ନିର୍ବାଚନ ଲଢ଼ିବେ ନାହିଁ ମୁଲାୟମ

ସମାଜବାଦୀ ଆନ୍ଦୋଳନର ଅନ୍ୟତମ ପୁରୋଧା ତଥା ସପାର ସବୁଠାରୁ ବଡ଼ ନେତା ମୁଲାୟମ ସିଂ ଯାଦବ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିସାରିଲେଣି। ତାଙ୍କ ଗଡ଼ ହେଉଛି ଆଜାମଗଡ଼। ଅନେକଥର ନେତାଜୀ ଭାବେ ପରିଚିତ ମୁଲାୟମ ସିଂ ଏହି ଆସନରୁ ଲୋକସଭାକୁ ଯାଇଛନ୍ତି। ଗତ ଲୋକସଭା ନିର୍ବାଚନରେ ସେ ଏହି ଆସନରୁ ନିର୍ବାଚନ ଜିତିଥିଲେ। ତେବେ ଏଥରର ସାଧାରଣ ନିର୍ବାଚନରେ ମୁଲାୟମ ଆଜାମଗଡ଼ରୁ ପ୍ରାର୍ଥୀ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି।

ପୂର୍ବ ଉତ୍ତରପ୍ରଦେଶର ଏହି ଲୋକସଭା ଆସନ ସମାଜବାଦୀ ଦଳ ସକାଶେ ସମ୍ମାନଜନକ ନିର୍ବାଚନୀ ମଣ୍ଡଳୀ ହୋଇରହିଛି। ଏହାକୁ ସମାଜବାଦୀ ଦଳର ଗଡ଼ ଭାବେ ଲୋକେ ଗ୍ରହଣ କରନ୍ତି। ବହୁ ନିର୍ବାଚନରେ ସପା ପ୍ରାର୍ଥୀମାନେ ଏଠାରୁ ନିର୍ବାଚିତ ହୋଇଯାଇଛନ୍ତି ବିନା କିଛି ଅଡୁଆରେ। ୨୦୧୪ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ଆଜାମଗଡ଼ ଏବଂ ମୈନପୁରୀରୁ ନିର୍ବାଚନ ଲଢି ଦୁଇଟି ଯାକରେ ବିଜୟଲାଭ କରିଥିଲେ। ତେବେ ସେ ମୈନପୁରୀକୁ ଛାଡିଦେଇ ଆଜାମଗଡ଼ ଆସନକୁ ରଖିଥିଲେ ନିଜ ପାଖରେ।

ଲୋକସଭାର ଶେଷ ଅଧିବେଶନରେ ନେତାଜୀ ନିଜ ଶେଷ ବକ୍ତବ୍ୟ ରଖିଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିବା ସହ ସେ ଆଉଥରେ ପ୍ରଧାନମନ୍ତ୍ରୀ ବନନ୍ତୁ ବୋଲି ଆଶାବାଣୀ ଶୁଣାଇଥିଲେ। ତାଙ୍କର ସେ ବକ୍ତବ୍ୟ ଓ ଆଜାମଗଡ଼ରୁ ନିର୍ବାଚନ ନଲଢିବା ଘୋଷଣା ଉତ୍ତରପ୍ରଦେଶ ରାଜନୀତିରେ ବଡ଼ରୋଚକ ଅବସ୍ଥା ସୃଷ୍ଟି କରିଛି।

ମୁଲାୟମଙ୍କ ପୁଅ ଅଖିଳେଶ ଯାଦବ ଏଥର ବିଜେପିକୁ ରୋକିବା ପାଇଁ ବଡ଼ ବିରୋଧୀ ବିଏସପି ସହ ମେଣ୍ଟ କରିଛନ୍ତି। ଉଭୟ ୩୭-୩୮ ସମୀକରଣରେ ମେଣ୍ଟ କରିବା ପାଇଁ ରାଜି ହୋଇଛନ୍ତି। ଏହି ଆଜାମଗଡ଼ ଆସନ ଏବେ ପଡିଛି ଏସପି ଭାଗରେ। ତେଣୁ ନେତାଜୀ ମନା କରିବା ଅବସ୍ଥାରେ ଏହି ଆସନରୁ କାହାକୁ ଏସପି ଛିଡା କରିବ ତାହାକୁ ନେଇ ଚାଲିଛି ବଡ଼ ଚର୍ଚ୍ଚା। ଏସପି ଭିତରର କିଛି ଲୋକଙ୍କର କହିବାନୁସାରେ ଅଖିଳେଶ ନହେଲେ ତାଙ୍କ ପନିୀ ଡିମ୍ପଲ ଯାଦବ ଏହି ଆସନରୁ ନିର୍ବାଚନ ଲଢିପାରନ୍ତି।

ଯାଦବ ସମ୍ପ୍ରଦାୟର ବହୁଳତା ଥିବାରୁ ଏହି ଆସନ ଜିତାଇବା ପାଇଁ ସବୁବେଳେ ସେମାନଙ୍କର ସହଯୋଗ ଆବଶ୍ୟକ ହୋଇଛି। ୧୯୬୨ ରୁ ୧୯୭୧ ଯାଏଁ କଂଗ୍ରେସରୁ ଯାଦବ ପ୍ରାର୍ଥୀମାନେ ହିଁ ନିର୍ବାଚନ ଜିତିଛନ୍ତି। ୧୯୭୭ ମସିହା ଯେତେବେଳେ ଜନତାପାର୍ଟିର ହାୱା ବୋହୁଥିଲା ସେତେବେଳେ ଏଠାରୁ ରାମନରେଶ ଯାଦବ ନିର୍ବାଚନ ଜିତିଥିଲେ। ୧୯୭୮ରେ ଉପନିର୍ବାଚନ ହୋଇଥିଲା ବେଳେ ମହସିନା କିଦୱାଇ ନିର୍ବାଚିତ ହୋଇଥିଲେ। ତେବେ ୧୯୮୦ରେ ଜନତାପାର୍ଟି ଧର୍ମନିରପେକ୍ଷର ଚନ୍ଦ୍ରଜିତ ଯାଦବ, ୧୯୮୯ରେ ବସପାର ରାମକୃଷ୍ଣ ଯାଦବ ଏବଂ ୨୦୦୯ରେ ସପାରୁ ଆସି ବିଜେପିରେ ମିଶିଥିବା ରମାକାନ୍ତ ଯାଦବ ଜିତିଥିଲେ ନିର୍ବାଚନ। ତେବେ ୨୦୧୪ରେ ମୁଲାୟମ ସିଂ ଯାଦବ ଏଠାରୁ ନିର୍ବାଚନ ଲଢିବା ଦ୍ୱାରା ସପା ସକାଶେ ଏହି ସିଟ ଜିତିବା ସହଜ ହୋଇଯାଇଥିଲା।

ପ୍ରାୟତଃ ଯେଉଁ ଦଳ ବି ଏଠାରୁ ନିର୍ବାଚନ ଜିତିଛନ୍ତି ସେମାନଙ୍କର ପ୍ରାର୍ଥୀ ଯାଦବ ବଂଶର ରହିଛନ୍ତି ପ୍ରାୟ। ଏସପି ଓ ବିଏସପି ଏଥର ଲୋକସଭା ନିର୍ବାଚନ ସକାଶେ ଏକାଠି ଆସିଥିବାରୁ ଏହାର ଫାଇଦା ଆଜାମଗଡ଼ରେ ବି ମିଳିବ ମେଣ୍ଟକୁ। ଗତ ନିର୍ବାଚନରେ ମୁଲାୟମ ଜିତିଥିଲା ବେଳେ ବିଜେପିର ରମାକାନ୍ତ ଯାଦବ ଦ୍ୱିତୀୟ ଏବଂ ବିଏସପିର ଶାହା ଆଲାମ ତୃତୀୟ ସ୍ଥାନରେ ରହିଥିଲେ। ଏବେ ଏସପି ଓ ବିଏସପି ଏକାଠି ହୋଇଥିବାରୁ ଭୋଟ ନିଶ୍ଚିତ ଭାବରେ ମେଣ୍ଟର ପ୍ରାର୍ଥୀଙ୍କୁ ଅଧିକ ମିଳିବ ବୋଲି ସାଧାରଣ ଗାଣିତିକ ସୂତ୍ରରୁ ବୁଝାପଡିଯାଉଛି। ସେ ଅବସ୍ଥାରେ ଏସୗପିର ନେତା ଏହି ଆସନ ବଜାୟ ରଖିବାକୁ ସକ୍ଷମ ହେବେ ବୋଲି ସାଧାରଣରେ ଧାରଣା ବନିଛି।

ବିଜେପି ପୁଣି ଥରେ ଏଠାରୁ ବାହୁବଳୀ ନେତା ରମାକାନ୍ତ ଯାଦବଙ୍କୁ ଟିକଟ ଦବା ପାଇଁ ଏକରକମ ମନ ବନାଇସାରିଛି। ଏସପିରେ ଅନେକ ଦିନ ଥିବାରୁ ରମାକାନ୍ତ ଏସପି ରଣନୀତିର ଠିକଣା ମୁକାବିଲା ୨୦୧୯ରେ କରିପାରିବେ ବୋଲି ଦଳର ଧାରଣା। ତେବେ ନେତାଜୀଙ୍କ ନିର୍ବାଚନ ଏଠାରୁ ନଲଢିବାର ବୟାନ ସହ ଆଉ ଏକ ବୟାନ ମଧ୍ୟ ଆସିସାରିଛି। ତା’ହେଲା ଆଜାମଗଡ଼ରୁ କିଏ ଏସପି ପ୍ରାର୍ଥୀ ହେବ ତାହା ମୁଁ ନିଶ୍ଚିତ କରିବି ବୋଲି ମୁଲାୟମ କହିଛନ୍ତି। ତେଣୁ ସେପରି ଅବସ୍ଥାରେ ବୋହୂ ଡିମ୍ପଲ ନା ଅନ୍ୟ କାହାକୁ ନେତାଜୀ ଏହି ସିଟ ପାଇଁ ବାଛୁଛନ୍ତି ତାହା ଦେଖିବାକୁ ଏସପି ନେତାମାନେ ଅପେକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *