ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ

ସପ୍ତାହେ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ଝାରସୁଗୁଡ଼ା ବିଧାୟକ ନବ ଦାସ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ତାଙ୍କ ସମର୍ଥକଙ୍କ ସହିତ ବିଜେଡିରେ ମିଶିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କୁ ବିଜେଡ଼ି ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ନବ ଦାସଙ୍କ ସହିତ ଝାରସୁଗୁଡ଼ା ଜିଲ୍ଲା ପରିଷଦର ଅଧ୍ୟକ୍ଷ ଓ ୭ ଜଣ ସଦସ୍ୟ ମଧ୍ୟ ବିଜେଡିରେ ମିଶିଛନ୍ତି। ଏହା ସହିତ ୫ଟି ବ୍ଲକ୍‌ର ସମସ୍ତ କଂଗ୍ରେସ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମଧ୍ୟ ବିଜେଡିରେ ମିଶିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଝାରସୁଗୁଡ଼ା ଗସ୍ତରେ ଆସିଥିବା ବେଳେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।

ଜାନୁଆରୀ ୧୬ ତାରିଖରେ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଅବଶ୍ୟ କଂଗ୍ରେସ କହିଛି ଯେ ସେ ଇସ୍ତଫା ଦେବା ପୂର୍ବରୁ ଦଳ ତାଙ୍କୁ ବହିଷ୍କାର କରାଯାଇଥିଲା। ଏହି ଅବସରରେ ବରଗଡ଼ ସାଂସଦ ପ୍ରଭାସ ସିଂହ, ସମ୍ବଲପୁର ବିଧାୟକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ଓ ଅନୁପ ସାଏ ପ୍ରମୁଖ ଉପସ୍ଥିତ ଥିଲେ।

କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ନବ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ସେ ବିଜେଡିରେ ମିଶିବେ। ତାଙ୍କ ଅଞ୍ଚଳବାସୀ ଚାହୁଁଥିବା ଯୋଗୁ ସେ ବିଜେଡିରେ ମିଶିବେ ବୋଲି ଲେଖିଥିଲେ। ସୂଚନାଯୋଗ୍ୟ, ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ନବ ଦାସ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କୁ ପରାସ୍ତ କରିଥିଲେ।

ଝାରସୁଗୁଡ଼ା ଜିଲ୍ଲା ଅମଲିପାଲିଠାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ପାଇଁ ୬୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଆଜି ଝାରସୁଗୁଡ଼ା ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା, ଲଖନପୁର ବ୍ଲକ୍‌ରେ ୩୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୬ଟି ଉଠା ଜଳସେଚନ ପ୍ରକଳ୍ପ ଓ ୧୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଝାରସୁଗୁଡ଼ା ଓ କିରମିରା ବ୍ଳକ୍‌ର ୨ଟି ଗ୍ରିଡ୍‌ ସବ୍‌ଷ୍ଟେସନକୁ ଉଦ୍‌ଘାଟନ କରିଛନ୍ତି।


ସେହିପରି ୧୪୫ କୋଟି ଟଙ୍କା ବ୍ୟୟ ଅଟକଳରେ ଝାରସୁଗୁଡ଼ା କ୍ୟାନସର କେୟାର ହସ୍‌ପିଟାଲ, ୩୮୮ କୋଟି ଟଙ୍କା ବ୍ୟୟ ଅଟକଳର ଜଳସେଚନ ପ୍ରକଳ୍ପ, ୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ଚଉକିପଡ଼ା ରେଳ ଓଭରବ୍ରିଜ୍‌ର ଶିଳାନାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ୩୪୮୯ ଏସଏଚଜିଙ୍କୁ ଡିଜିଟାଲ ସଶକ୍ତିକରଣ ସହାୟତା ବାବଦରେ ୧ କୋଟି ଟଙ୍କା ପ୍ରଦାନ ସହିତ ୧୦୦୨ ଭୂମିହୀନ ପରିବାରକୁ ଭୂମିପଟ୍ଟା ଆବଣ୍ଟନ କରିଛନ୍ତି।

Leave a Reply

Your email address will not be published. Required fields are marked *