ବିଜେପିରେ ମୋହନ-ଅର୍ଜୁନ
ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ଓ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଟିକେଟ୍ ବଣ୍ଟନରେ ଅସନ୍ତୁଷ୍ଟ ବ୍ୟକ୍ତ କରି ସାଂସଦ ଅର୍ଜୁନ ଚରଣ ସେଠୀ ଆଜି ଶାସକ ବିଜେଡ଼ି ଦଳ ଛାଡ଼ିଥିଲେ। ତାଙ୍କୁ କିମ୍ବା ପୁଅଙ୍କୁ ଟିକେଟ ନ ମିଳିବାରୁ ସେ ଆଜି ସକାଳେ ଦଳ ବିରୋଧରେ ବିଷୋଦଗାର କରିଥିଲେ। ଏହାପରେସେ ନିଜ ଇସ୍ତଫା ପତ୍ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିଲେ। ଅନୁରୂପ ମୋହନ ଜେନା ମଧ୍ୟ ଟିକେଟ୍ ବଣ୍ଟନରେ ଅସନ୍ତୁଷ୍ଟ ବ୍ୟକ୍ତ କରି ମାର୍ଚ୍ଚ ୨୮ରେ ବିଜେଡିରୁ ଇସ୍ତଫା ଦେଇଥିଲେ।
୪୦ ବର୍ଷ ଧରି ରାଜନୀତିରେ ସକ୍ରିୟ ଥିବା ଅର୍ଜୁନ ଚରଣ ସେଠୀ ହେଉଛନ୍ତି୯ ଥରର ସାଂସଦ। ସେ ବିଜେଡି ଟିକେଟରେ ୧୯୯୮, ୧୯୯୯, ୨୦୦୦ , ୨୦୦୪, ୨୦୦୯ ଓ ୨୦୧୪ କ୍ରମାଗତ ବିଜୟୀ ହୋଇ ଭଦ୍ରକ ଲୋକସଭାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ପ୍ରଥମ ଥର ୧୯୭୧ରେ ପଞ୍ଚମ ଲୋକସଭାରେ ଭଦ୍ରକ ସଂସଦୀୟ କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ସପ୍ତମ ଲୋକସଭା ନିର୍ବାଚନ ୧୯୮୦ରେ ପୁର୍ନବାର କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ।
ଏହି କ୍ରମରେ ସେ ୧୯୯୧ ଦଶମ ଲୋକସଭା ନିର୍ବାଚନରେ ଜନତା ଦଳ ପକ୍ଷରୁ ଭଦ୍ରକ ଲୋକସଭାରୁ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୧୯୯୮, ୧୯୯୯, ୨୦୦୦ , ୨୦୦୪, ୨୦୦୯ ଓ ୨୦୧୪ରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମାତ୍ର ଏଥର ତାଙ୍କୁ କିମ୍ବା ପୁଅଙ୍କୁ ଟିକେଟ ନ ମିଳିବାରୁ ସେ ଆଜି ସକାଳେ ଦଳ ବିରୋଧରେ ବିଷୋଦଗାର କରିଥିଲେ । ଏହାପରେସେ ନିଜ ଇସ୍ତଫା ପତ୍ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିଲେ।
ମୋହନ ଜେନା ୨୦୦୪ ଓ ୨୦୦୯ ନିର୍ବାଚନରେ ଦଳୀୟ ଟିକେଟରେ ନିର୍ବାଚନ ଲଢି କ୍ରମାଗତ ଦୁଇ ଥର ବିଜୟୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଯାଜପୁର ସଂସଦୀୟ କ୍ଷେତ୍ରରେ ତାଙ୍କର ପତିଆରା ମଧ୍ୟ ରହିଛି। ମାତ୍ର ଗତ ନିର୍ବାଚନରେ ତାଙ୍କୁ ଟିକେଟ୍ ମିଳିନଥିଲା। ୨୦୧୪ରେ ଦଳ ରୀତା ତରାଇଙ୍କୁ ପ୍ରାର୍ଥୀ କରିଥିଲା ଏବଂ ସେ ବିଜୟୀ ମଧ୍ୟ ହୋଇଥିଲେ। ମାତ୍ର ଏଥର ମଧ୍ୟ ବିଜେଡି ଟିକେଟ୍ ବଣ୍ଟନରେ ତାଙ୍କୁ ଅଣଦେଖା କରିଥିଲା।
ଅର୍ଜୁନଙ୍କ ମିଶାଇ ଏ ପର୍ଯ୍ୟନ୍ତ ତିନି ଜଣ ସାଂସଦ ବିଜେଡ଼ି ଛାଡ଼ି ବିଜେପିରେ ମିଶିଛନ୍ତି। ଏହା ପୂର୍ବରୁ ନରବଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ବିଜେଡ଼ି ଛାଡ଼ି ବିଜେପିରେ ମିଶିଥିଲେ।