ସ୍ଵିଜରଲାଣ୍ଡ୍ରେ ଫସିଛନ୍ତି ମୋନାଲି
ନୂଆଦିଲ୍ଲୀ (ଓଟି): ସ୍ଵିଜରଲାଣ୍ଡରେ ଫସି ରହିଛନ୍ତି ମୋନାଲି। ହଁ ବଲିଉଡ୍ର ଅନ୍ୟତମ ଚର୍ଚ୍ଚିତ ଗାୟିକା ମୋନାଲି ଠାକୁର। ବଙ୍ଗାଳୀ ଅଭିନେତ୍ରୀ ତଥା ସାଂସଦ ମିମି ଚକ୍ରବର୍ତ୍ତୀ କରୋନା ପାଇଁ କ୍ଵାରେଣ୍ଟାଇନ୍ରେ ଥିବାବେଳେ ଅନ୍ୟତମ ଗାୟିକା କନିକା କପୁର କରୋନା ଆକ୍ରାନ୍ତ ସହ ବିବାଦରେ ଫସିଯାଇଛନ୍ତି। ଏଭଳି ସ୍ଥିତିରେ ମୋନାଲିଙ୍କ ଏକ ଭଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେଥିରେ ସେ ସ୍ଵିଜରଲାଣ୍ଡରେ ଫସି ରହିଥିବା ସ୍ପଷ୍ଟ ଭାବେ କହୁଛନ୍ତି।
ସୂଚନା ଅନୁସାରେ କଣ୍ଠଶିଳ୍ପୀ କନିକା କପୁର କରୋନା ଆକ୍ରାନ୍ତ ହୋଇଥିଲେ ମଧ୍ୟ ସରକାରଙ୍କୁ ତଥ୍ୟ ଲୁଚାଇବା ସହ ଏକ ବଡ଼ ପାର୍ଟିରେ ଯୋଗ ଦେଇଥିଲେ। ଫଳରେ ତାଙ୍କ ସଂଶ୍ପର୍ସରେ ୩୦୦ରୁ ଅଧିକ ବ୍ୟକ୍ତି ଆସିଥିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ନେଇ ଏ ବିବାଦ ସୃଷ୍ଟି ହୋଇଥିବାବେଳେ କଣ୍ଠଶିଳ୍ପୀ ମୋନାଲି ସ୍ଵିଜରଲାଣ୍ଡରେ ଫସି ରହିବା ନେଇ ବଲିଉଡ୍ରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି। ୧୫ ମିନିଟ୍ର ଭିଡିଓରେ ସେ ନିଜର ଦୁଃଖ ବଖାଣୁଛନ୍ତି ଏବଂ ଉକ୍ତ ଭିଡିଓ ଆଧାରରେ କେନ୍ଦ୍ର ସରକାର ମୋନାଲିଙ୍କୁ ସାହାଯ୍ୟ କରିବେ ବୋଲି ସୂଚନା ମିଳିଛି। ମୋନାଲି ନିଜ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଉକ୍ତ ଭିଡିଓ ପୋଷ୍ଟ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ କୋବିଡ୍-୧୯ ତଥା କରୋନା ମହାମାରୀ ପାଇଁ ସମଗ୍ର ବିଶ୍ଵ ଆତଙ୍କିତ ହୋଇପଡ଼ିଛି। ହଜାର ହଜାର ଲୋକ କରୋନା ଆକ୍ରାନ୍ତ ହୋଇ ଥିବାବେଳେ ଅନେକ ଜୀବନ ଚାଲିଗଲାଣି। ସେହିପରି ବିଭିନ୍ନ ଦେଶ ବିଦେଶରେ ହଜାର ହଜାର ଲୋକ ଫସି ରହିବା ସହ ନିଜ ଦେଶକୁ ଫେରିବା ପାଇଁ ବ୍ୟାକୁଳ ହେଉଛନ୍ତି।