କଂଗ୍ରେସକୁ ଶକ୍ତ ଧକ୍କା : ମୁକ୍ତିକାନ୍ତ ନିର୍ବାଚନ ଲଢ଼ିବାକୁ ରୋକଠୋକ୍ ମନା କଲେ
ନିର୍ବାଚନରେ ଦଳୀୟ ଟିକେଟ ପାଇଁ କଂଗ୍ରେସ ନେତାମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ରାଉରକେଲା ବିଧାନସଭା ଆସନରୁ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିବାକୁ କଂଗ୍ରେସ ଗତକାଲି ବିଳମ୍ବିତ ରାତ୍ରିରେ ଘୋଷଣା କରିବାର ୨୪ଘଣ୍ଟା ନପୁରୁଣୁ ସେ ନିର୍ବାଚନ ଲଢ଼ିବାକୁ ରୋକଠୋକ୍ ମନା କରିଦେଇଛନ୍ତି। ଫଳରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି।
ଗତକାଲି ରାତିରେ ତାଙ୍କ ନାମ ପିସିସି ପକ୍ଷରୁ ଘୋଷରା ହେବାପରେ ଆଜି ସେ ଏହାକୁ ପ୍ରତ୍ୟାଖାନ କରିଦେଇଛନ୍ତି। ରାଜନୀତିରେ ପ୍ରବେଶ କରିବାର ତାଙ୍କର କୌଣସି ଆଗ୍ରହ ନାହିଁ କହି ଶ୍ରୀ ବିଶ୍ୱାଳ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଜଣାଇଛନ୍ତି। ତାଙ୍କ ନାଁ ଘୋଷଣା ହୋଇଥିଲେ ମଧ୍ୟ ସେ କଂଗ୍ରେସ ଟିକେଟ ଆଣିବେ ନାହିଁ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ନିର୍ମାଣ ଓ ଆଇଜିଏଚକୁ ସୁପରସ୍ପେଶାଲିଟି ହସ୍ପିଟାଲ ମାନ୍ୟତା ଦାବିରେ ଶ୍ରୀ ବିଶ୍ୱାଳ ରାଉରକେଲାରୁ ଦିଲ୍ଲୀ ଚାଲି ଚାଲି ଯାଇ ଚର୍ଚ୍ଚାର ପରିସରକୁ ଆସିଥିଲେ।