ଇରାନ୍‌ରେ ଫସିଛନ୍ତି ୬ ହଜାର ଭାରତୀୟ

ନୂଆଦିଲ୍ଲୀ (ଓଟି): ଅଣାୟତ୍ତ ଅବସ୍ଥାରେ କରୋନା ବ୍ୟାପିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତ ସମେତ ୧୨୦ଟି ରାଷ୍ଟ୍ର ଏହି ମାରାତ୍ମକ ଭାଇରସ୍‌ରେ ପ୍ରଭାବିତ ହୋଇଛନ୍ତି। ଏପରିକି ୧,୨୫,୦୦୦ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗୁରୁବାର ଲୋକସଭାରେ କେତେକ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି। ସେହିପରି ଇରାନ୍‌ରେ ୬ ହଜାର ଭାରତୀୟ ଫସି ରହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଗୃହରେ ସୂଚନା ଦେଇଛନ୍ତି।

ଗୃହରେ ମନ୍ତ୍ରୀ ଉପସ୍ଥାପନ କରିଥିବା ସୂଚନା ଅନୁସାରେ କୋଭିଡ-୧୯ ବା କରୋନା ସଂକ୍ରମଣ ରୋକିବା ଲାଗି ସରକାର ଅନେକ ପଦକ୍ଷେପ ନେଉଛନ୍ତି। ପୂର୍ବରୁ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ୭ଟି ବଡ଼ ବିମାନବନ୍ଦରରେ ସ୍କ୍ରିନିଂ କରାଯାଉଥିବାବେଳେ ସମ୍ପ୍ରତି ୩୦ଟି ବିମାନବନ୍ଦରରେ ସେଭଳି ସୁବିଧା କରାଯାଇଛି। କରୋନା ସଂକ୍ରମଣ ଯୋଗୁଁ ବିଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି। ଅଦ୍ୟାବଧି ସରକାର ୯୦୦ ଭାରତୀୟ ନାଗରିକଙ୍କ ସମେତ ମାଳଦ୍ୱୀପ, ମିଆଁମାର, ବାଂଲାଦେଶ, ଚୀନ୍‌, ଆମେରିକା, ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଏବଂ ପେରୁର ୪୮ ଜଣ ନାଗରିକଙ୍କୁ ଉଦ୍ଧାର କରିଛନ୍ତି। ଅନ୍ୟପକ୍ଷରେ ଇରାନ୍‌ରେ ୬,୦୦୦ ଭାରତୀୟ ଫସି ରହିଥିବାବେଳେ ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ର ଓ କଶ୍ମୀରରୁ ଯାଇଥିବା ପ୍ରାୟ ୧୧୦୦ ଜଣ ତୀର୍ଥଯାତ୍ରୀ ଅଛନ୍ତି। ସେହିପରି ୬୦୦ ଜଣ ଛାତ୍ରଛାତ୍ରୀ ମଧ୍ୟ ସେଠାରେ ରହିଛନ୍ତି। ଇରାନ୍‌ରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ଦିଲ୍ଲୀ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ବାୟୁସେନାର ଏକ ସ୍ଵତନ୍ତ୍ର ବିମାନ ଯୋଗେ ଇରାନ୍‌ରୁ ୧୨୦ ଜଣ ଭାରତୀୟ ନାଗରିକ ରାଜସ୍ଥାନର ଜୟସାଲମେର୍‌ରେ ଶୁକ୍ରବାର ପହଞ୍ଚିବାର ରହିଛି। ସେହିପରି ଆଉ ଏକ ଟିମ୍‌ ଆସନ୍ତା ୧୫ରେ ଭାରତୀୟଙ୍କୁ ଉଦ୍ଧାର କରିଆଣିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *