ରିଲିଜ୍ ହେବନି ‘ମୁନ୍ନାଭାଇ’ ଫ୍ରାଞ୍ଚାଇଜର ୩ୟ ସଂସ୍କରଣ

ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏବଂ ସଞ୍ଜୁବାବାଙ୍କ ଅଭିନୀତ ‘ମୁନ୍ନାଭାଇ ଏମବିବିଏସ୍’ ଓ ‘ଲଗେ ରହେ ମୁନ୍ନା ଭାଇ’ ଦେଖିବା ପରେ ସିନେପ୍ରେମୀ ଏହାର ୩ୟ ସଂସ୍କରଣ ପାଇଁ ଚାତକ ଭଳି ଅନେଇ ବସିଥିଲେ । କିନ୍ତୁ ଏବେ ସେମାନଙ୍କ ପାଇଁ ଏକ ନିରାଶଜନକ ଖବର ଆସିଛି । ‘ମୁନ୍ନାଭାଇ’ ଫ୍ରାଞ୍ଚାଇଜର ୩ୟ ସଂସ୍କରଣ ବନ୍ଦ ହୋଇଯାଇଛି ବୋଲି ବୋମନ୍ ଇରାନୀ କହିଛନ୍ତି । ଆଜିକାଲି ‘ମେଡ୍ ଇନ୍ ଚାଇନା’ର ପ୍ରମୋସନରେ ବ୍ୟସ୍ତ ରହୁଥିବା ବୋମନଙ୍କୁ ଏ ସମ୍ପର୍କିତ କିଛି ପ୍ରଶ୍ନ କରାଯାଇଥିଲା ।

ବୋମନ୍ କହିଥିଲେ ଯେ – ଏହାର ୩ୟ ଭାଗର ପ୍ରି-ପ୍ରଡକସନ୍ କାମ ଚାଲିଛି ବୋଲି ଉଡ଼ା ଖବର ପ୍ରଚାର ହେଉଛି । କିନ୍ତୁ ସତ କଥା ହେଲା ଏହି ଫିଲ୍ମକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରାଯାଇଛି । କାରଣ ରାଜକୁମାର ହିରାନୀଙ୍କୁ ଫିଲ୍ମର କାହାଣୀ ପସନ୍ଦ ହୋଇନାହିଁ । ପୂର୍ବ ଦୁଇଟି କାହାଣୀ ସହିତ ଏହି ନୂଆ କାହାଣୀର କୌଣସି ତାଳମେଳ ରହୁନାହିଁ । ଏଭଳି କାହାଣୀ କେବଳ ଦର୍ଶକଙ୍କୁ ନିରାଶ ହିଁ କରିବ । ତେଣୁ ଏକ ଭଲ କାହାଣୀ ମିଳିବା ପର୍ଯ୍ୟନ୍ତ ଫିଲ୍ମ ଆରମ୍ଭ କରାଯିବ ନାହିଁ । ପୂର୍ବ ଦୁଇଟି ଫିଲ୍ମ ଦର୍ଶକଙ୍କର ବେଶ୍ ମନୋରଞ୍ଜନ କରିଥିଲା । ତେଣୁ ତାହାକୁ ଦୃଷ୍ଟିରେ ରଖି ହିରାନୀ ଏକ ପରଫେକ୍ଟ କାହାଣୀର ସନ୍ଧାନ କରୁଛନ୍ତି । ତେବେ ‘ମୁନ୍ନାଭାଇ’ ଫ୍ରାଞ୍ଚାଇଜର ୩ୟ ସଂସ୍କରଣକୁ ଅପେକ୍ଷା କରି ବସିଥିବା ପ୍ରଶଂସକଙ୍କ ଅପେକ୍ଷା କେଉଁ ଦିନ ସରିବ, ତାହା କେବଳ ସମୟ ହିଁ କହିବ ।

Leave a Reply

Your email address will not be published. Required fields are marked *