କରୋନା ଆତଙ୍କ: ମିଜୋରାମରୁ ୩୩୮ ବନ୍ଦୀଙ୍କୁ ମୁକ୍ତି
ଆଇଜଲ, (ଓଟି): ମିଜୋରାମ ସରକାର ରାଜ୍ୟ ର ବିଭିନ୍ନ ଜେଲ୍ରେ ବନ୍ଦୀଥିବା ୩୩୮ଜଣଙ୍କୁ ମୁକ୍ତ କରିଛନ୍ତି। ବିଭିନ୍ନ ଜିଲ୍ଲାର ଡେପୁଟୀ କମିଶନର ଏବଂ ଏସ୍ପି ମାନଙ୍କୁ ଏମାନଙ୍କୁ ସେମାନଙ୍କ ଘରେ ସୁରକ୍ଷିତ ଭାବେ ପହଞ୍ଚାବାକୁ ନିର୍ଦେଶ ଦେଇଛନ୍ତି। ଏହି ପ୍ୟାରୋଲ୍ରେ ମୁକ୍ତି ପାଇଥିବା ବନ୍ଦୀଙ୍କ ଭିତରେ ୪୮ଜଣ ଅପରାଧୀ ହୋଇଥିବା ବେଳେ ୨୯୦ ଜଣ ହେଉଛନ୍ତି ବିଚାରାଧୀନ ବନ୍ଦୀ।
ମିଜୋରାମ ସରକାରଙ୍କ ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍ ବାର୍ତ୍ତାରେ କୁହାଯାଇଛି ଯେ, ସୁପ୍ରିମ୍କୋର୍ଟଙ୍କ ମାର୍ଚ ୨୩ ତାରିଖର ନିର୍ଦେଶ ଅନୁସାରେ ଆବଶ୍ୟକ ସମୀକ୍ଷା କରିବା ପରେ ମିଜେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ସମୀକ୍ଷା ବୈଠକ ଗୌହାଟୀ ହାଇକୋର୍ଟ ଜଜ୍ ମାଇକେଲ୍ ଜୋଥାନ୍କୁମାଙ୍କ ନେତୃତ୍ଵରେ ଗଠନ କରାଯାଇଥିଲା।
କରୋନା ଭୁତାଣୁ ସଂକ୍ରମଣ ସମୟରେ ଜେଲ୍ଗୁଡ଼ିକୁ ଗହଳିମୁକ୍ତ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି।