ଆଉ ଏକ ଗ୍ୟାଙ୍ଗଷ୍ଟର୍ ଫିଲ୍ମ ନେଇ ଫେରୁଛନ୍ତି ସଞ୍ଜୟ
‘କାଣ୍ଟେ’, ‘ଜିନ୍ଦା’, ‘ମୁସାଫିର୍’, ‘ସୁଟଆଉଟ୍ ଆଟ୍ ଲୋଖଣ୍ଡବାଲା’ ଓ ‘କାବିଲ୍’ ଭଳି ସୁପରହିଟ୍ ଫିଲ୍ମର ସଫଳ ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା ଗ୍ୟାଙ୍ଗଷ୍ଟର୍ ଆଧାରିତ ଆଉ ଏକ ଫିଲ୍ମ ନେଇ ଆସୁଛନ୍ତି । ସଞ୍ଜୟଙ୍କ ନିର୍ଦ୍ଦେଶିତ ଏବଂ ଭୂଷଣ କୁମାରଙ୍କ ପ୍ରଯୋଜିତ ଏହି ଫିଲ୍ମର ନାଁ ରଖାଯାଇଛି ‘ମୁମ୍ବାଇ ସାଗା’ । ଫିଲ୍ମର ସମ୍ପୂର୍ଣ୍ଣ ଷ୍ଟାରକାଷ୍ଟ୍ ସହିତ ନିର୍ଦ୍ଦେଶକ ସଞ୍ଜୟ ଓ ଭୂଷଣ କୁମାର ଏକ ଗ୍ରୁପ୍ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିବା ସହିତ ଏହି ଖବର ଦେଇଛନ୍ତି । ସେହି ଫଟୋରେ ସମସ୍ତେ କଳା ରଙ୍ଗର ଡ୍ରେସରେ ନଜର ଆସୁଛନ୍ତି । ଏଥିରେ ଇମରାନ୍ ହାସମି, ଜନ୍ ଆବ୍ରାହମ୍, ଜ୍ୟାକି ସ୍ରଫ୍, ରୋହିତ ରୟ, ଗୁଲସନ୍ କୁମାର, ପ୍ରତିକ୍ ବବର୍, ଅମୋଲ୍ ଗୁପ୍ତା, ଓ ସୁନିଲ୍ ସେଟ୍ଟି ବିଭିନ୍ନ ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିବେ ।
ଫିଲ୍ମର କାହାଣୀ ୧୯୮୦ରୁ ୧୯୮୦ ମଧ୍ୟରେ ମୁମ୍ବାଇରେ ଗ୍ୟାଙ୍ଗଷ୍ଟରମାନଙ୍କ ଭୟ ଓ ଗ୍ୟାଙ୍ଗ୍ୱାର୍ ଉପରେ ଆଧାରିତ । ବମ୍ବେରୁ ମୁମ୍ବାଇ ହେବା ପଛର କାହାଣୀ ମଧ୍ୟ ଏଥିରେ ପ୍ରଦର୍ଶିତ ହେବ । ‘ମୁମ୍ବାଇ ସାଗା’ ସମ୍ପର୍କରେ ସଞ୍ଜୟ କହିଛନ୍ତି ଯେ ‘ମୁଁ ମୋର ୨୫ ବର୍ଷର କ୍ୟାରିୟର୍ ଭିତରେ ୧୭ଟି ଫିଲ୍ମ କରିଛି । ସବୁ ଫିଲ୍ମକୁ ଦର୍ଶକ ପସନ୍ଦ କରିଛନ୍ତି । କିନ୍ତୁ ‘ମୁମ୍ବାଇ ସାଗା’ ଅନ୍ୟ ସବୁ ଫିଲ୍ମ ଅପେକ୍ଷା ଆହୁରି ନିଆରା ହେବ ଏବଂ ଦର୍ଶକଙ୍କୁ ଏହା ଖୁବ୍ ଆକୃଷ୍ଟ କରିବ’ । ତେବେ ଖୁବ୍ ଶୀଘ୍ର ଫଲ୍ମଟି ଫ୍ଲୋରକୁ ଆସିବ ବୋଲି ସୂଚନା ମିଳିଛି ।