତ କରାଯିବ । ବିଶ୍ୱସ୍ତରୀୟ ସିନେମା କ୍ଷେତ୍ରରେ ନବାଜଙ୍କ ଯୋଗଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି । ଫିଲ୍ମ ଫେଷ୍ଟିଭାଲର ସଂସ୍ଥାପକ ରାହିଲ୍ ଅବାସଙ୍କ ବିଶେଷ ଅତିଥି ଭାବେ ଯୋଗ ଦେବେ ନବାଜ୍ ।
ଅମୀର୍ ଖାନଙ୍କ ବ୍ଲକବଷ୍ଟର୍ ଫିଲ୍ମ ‘ସରଫରୋସ୍’ରୁ ନବାଜ୍ ବଲିଉଡରେ ଏଣ୍ଟ୍ରୀ କରିଥିଲେ ମଧ୍ୟ ଅନୁରାଗ କାଶ୍ୟପଙ୍କ ‘ଗ୍ୟାଙ୍ଗସ୍ ଅଫ୍ ବୋସେପୁର’ ମାଧ୍ୟମରେ ତାଙ୍କୁ ସଫଳତା ମିଳିଥିଲା । ବଡ଼ ପରଦା ସହିତ ଅନେକ ୱେବସିରିଜରେ ମଧ୍ୟ ନବାଜଙ୍କ ଅଭିନୟ ଦର୍ଶକଙ୍କୁ ଆକୃଷ୍ଟ କରୁଛି । ନବାଜଙ୍କ ଅପକମିଙ୍ଗ୍ ଫିଲ୍ମ ‘ମୋତିଚୁର୍ ଚକନାଚୁର୍’ ଆଗାମୀ ନଭେମ୍ବର ୧୫ ତାରିଖରେ ସିନେମାଘରକୁ ଆସିବ । ଏଥିରେ ନବାଜଙ୍କ ସହିତ ଅଛନ୍ତି ଆଥିୟା ସେଟ୍ଟି । ଆଜିକାଲି ନବାଜ୍ ଏହି ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ।











